31.1 C
Bhubaneswar
Friday, March 27, 2026
Homeଦେଶ ବିଦେଶଷ୍ଟଡି ରିପୋର୍ଟ: ଭାରତୀୟ ଶିଶୁଙ୍କ ଠାରେ ଖାଦ୍ୟ ବିବିଧତାର ଅଭାବ

ଷ୍ଟଡି ରିପୋର୍ଟ: ଭାରତୀୟ ଶିଶୁଙ୍କ ଠାରେ ଖାଦ୍ୟ ବିବିଧତାର ଅଭାବ

ନୂଆଦିଲ୍ଲୀ: ନ୍ୟାସନାଲ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ଗବେଷଣାତ୍ମକ ରିପୋର୍ଟ ଅନୁସାରେ ୭୭%ରୁ ଅଧିକ ଭାରତୀୟ ଶିଶୁମାନଙ୍କ (୬ରୁ ୨୩ ମାସର) ଠାରେ ଉପଯୁକ୍ତ ତଥା ପୋଷଣଯୁକ୍ତ ଖାଦ୍ୟାଭାବ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ମିନିମମ୍ ଡାଏଟାରୀ ଡାଇଭର୍ସଟି (ଏମ୍‌ଡିଡି) ଟୁଲ୍ ବ୍ୟବହାର ପୂର୍ବକ ଶିଶୁମାନଙ୍କ ପୋଷଣ ସମ୍ପର୍କରେ ଦିଆଯାଉଥିବା ପରାମର୍ଶ ଆଧାରିତ ଖାଦ୍ୟପେୟରେ ବିବିଧତା ନାହିଁ। ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟଗୁଡ଼ିକରେ ଶିଶୁମାନଙ୍କୁ ଦିଆଯାଉଥିବା ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣର ବିବିଧତାର ଅଭାବ ରହିଥିବା ରେକର୍ଡ କରାଯାଇଛି। ଏସବୁ ରାଜ୍ୟରେ ଖାଦ୍ୟାଭାବଜନିତ ବିବିଧିତା ହାର ପ୍ରାୟ ୮୦%ରୁ ମଧ୍ୟ ଅଧିକ ରହିଛି। କେବଳ ମେଘାଳୟ ଏବଂ ସିକ୍କିମ ଆଦି ୨ ରାଜ୍ୟ ଯେଉଁଠାରେ ଏହି ହାର ୫୦% ଅଧୀନରେ ରହିଛି। ହୁ’ ଅନୁଯାୟୀ ଯଦି ସ୍ତନ୍ୟପାନ, ଅଣ୍ଡା, ଲେମ୍ବୁ, ବାଦାମ ସହିତ ୫ କିମ୍ବା ଅଧିକ ଖାଦ୍ୟସାମଗ୍ରୀ (ଫଳ ଓ ପନିପରିବା)ର ଏକ ସମାଧାର ରହିଥାଏ ତେବେ ଏହାକୁ ଖାଦ୍ୟ ବିବିଧତା ବୋଲି ବିବେଚନା କରାଯାଏ। କିନ୍ତୁ ଭାରତର ଅଧିକାଂଶ ରାଜ୍ୟରେ ଶିଶୁମାନଙ୍କୁ ବର୍ଷବର୍ଷ ଧରି ଗୋଟିଏ ପ୍ରକାରର ଖାଦ୍ୟ ହିଁ ଉପଲବ୍ଧ ହୋଇପାରୁଛି, ଯାହାକି ଖାଦ୍ୟ ବିବିଧତାର ଅଭାବ ସହ ପୋଷଣଯୁକ୍ତ ଖାଦ୍ୟାଭାବକୁ ମଧ୍ୟ ଦର୍ଶାଉଛି।
୨୦୧୯-୨୧ ଜାତୀୟ ପରିବାର ଏବଂ ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫)ରୁ ସଂଗୃହୀତ ତଥ୍ୟ ଅନୁଯାୟୀ, ଦେଶର ସର୍ବନିମ୍ନ ଖାଦ୍ୟପେୟ ବିବିଧତା ବିଫଳତାର ହାର ୮୭.୪%ରୁ ମଧ୍ୟ ତଳକୁ ହ୍ରାସ ପାଇଛି। ୨୦୦୫-୦୬ (ଏନ୍‌ଏଫ୍‌ଏଚ୍‌ଏସ-୩) ରୁ ତଥ୍ୟ ବ୍ୟବହାର କରି ଗଣନା କରାଯାଇଥିଲା। ତଥାପି, ନ୍ୟାସନାଲ ମେଡିକାଲ ଜର୍ଣ୍ଣାଲ ଅଫ ଇଣ୍ଡିଆରେ ପ୍ରକାଶିତ ଅଧ୍ୟୟନରେ ଲେଖକମାନେ ଲେଖିଛନ୍ତି ଯେ, “ଅଧ୍ୟୟନରୁ ଜଣାପଡିଛି ଯେ ସର୍ବନିମ୍ନ ଖାଦ୍ୟପେୟ ବିବିଧତା ବିଫଳତାର ପ୍ରାଦୁର୍ଭାବ ଭାରତରେ (୭୫% ରୁ ଅଧିକ) ଅଧିକ ରହିଛି। ଏହି ଟିମ୍ ବିଭିନ୍ନ ଖାଦ୍ୟ ଗୋଷ୍ଠୀ ମଧ୍ୟରେ ପ୍ରୋଟିନ୍ ଏବଂ ଭିଟାମିନ୍ ପରି ପିଲାମାନଙ୍କର ଖାଦ୍ୟପେୟ ଅଭ୍ୟାସକୁ ବେଶ୍ ଭଲଭାବେ ନୀରିକ୍ଷଣ କରିଛନ୍ତି। ଏମାନଙ୍କ ଅନୁସାରେ ଉଭୟ ସମୟରେ ଆସିଥିବା ସର୍ଭେ ରିପୋର୍ଟ ଅନୁସାରେ ଅଣ୍ଡାର ବ୍ୟବହାର ଏକ “ପ୍ରଭାବଶାଳୀ” ବୃଦ୍ଧି ପଞ୍ଜିକୃତ ହୋଇଛି, ଏନ୍‌ଏଫ୍‌ଏଚ୍‌ଏସ୍‌-୩ରେ ପ୍ରାୟ ୫%ରୁ ଏନ୍‌ଏଫ୍‌ଏଚ୍‌ଏସ-୫ରେ ୧୭%ରୁ ଅଧିକ ହୋଇଥିବା ବେଳେ ଲେମ୍ବୁ ଏବଂ ବାଦାମର ଖାଦ୍ୟ ୨୦୦୫-୦୬ ମଧ୍ୟରେ ପ୍ରାୟ ୧୪%ରୁ ୧୭%କୁ ବୃଦ୍ଧି ପାଇଛି। ଭିଟାମିନ୍ ଏ ସମୃଦ୍ଧ ଫଳ ଏବଂ ପନିପରିବାର ବ୍ୟବହାର ୭.୩% ପଏଣ୍ଟ ବୃଦ୍ଧି ପାଇଥିବାବେଳେ ଫଳ ଏବଂ ପନିପରିବାର ବ୍ୟବହାର ସମାନ ସମୟରେ ୧୩ ପ୍ରତିଶତ ପଏଣ୍ଟ ବୃଦ୍ଧି ପାଇଛି। ମାଂସ ଖାଦ୍ୟ ପାଇଁ ବ୍ୟବହାର ୪ ପ୍ରତିଶତ ପଏଣ୍ଟ ବୃଦ୍ଧି ପାଇଛି। ତେବେ ସ୍ତନ୍ୟପାନ ଏବଂ ଦୁଗ୍ଧଜାତ ଦ୍ରବ୍ୟର ବ୍ୟବହାର ଏନ୍‌ଏଫ୍‌ଏଚ୍‌ଏସ୍‌-୩ ରେ ୮୭%ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୫ ରେ ୮୫% ଏବଂ ୫୪%ରୁ ୫୨%କୁ ହ୍ରାସ ପାଇଛି। ସୂଚନାଯୋଗ୍ୟ, ବିଶ୍ୱ କ୍ଷୁଧା ସୂଚକାଙ୍କରେ ଆମ ଦେଶର ସ୍ଥିତି ପୂର୍ବ ବର୍ଷମାନଙ୍କ ଭଳି ନୈରାଶ୍ୟଜନକ ରହିଥିବା ଜଣାପଡ଼ିଛି। କ୍ଷୁଧା ଓ ଅନାହାର ଭଳି ପରିସ୍ଥିତିର ଶିକାର ବିଶ୍ୱର ୧୨୭ଟି ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସୂଚକାଙ୍କରେ ଚଳିତ ବର୍ଷ ଭାରତ ୧୦୫ତମ ସ୍ଥାନରେ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking