ରାଉରକେଲା: ଲାଠିକଟା ବ୍ଲକ ଅନ୍ତର୍ଗତ ରାମଯୋଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନିଜକୁ ସାମିଲ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରୀତା ତିର୍କୀ ସଭାପତିତ୍ୱ କରିଥିବା ବେଳେ, ଆଶିଷ କୁମାର ପ୍ରଧାନ ମଂଚ ପରିଚାଳନା କରିଥିଲେ । ବିଜ୍ଞାନ ପାଇଁ ଏବେ ମଧ୍ୟ ଜନସମାଜରେ ଉଜ୍ଜିବୀତ ଥିବା ସି. ଭି, ରମଣ, ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ. ଅବଦୁଲ କଲାମଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଜଗନ୍ନାଥ ମହାରଣା ବିଜ୍ଞାନର ଆବଶ୍ୟକତା ଓ ବ୍ୟବହାର ଉପରେ ଛାତ୍ରଛାତ୍ରୀ ମାନଙ୍କୁ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ବିଜ୍ଞାନ ଉପରେ ରୁଚି ରଖିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଜ୍ଞାନର ବିଭିନ୍ନ ପ୍ରକାର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସମରରଂଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।