ନୟାଗଡ: ନୟାଗଡ ଜିଲ୍ଲା ଫତେଗଡ ଥାନା ଅଞ୍ଚଳରେ ଦିନକୁ ଦିନ ଧଳାଜହର ବେପାର କାୟାବିସ୍ତାର କରିବାରେ ଲାଗିଛି । ଏହି ଅଞ୍ଚଳ ଟି ନୟାଗଡ ଜିଲ୍ଲା ଶେଷ ସୀମାରେ ଅବସ୍ଥିତ, କଟକ ଜିଲ୍ଲା ଖୋର୍ଦ୍ଧା ଜିଲ୍ଲା ସୀମା ସହ ମିଳିତ ହୋଇ ରହିଛି, ତେଣୁ ଫତେଗଡ ଅଞ୍ଚଳକୁ ଜିଲ୍ଲା ବାହାରୁ ଧଳାଜହର ଆଣି ଯୁବକମାନେ ଅବାଧ ରେ ବେପାର କରୁଛନ୍ତି ।ଫଳରେ ଯୁବ ସମାଜ ରାତା ରାତି କୋଟିପତି ହୋଇଯିବା ନିଶାରେ ଏହି ବେପାର ଆପଣେଇ ନେଉଥିବା ନଜର ରହିଛି । ବୁଧବାର ଦିନ ବିଳମ୍ବିତ ରାତିରେ ଖୋର୍ଦ୍ଧା ଟାଉନ୍ ଥାନା ପୋଲିସ ଓ ଏସ୍ଟିଏଫ୍ ସ୍କାର୍ଡ ମିଳିତ ଭାବେ ଫତେଗଡ ପୋଲିସ ସହାୟତାରେ ଫତେଗଡ ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ଧଳାଜହର ବେପାରୀକୁ ଘରୁ ଉଠାଇ ନେଇଥିବା ଜଣାଯାଇଛି । ଏହାକୁ ନେଇ ଭାପୁର ବ୍ଲକ ଅଞ୍ଚଳ ରେ ଚର୍ଚ୍ଚା ଲାଗିରହିଛି ।
ସୂଚନାନୁଯାୟୀ, ଫତେଗଡ ଥାନା ଅନ୍ତର୍ଗତ କଇଁଫୁଲିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବରପୁଟ ଗ୍ରାମର ବ୍ରଜରାଜ ରାଉତଙ୍କ ସାନପୁଅ ହିମାଂଶୁ ରାଉତ (୩୭) ଧଳାଜହର ବେପାର ଦୀର୍ଘ ଦିନରୁ କରୁଥିବା ନେଇ ପୋଲିସ ନିକଟରେ ଖବର ରହିଥିଲା । ପୂର୍ବରୁ ପୋଲିସ ତାର ଗତିବିଧି ଉପରେ ନଜର ରଖିଥିଲେ । ଖୋର୍ଦ୍ଧା ଟାଉନ୍ ଥାନାରେ ଜଣେ ଧଳାଜହର ବେପାରୀ ଗିରଫ ପରେ ହିମାଂଶୁ ରାଉତ ସହ ବେପାର କରୁଥିବା କହିଥିଲା । ବୁଧବାର ବିଳମ୍ବିତ ରାତିରେ ଏସ୍ଟିଏଫ୍ ସ୍କ୍ୱାର୍ଡ ଟିମ୍ ଓ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ମିଳିତ ଭାବେ ଫତେଗଡ ପୁଲିସ ସହାୟତାରେ ବରପୁଟ ଗ୍ରାମରେ ଚଢ଼ାଉ କରି ହିମାଂଶୁ ରାଉତଙ୍କୁ ଘରୁ ଉଠାଇ ନେଇଥିଲେ ବୋଲି ଫତେଗଡ ଥାନା ପକ୍ଷରୁ ସୂଚନା ମିଳିଛି ।