34.1 C
Bhubaneswar
Thursday, March 20, 2025
Homeଓଡିଶାଓଡ଼ିଶା ହାକାଥାନ୍ ୩.O ପାଇଁ ରାଜ୍ୟସ୍ତରୀୟ ଦିଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ

ଓଡ଼ିଶା ହାକାଥାନ୍ ୩.O ପାଇଁ ରାଜ୍ୟସ୍ତରୀୟ ଦିଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶା ହାକାଥାନ୍ ୩.Oର ଆୟୋଜନ ନିମନ୍ତେ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ କୃଷି ଭବନର ଅଡିଟୋରିୟମଠାରେ ଆୟୋଜିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ଏକ ରାଜ୍ୟସ୍ତରୀୟ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏକ ଦିବସୀୟ ଦିଗଦର୍ଶନ କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ୍ ଆର୍ ଆୟର୍, ୟୁନିସେଫ୍ ଓଡ଼ିଶାର ପରୀକ୍ଷା ବିଶେଷଜ୍ଞ ଶ୍ରୀମତୀ ଲଳିତା ପଟ୍ଟନାୟକ ଓ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ବିଶ୍ଵଜିତ ଘୋଷ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ଓଡ଼ିଆପ୍ରେନ୍ୟୁର ସମ୍ପର୍କିତ ଏକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା । ଏଥିସହିତ କାର୍ଯ୍ୟକ୍ରମରେ ଜିଲ୍ଲାରୁ ପ୍ରତିନିଧି, ଶିକ୍ଷା ଅଧିକାରୀ, ଛାତ୍ରଛାତ୍ରୀ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ, ଓୟୁଏଟି, ଓୟୁଟିଆର୍, ନାଇଭର୍ ଆଦି ଅନୁଷ୍ଠାନରୁ ବିଶେଷଜ୍ଞ ମଧ୍ୟ ଯୋଗ ଦେଇଥିଲେ । ରାଜ୍ୟର ସମସ୍ତ ଜିଲ୍ଲାରୁ ପାଞ୍ଚ ଜଣ ଲେଖାଏଁ ଏହି ଦିଗଦର୍ଶନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ଉଦଘାଟନୀ ସମାବେଶରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଯୋଗ ଦେଇ ହାକାଥନ୍ ର ଗୁରୁତ୍ବ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ପିଲାମାନଙ୍କର ଲୁକ୍କାୟିତ ପ୍ରତିଭାର ପରିସ୍ଫୁଟନର ମାଧ୍ୟମ ହେଉଛି ଓଡ଼ିଆପ୍ରେନ୍ୟୁର ହାକାଥନ୍ । ଜାତୀୟ ଶିକ୍ଷା ନୀତି ୨୦୨୦ ରେ ଧନ୍ଦାମୂଳକ ଶିକ୍ଷା ଓ ଦକ୍ଷତାକୁ ପ୍ରୋତ୍ସାହନ ଦିଆଯାଇଛି । ଓଡ଼ିଆପ୍ରେନ୍ୟୁରର ଆୟୋଜନ ଦ୍ବାରା ଆମେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତାର ବିକାଶ କରିପାରିବା ଏବଂ ଜ୍ଞାନର ପରିସୀମାକୁ ବ୍ୟାପକ କରିପାରିବା ବୋଲି ସେ ମତ ପ୍ରକାଶ କରିଛନ୍ତି । ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ୍ ଆର୍ ଆୟର୍ ସ୍ବାଗତ ଅଭିଭାଷଣ ପ୍ରଦାନ କରି ହାକାଥନ୍ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ବିଶଦ୍ ଆଲୋଚନା କରିଛନ୍ତି । ସେ କହିଛନ୍ତି, ହାକାଥନ୍ କାର୍ଯ୍ୟକ୍ରମ ବିଦ୍ୟାଳୟସ୍ତରରେ ଆରମ୍ଭ କରିବାରେ ଓଡ଼ିଶା ସମଗ୍ର ଦେଶରେ ଦ୍ଵିତୀୟ ରାଜ୍ୟ ଅଟେ । ୨୦୨୨ ମସିହାରେ ଶୁଭାରମ୍ଭ ହୋଇଥିବା ଏଭଳି ଏକ ଅଭିନବ କାର୍ଯ୍ୟକ୍ରମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକଳ୍ପ ଭିତ୍ତିକ ସୃଜନଶୀଳତାକୁ ପ୍ରକାଶ କରିବାର ଅଭିନବ ପ୍ରୟାସ । ହାକାଥନ୍ ବିଜ୍ଞାନ ମେଳା ନୁହେଁ । ଏହି ହାକାଥନ୍ ରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ ବୋଲି ଶ୍ରୀ ଆୟାର୍ ମତ ପ୍ରକାଶ କରିଛନ୍ତି । ଏଥିସହିତ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଅଧିକରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ କରାଇବାପାଇଁ ଜିଲ୍ଲା ଏବଂ ବ୍ଲକ ସ୍ତରର ଶିକ୍ଷା ଅଧିକାରୀମାନଙ୍କୁ ଶ୍ରୀ ଆୟାର୍ ପରାମର୍ଶ ଦେଇଥିଲେ ।

ଉଦଘାଟନୀ ସମାରୋହର ଅନ୍ୟତମ ଅତିଥି ଭାବେ ଓଡ଼ିଶା ୟୁନିସେଫର ଶିକ୍ଷା ପରାମର୍ଶଦାତା ଶ୍ରୀମତୀ ଲଲିତା ପଟ୍ଟନାୟକ ନିଜର ବକ୍ତବ୍ୟ ରଖି ଛାତ୍ରଛାତ୍ରୀମାନଙ୍କର ସହଭାଗୀତା ବିଷୟରେ ଉଲ୍ଲେଖନୀୟ ମାର୍ଗ ଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ଅଧିକ ରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମରେ ଭାଗନେବାକୁ ପ୍ରୋତ୍ସାହିତ କରିବା ସହିତ ଶିକ୍ଷା ସହିତ ସାମାଜିକ ବିକାଶକୁ ଯୋଡ଼ିବା ପାଇଁ ସଂପ୍ରତି ଶିକ୍ଷା ବ୍ୟବସ୍ଥାର ବିଦ୍ୟାଳୟ ସ୍ତରରେ ଧନ୍ଦାମୂଳକ ଶିକ୍ଷାକୁ ତ୍ବରାନ୍ବିତ କରିବାରେ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଚଳିତ ବର୍ଷ ହାକାଥନ୍ ରେ ବିଭିନ୍ନ ବିଷୟବସ୍ତୁ ଯଥା- କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଡ଼ାଏରୀ, ଗ୍ରାମ୍ୟବିକାଶ, ପ୍ରାଣିସମ୍ପଦ, ମତ୍ସ୍ୟ ପାଳନ, ସ୍ବାସ୍ଥ୍ୟ, ଅକ୍ଷୟ ଶକ୍ତି, ଇ-କମର୍ସ, ସାଇବର୍ ସମସ୍ୟା, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ସ୍ମାର୍ଟ ଶିକ୍ଷା, ବିପର୍ଯ୍ୟୟ ପରିଚାଳନା, ବର୍ଜ୍ୟବସ୍ତୁ ପରିଚାଳନା ଆଦିକୁ ନେଇ ଛାତ୍ରଛାତ୍ରୀମାନେ ପ୍ରକଳ୍ପ ପ୍ରଦର୍ଶନ କରିବେ । ପ୍ରଥମେ ବିଦ୍ୟାଳୟସ୍ତରରେ, ପରେ ଜିଲ୍ଲାସ୍ତରରେ ପ୍ରକଳ୍ପ ଚୟନ ହେବା ପରେ ରାଜ୍ୟସ୍ତରୀୟ ହାକାଥନ୍ ର ଆୟୋଜନ କରାଯିବ । କାର୍ଯ୍ୟକ୍ରମରେ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ବିଶ୍ବଜିତ ଘୋଷ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଯୁଗ୍ମ ନିର୍ଦ୍ଦେଶିକା ସସ୍ମିତା ମାଳି ମଞ୍ଚ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking