ଟୋକିଓ : ଦୁନିଆର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ବିପର୍ଯ୍ୟୟର କାରଣ ପାଲଟିଥିବା ବେଳେ କେତେକ ସ୍ଥାନରେ ଅତ୍ୟଧିକ ଉତ୍ତାପ ଯୋଗୁ ଲୋକଙ୍କର ଜୀବନ ଯାଉଛି । ଏହି କ୍ରମରେ ଦକ୍ଷିଣ କୋରିଆ ଏବଂ ଜାପାନରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଦକ୍ଷିଣ କୋରିଆରେ ଉତ୍ତାପ ଯୋଗୁ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜାପାନର ସ୍କୁଲରୁ ଫେରୁଥିବା ସମୟରେ ଜଣେ ୧୩ ବର୍ଷର ପିଲାର ମୃତ୍ୟୁ ହୋଇଛି ।
ଦକ୍ଷିଣ କୋରିଆର ୟୋନହାପ ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି ଯେ, ଉତ୍ତାପ ଯୋଗୁ ଏହି ସପ୍ତାହରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୫ ଜଣ କୃଷକ ଅଛନ୍ତି । ଯାହାଙ୍କ ବୟସ ୭୦ ବର୍ଷରୁ ଅଧିକ । ଏହାପୂର୍ବରୁ ଉତ୍ତାପ ତରଫରୁ ୭ ଜଣଙ୍କର ମୃତ୍ୟୁ ହୋଇସାରିଛି । ମଙ୍ଗଳବାର ଦେଶର ଅଧିକାଂଶ ସ୍ଥାନରେ ହିଟ୍ୱେଭ ଚେତାବନୀ ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ଜୁଲାଇ ମାସରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବାରୁ ଲୋକମାନେ ବହୁତ ଚିନ୍ତିତ ଥିଲେ ।