ଗୁଆହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୋମବାର ନବନିର୍ମିତ ବିଧାନସଭା କମ୍ପେ୍ଲକ୍ସରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି । ସୋମବାଠାରୁ ବିଧାନସଭାର ଶରତ ଅଧିବେଶନ ଆରମ୍ଭ ହୋଇଥିବାବେଳେ ନୂଆ ବିଧାନସଭାରେ ଗୃହକାର୍ଯ୍ୟ ଚାଲିଥିବା କୁହାଯାଇଛି ।
ମୁଖ୍ୟମନ୍ତ୍ରୀ ନିଜର ଟ୍ୱିଟର ଆକାଉଣ୍ଟରେ ପ୍ରତିମୂର୍ତ୍ତି ଉନ୍ମୋଚନର ଏକ ଫଟୋ ଅପ୍ଲୋଡ କରିଛନ୍ତି । ବିଧାନସଭା ପରିସରରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ଦ୍ୱାରା ବିଧାୟକ ଓ ମନ୍ତ୍ରୀମାନେ ମହାତ୍ମାଙ୍କ ଅହିଂସା ବାଣୀ ଓ ଶାନ୍ତି ବାର୍ତ୍ତା ଦ୍ୱାରା ପ୍ରେରଣାଲାଭ କରିବେ ବୋଲି ବିଶ୍ୱଶର୍ମା ଆଶାବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଏହି ନୂତନ ବିଧାନସଭା ଅଟ୍ଟାଳିକାକୁ ଜୁନ୍ ୩୦ରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦ୍ଘାଟନ କରିଥିଲେ । ୧୯୭୨ରେ ଦିସ୍ପୁର ଆସାମର ରାଜଧାନୀ ଘୋଷିତ ହେବାପରଠାରୁ ପୁରୁଣା ବିଧାନସଭା ବିଲ୍ଡିଂରେ ଗୃହକାର୍ଯ୍ୟ ସମ୍ପାଦିତ ହୋଇଆସୁଥିଲା । ନୂଆ ଅଟ୍ଟାଳିକାରେ ୧୮୦ ବିଧାୟକ ବସିବା ବ୍ୟବସ୍ଥା କରାଯାଇଛି ।