ମୁନିଗୁଡ଼ା : ଦିନଥିଲା ଆମଦେଶର ପଥରଶିଳ୍ପୀ ତା ନିହାଣ ମୁନରେ ଏଦେଶର ସଂସ୍କୃତିକୁ ପ୍ରଚାର କରୁଥିଲା । ପଥରରେ ଜୀବନ୍ୟାସ ଦେଉଥିଲା । ହେଲେ ଆଜି ସେମାନଙ୍କ ଦାୟାଦ ରାସ୍ତାକଡ଼ ପଲିଥିନ୍ ତଳେ ବିତୁଛି । ନା ମିଳିଛି ସରକାରୀ ପ୍ରୋତ୍ସାହନ ନା କୌଣସି ସାହାଯ୍ୟ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ତିନିକୋଣିଆ ଛକ ରେଲୱେ ସାଇଡରେ । ଏଠାରେ ପ୍ରତି ଶୀତଋତୁରେ ଆସି ପହଞ୍ôଚ ଯାନ୍ତି ପଥୁରିଆମାନେ । ହାଡ଼ଭଙ୍ଗା ଶୀତରେ ସକାଳୁ ସକାଳୁ ଆରମ୍ଭ ହୋଇଯାଏ ସେମାନଙ୍କ ଶିଳ୍ପ । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାରୁ କଳା ଟାଣୁଆ ପଥରମାନ ଆଣି ନିହାଣ ସହାୟତାରେ ତିଆରି କରନ୍ତି ଶିଳ, ଶିଳପୁଆ, ଚକି, ରୁଗୁଣା ଆଉ ଅନେକପ୍ରକାରର ଗୃହଉପକରଣ । ଆଧୁନିକତାର ମଣିଷ ଆଜି ଏସବୁ ପାରମ୍ପାରିକ ଗୃହଉପକରଣ ଦ୍ରବ୍ୟକୁ ପାଶୋରି ଯାଇଥିବା ବେଳେ ଯୁଗଯୁଗର ଏହି ଶିଳ୍ପକୁ ପେଟପାଟଣାର ମାଧ୍ୟମ କରି ଚଳୁଥିବା ଶିଳ୍ପୀ ଆଜି ବି ଉକ୍ତ କାର୍ଯ୍ୟକୁ ନେଇ ବାରଦ୍ୱାର ବୁଲି ଚଳୁଛି ।
ଶୀତକାକର, ଖରା, ବର୍ଷାକୁ ଖାତିରି ନକରି ଏମାନେ ପଥରରେ ସାମଗ୍ରୀ ତିଆରି କରି ପେଟ ପୋଷିଥାନ୍ତି । ପୁରୁଷ ପୁରୁଷର ଏହି କାର୍ଯ୍ୟ କରିଆସୁଥଲେ ହେଁ ସରକାରଙ୍କ ଏମାନଙ୍କ ପରିବାର ପ୍ରତି ନିଘା ନାହିଁ । ଅର୍ଥ ପାଇଁ ଘରଦ୍ୱାରା, ପିଲାଛୁଆ ଛାଡ଼ି ଏମାନେ ଯାଯାବର ସାଜିଛନ୍ତି । ଦିନକୁ ଗୋଟିଏ ୨ଟା ଦ୍ରବ୍ୟ ବିକିବା କଷ୍ଟ । ଗୋଟିଏ ଶିଳ, ଚକି, ଅବା ରୁଗୁଣା ବିକିଲେ ୮ଶହ ଟଙ୍କା ମିଳେ । ଏହି ଟଙ୍କାରେ ଯାହା ଘର ଚଳେ ସେଥିରୁ ମଧ୍ୟ କିଛି ଘରକୁ ପଠାଯାଏ । ତେବେ ଆଜିକି ସମୟରେ ଏତିକି ପଇସାରେ ଚଳିବା କଷ୍ଟକର ହୋଇପଡୁଛି ବୋଲି କୋହଭରା କଣ୍ଠରେ କହିଛନ୍ତି । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।