ନୂଆଦିଲ୍ଲୀ: ୟୁକ୍ରେନ୍ରେ ରୁଷ୍ ଗୁଳିରେ ପ୍ରାଣ ହରାଇଥିବା କର୍ଣ୍ଣାଟକ ରାଜ୍ୟର ଡାକ୍ତର ଛାତ୍ର ନବୀନ ଶେଖରାପ୍ପା (୨୧)ଙ୍କ ମୃତଦେହ ଏବେ ୟୁକ୍ରେନ୍ର ଏକ ଶବଗୃହରେ ସଢ଼ୁଛି । ଲଗାତାର ଗୁଳି ବର୍ଷଣ ଏବଂ ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ତାଙ୍କ ଶବ ଆଣିବା ସମ୍ଭବ ହୋଇପାରୁନାହିଁ ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ଏ ସମ୍ପର୍କରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସହ ଯୋଗାଯୋଗ କରିଥିବା ବେଳେ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଗୁଳିଗୋଳା ବର୍ଷଣ ବନ୍ଦ ନହେବା ପର୍ଯ୍ୟନ୍ତ ତଥା ୟୁକ୍ରେନ୍ ଏବଂ ରୁଷ୍ର ବିନା ସହଯୋଗରେ ନବୀନଙ୍କ ମୃତଦେହ ଆଣିବା କଷ୍ଟକର ।
ସୂଚନାଯୋଗ୍ୟ ନବୀନ ଖାର୍କିଭ୍ର ନାସନାଲ୍ ମେଡିକାଲ୍ ୟୁନିଭର୍ସିଟିରେ ପଢ଼ୁଥିଲେ । ସହର ଛାଡ଼ି ନିଜ ଦେଶାଭୀମୁଖୀ ପାଇଁ ଯୋଜନା କରୁଥିବା ବେଳେ ଏହି ଉଦ୍ଦେଶ୍ୟରେ ଗତ ମଙ୍ଗଳବାର ସେ ରହିଥିବା ବଙ୍କରରୁ ବାହାରି କିଛି ରାସନ ସାମଗ୍ରୀ ପାଇଁ ଏକ ଷ୍ଟୋର୍ରେ ଧାଡ଼ି ବାନ୍ଧିଥିଲେ । ଏହି ସମୟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଛି ।
ଅପରପକ୍ଷେ ଗତ ବୁଧବାର ନବୀନଙ୍କ ବାପା ଶେଖରାପ୍ପା ଜ୍ଞାନଗୌଡ଼ା କହିଥିଲେ ଯେ, ଦୁଇଦିନ ମଧ୍ୟରେ ତାଙ୍କ ପୁଅର ମୃତ ଶରୀର ସେଠାରୁ ଉଦ୍ଧାର କରାଯାଇ ତାଙ୍କୁ ପାଖକୁ ଅଣାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କ ଉପରୋକ୍ତ ମନ୍ତବ୍ୟରୁ ତାହା ସ୍ପଷ୍ଟ ହେଉନାହିଁ । ଏଣୁ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ବୋମାଇ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ପୁଅର ଶବ ଫେରାଇ ଆଣିବାକୁ ଆକୁଳ ନିବେଦନ କରିଛନ୍ତି ।