34.1 C
Bhubaneswar
Thursday, March 20, 2025
Homeଓଡିଶାସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ: ୫ ହଜାର ଲେଖାଏଁ ପାଇଲେ ୧୮ ଲକ୍ଷ ନୂତନ ହିତାଧିକାରୀ

ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ: ୫ ହଜାର ଲେଖାଏଁ ପାଇଲେ ୧୮ ଲକ୍ଷ ନୂତନ ହିତାଧିକାରୀ

ଭୁବନେଶ୍ୱର: ଆଜି ଯାଜପୁର ଠାରେ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟର ପ୍ରଥମ କିସ୍ତି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଓଡ଼ିଶାର ସର୍ବବୃହତ୍‍ ମହିଳା ସଶକ୍ତିକରଣ ଯୋଜନା ସୁଭଦ୍ରା ଅଧୀନରେ ଯାଜପୁର ଠାରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ୧୮ ଲକ୍ଷ ନୂତନ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯାଇଛି । ପୂର୍ବରୁ ୩ ଟି ପର୍ଯ୍ୟରେ ୮୦ ଲକ୍ଷ ମହିଳା ପ୍ରଥମ କିସ୍ତି ପାଇଥିବା ବେଳେ, ଆଜି କୁ ମିଶାଇ ୪ ଟି ପର୍ଯ୍ୟାୟରେ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସହାୟତା ପାଇଲେ।

ଏହି ସହାୟତା ରାଶି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁଭଦ୍ରା ଯୋଜନାରେ ମା’ମାନଙ୍କୁ ୨ଟି କିସ୍ତିରେ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି । ଏହି ସହାୟତା ରାଶି ପ୍ରଦାନର ଉଦ୍ଦେଶ୍ୟ ରହିଛି ମା’ମାନଙ୍କୁ ବିକାଶର ପାର୍ଟନର କରିବା, ମା’ମାନେ ଏହାକୁ ପାରିବାରିକ ଖର୍ଚ୍ଚ ପାଇଁ ବ୍ୟବହାର ନ କରି ବିଭିନ୍ନ ବିଜିନେସ ପାଇଁ ବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନାରୀର ଶକ୍ତି ସାମର୍ଥ୍ୟ ଏବଂ ପ୍ରତିଭାର ଉପଯୋଗ କରି ସାମାଜିକ ପ୍ରଗତିକୁ ତ୍ୱରାନ୍ୱିତ କରାଇବା ସୁଭଦ୍ରା ଯୋଜନାର ଉଦ୍ଦେଶ୍ୟ । ଏଥିପାଇଁ ମା’ମାନଙ୍କୁ ବିଜିନେସ କରିବାର ବିଭିନ୍ନ କୌଶଳ ଶିଖିବାକୁ ପଡ଼ିବ । ବିଭିନ୍ନ ଟ୍ରେଡରେ ମଧ୍ୟ ଦକ୍ଷତାର ବିକାଶ କରିବାକୁ ପଡ଼ିବ । ମା’ମାନଙ୍କ ଦକ୍ଷତା ବିକାଶ କରିବାକୁ ନିକଟରେ ଆୟୋଜିତ ହୋଇଥିବା ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ରାଜ୍ୟ ସରକାର ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ଆଇ.ଆଇ.ଏମ୍‍. ସମ୍ୱଲପୁର ସହିତ ଅନୁବନ୍ଧିତ ହୋଇଛନ୍ତି । ଆଗାମୀ ଦିନରେ ଆହୁରି ଅନେକ ସଂସ୍ଥା ଏଥିରେ ଯୋଡ଼ି ହେବେ । ମା’ମାନେ ବିଜିନେସ କରିବାର କଳା କୌଶଳ ଶିଖିଲେ ସେମାନେ ସଫଳ ଉଦ୍ୟୋଗୀ ହୋଇପାରିବେ ବୋଲି ସେ କହିଥିଲେ । ସେ କହିଥିଲେ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହେବ । ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନେ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିବା ସହିତ ନିଜ ଅଧିକାର ପ୍ରତି ସଚେତନ ହୋଇପାରୁଛନ୍ତି । ସୁଭଦ୍ରା ଯୋଜନା ଓଡ଼ିଶା ମା ଓ ଭଉଣୀମାନଙ୍କ ଜୀବନରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ମହିଳା ସଶକ୍ତିକରଣର ସ୍ୱପ୍ନକୁ ବାସ୍ତବ ରୂପ ଦେଇଛି ଏହି ସୁଭଦ୍ରା ଯୋଜନା । ବିକଶିତ ଓଡ଼ିଶାର ସାରଥି ହେବେ ଆମ ରାଜ୍ୟର ମା ଓ ଭଉଣୀମାନେ । ସୁଭଦ୍ରା ଯୋଜନା ମହିଳାଙ୍କ ଆୟ ବଢ଼ାଇବା ସହିତ ରାଜ୍ୟର ଅର୍ଥନୈତିକ ପ୍ରଗତିରେ ମହିଳାଙ୍କ ଯୋଗଦାନକୁ ସୁଦୃଢ଼ କରିବ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯାଜପୁର ଜିଲ୍ଲା ଓଡ଼ିଶାର ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ ସ୍ୱାଧିନତା ସଂଗ୍ରାମ ଠାରୁ କଳା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ସବୁ କ୍ଷେତ୍ରରେ ଯାଜପୁରର ସ୍ୱତନ୍ତ୍ର ପରିଚୟ ରହିଛି । ଯାଜପୁର ତାର ଐତିହ୍ୟକୁ ସାଥିରେ ନେଇ ଆଜି ବିକାଶ ପଥରେ ଆଗେଇ ଚାଲିଛି । ସୁଭଦ୍ରା ଯୋଜନାରେ ଜିଲ୍ଲାର ସମୁଦାୟ ୪.୯୪ ଲକ୍ଷରୁ ଅଧିକ ମା ଓ ଭଉଣୀ ସାମିଲ ହୋଇଛନ୍ତି । ତନ୍ମଧ୍ୟରୁ ୩. ୭୫ ଲକ୍ଷରୁ ଅଧିକ ମହିଳାଙ୍କୁ ପ୍ରଥମ କିସ୍ତିର ଅର୍ଥରାଶି ପ୍ରାପ୍ତ ହୋଇସାରିଛି । ଆଜି ଚତୁର୍ଥ ପର୍ଯ୍ୟାୟର ପ୍ରଥମ କିସ୍ତିରେ ଯାଜପୁର ଜିଲ୍ଲାରେ ୭୯ ହଜାରରୁ ଅଧିକ ହିତାଧିକାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଗଲା ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଲେ ଯେ, ସୁଭଦ୍ରା ଏକ ଯୋଜନା ନୁହେଁ, ଏହା ଆଗାମୀ ଦିନରେ ମହିଳାମାନଙ୍କର ଜୀବନ ଧାରଣର ଏକ ମାଧ୍ୟମ ହେବ । ରାଜ୍ୟରେ ମହିଳାମାନଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ସର୍ବଦା ମହିଳାଙ୍କୁ ଅଗ୍ରାଧିକାର ଦେଇଛନ୍ତି । ମା ସୁଭଦ୍ରାଙ୍କ ଶକ୍ତିରେ ଓଡ଼ିଶାର ସମସ୍ତ ମା ଭଉଣୀମାନେ ଶକ୍ତିଶାଳୀ ହୁଅନ୍ତୁ ବୋଲି ସେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭଗ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ, ହସ୍ତଶିଳ୍ପ ପ୍ରଦୀପ ବଳ ସାମନ୍ତ, କୋରେଇ, ବିଧାୟକ ଆକାଶ ଦାସନାୟକ, ବଡ଼ଚଣା ବିଧାୟକ, ଅମର ନାୟକ, ଧର୍ମଶାଳା ବିଧାୟକ, ହିମାଂଶୁ ଶେଖର ସାହୁ ପ୍ରମୁଖ ଉପସ୍ଥିତ ରହି ଓଡିଶା ସରକାରଙ୍କ ସୁଭଦ୍ରା ଯୋଜନାକୁ ମହିଳା ମାନଙ୍କ ଆର୍ଥିକ ଓ ସାମାଜିକ ଜୀବନର ମାନଦଣ୍ଡ ବୋଲି କହିଥିଲେ। ଇତ୍ୟବସରରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଯାଜପୁର ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking