ଇସଲାମାବାଦ: ପାକିସ୍ତାନର ପେଶାୱର ସହରସ୍ଥିତ ଏକ ମସ୍ଜିଦରେ ସୋମବାର ଆତ୍ମଘାତୀ ବିସ୍ଫୋରଣ ଘଟି ୪୬ ଜଣ ପ୍ରାଣ ହରାଇଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ସମୟରେ ନମାଜ ପାଠ ପାଇଁ ଉକ୍ତ ମସ୍ଜିଦ ପରିସରରେ ୨୫୦ରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିବା ପୁଲିସ ପକ୍ଷରୁ କୁହାଯାଇଛି । ମୃତାହତଙ୍କ ମଧ୍ୟରେ ଅଧିକାଂଶ ପୁଲିସ କର୍ମୀ ଥିବା ଜଣାପଡିଛଛି । ବିସ୍ଫୋରଣ ପ୍ରଭାବରେ ମସ୍ଜିଦର ଗୋଟିଏ ପାଶ୍ୱର୍ ଭୁଶୁଡି ପଡିଥିବାବେଳେ ମାଟିସ୍ତୂପ ତଳେ କିଛି ଲୋକ ପୋତି ହୋଇପଡିଥିବା ଆଶଙ୍କା କରାଯାଉଛି । ଏହି ବିସ୍ଫୋରଣ ପଛରେ ‘ତେହରିକ୍-ଇ-ତାଲିବାନ ପାକିସ୍ତାନ’ (ଟିଟିପି) ସଂଗଠନର ହାତ ଥାଇପାରେ ବୋଲି ଆଶଙ୍କା କରାଯାଉଛି ।
ତେବେ ଟିଟଇପି ସଂଗଠନର ଜଣେ କମାଣ୍ଡର କହିଛନ୍ତି ଯେ ଗତବର୍ଷ ଅଗଷ୍ଟରେ ଆଫ୍ଗାନିସ୍ତାନରେ ତାଙ୍କର ଭାଇ ତଥା ଟିଟିପି କମାଣ୍ଡର ଖଲିଦ୍ ଖୁରାସନିଙ୍କୁ ଯେଉଁ ହତ୍ୟା କରାଯାଇଥିଲା, ତାହାର ପ୍ରତିଶୋଧ ସ୍ୱରୂପ ଏହି ଆତ୍ମଘାତୀ ବିସ୍ଫୋରଣ କରାଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ଏହି ଘଟଣାକୁ ତୀବ୍ର ନିନ୍ଦା କରିଥିବାବେଳେ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି । ଏଥିସହିତ ଆହତଙ୍କ ଚିକିତ୍ସା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ସ୍ଥାନୀୟ ପ୍ରଶାସନ ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏପରିକି ଆହତଙ୍କ ପାଇଁ ରୀକ୍ତଦାନ କରିବାକୁ ସେ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ଏଭଳି ନାରକୀୟ କାଣ୍ଡ ପାଇଁ ଦାୟୀ ଲୋକ ଏବଂ ସଂଗଠନ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରିଫ୍ କହିଛନ୍ତି । ସୂଚନାଯୋଗ୍ୟ ୨୦୨୨ ମାର୍ଚ୍ଚରେ ଆଇଏସ୍ ଆତଙ୍କବାଦୀ ସଂଗଠନ ପକ୍ଷରୁ ପେଶାୱର ଏକ ମସ୍ଜିଦରେ ବିସ୍ଫୋରଣ କରାଯାଇଥିଲା । ଏଥିରେ ୬୪ ଜଣ ପ୍ରାଣ ହରାଇଥିଲେ ।