ଭୁବନେଶ୍ୱର: ୟୁନିଟ୍ ୧ ହାଟ ପଲିଥିନ ବିକ୍ରୀର ଭୁ-ସ୍ୱର୍ଗ ପାଲଟିଛି । ଏକାଧିକ ଗୋଦାମରେ ବେଆଇନ ଭାବେ ପ୍ଲାଷ୍ଟିକ ଓ ପଲିଥିନ ବିକ୍ରୟ ଜାରି ରହିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଧିମା ପଡ଼ିଥିବା ପ୍ଲାଷ୍ଟିକ୍ ଓ ପଲିଥିନ ଯାଞ୍ଚ ଏବେ ପୁଣି ସକ୍ରିୟ ହୋଇଛି । ପ୍ରାୟ ୭ରୁ ୮ ମାସ ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଧିକାରୀ ଯାଞ୍ଚ ପାଇଁ ମାର୍କେଟକୁ ଓହ୍ଲାଇଛନ୍ତି । ବୁଧବାର ବିଏମ୍ସି ପକ୍ଷରୁ ଭୁବନେଶ୍ୱରର ସର୍ବ ପୂରାତନ ହାଟ ୟୁନିଟ୍ ୧ରେ ଚଢ଼ାଉ କରାଯାଇଛି । ପର୍ଯ୍ୟାୟକ୍ରମେ ସହରର ସବୁ ବଡ଼ ହାଟ ବଜାରରେ ଏବେ ଚଢ଼ାଉ ଜାରି ରହିବା ଲକ୍ଷ୍ୟ ଥିବାବେଳେ ସହରରେ କରୋନା ଅନୁରୁପି ବ୍ୟବହାର ସହ ପ୍ଲାଷ୍ଟିକ ଯାଞ୍ଚ ଜୋରଦାର ହେବ ବୋଲି ବିଏମ୍ସି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି ।
ବିଏମ୍ସି ନିକଟରୁ ହସ୍ତଗତ ସୂଚନା ଅନୁସାରେ ଏକ ନଂ ହାଟରେ ବ୍ୟାପକ ପରିମାଣର ପ୍ଲାଷ୍ଟିକ ଥିବାନେଇ ସ୍କ୍ୱାର୍ଡକୁ ସୂଚନା ମିଳିଥିଲା । ବୁଧବାର ପୂର୍ବାହ୍ନରେ ସ୍କ୍ୱାର୍ଡ ପକ୍ଷରୁ ହାଟରେ ଚଢ଼ାଉ କରାଯିବା ସହ ହଜାରେ କିଲୋରୁ ଊର୍ଦ୍ଧ୍ୱ ପ୍ଲାଷ୍ଟିକ୍ ଓ ପଲିଥିନ ଜବତ କରାଯାଇଛି । ବେପାରୀଙ୍କୁ ୨୦ ହଜାର ଟଙ୍କାର ଜରିମାନା ହେବା ସହ ଏପରି ଭୁଲ ପୁର୍ନବାର ନ କରିବାକୁ କଡ଼ା ଚେତାବନୀ ଦିଆଯାଇଛି । ପ୍ଲାଷ୍ଟିକ ପରିଚାଳନା ନିୟମ ୨୦୧୬ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଚଳିତବର୍ଷ ଏଯାବତ୍ ୭ ମେଟ୍ରିକ ଟନ ପ୍ଲାଷ୍ଟିକ ଜବତ ହୋଇଥିବାବେଳେ ୯୭୭ ଲୋକଙ୍କଠାରୁ ୭ ଲକ୍ଷ ଜରିମାନା ଆଦାୟ କରାଯାଇଥିବା ବିଏମ୍ସି କମିଶନର ସଞ୍ଜୟ କୁମାର ସିଂହ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବେଆଇନ ଭାବେ ବିକ୍ରୀ ହେଉଥିବା ପଲିଥିନ ଓ ପ୍ଲାଷ୍ଟିକ୍ ଉପରେ ବିଏମ୍ସି ନଜର ରଖିଛି । ଏନେଇ ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ହୋଇଥିବାବେଳେ ୨ ଜଣ ଏନ୍ଫୋର୍ସମେଣ୍ଟ ଇନ୍ସପେକ୍ଟର, ୨ ଅଧିକାରୀ, ୨ ପୁଲିସ୍ ଅଧିକାରୀଙ୍କ ସହ ସୁରକ୍ଷାକର୍ମୀଙ୍କୁ ରଖାଯାଇଥିବା ବିଏମ୍ସି ପକ୍ଷରୁ ପ୍ରକାଶ ପାଇଛି ।