29.1 C
Bhubaneswar
Wednesday, September 16, 2026
Homeଓଡିଶାଶ୍ରୀଜୟଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

ଶ୍ରୀଜୟଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

ଭୁବନେଶ୍ୱର : ସମଗ୍ର ଭାରତ ବର୍ଷରେ ପ୍ରାତଃସ୍ମରଣୀୟ କବିମାନଙ୍କ ମଧ୍ୟରେ ଓଡ଼ିଶା ମାଟିର ମହାନ କବି ଶ୍ରୀଜୟଦେବଙ୍କ ନାମ ସର୍ବାଗ୍ରେ । ତାଙ୍କ ରଚିତ ‘ଶ୍ରୀଗୀତଗୋବିନ୍ଦ’ କାବ୍ୟ କେବଳ ଏକ ଶୃଙ୍ଗାର ଭକ୍ତିକାବ୍ୟ ନୁହେଁ, ବରଂ ଭାରତୀୟ ସଂସ୍କୃତି ଓ ସାହିତ୍ୟର ଏକ ଅମୂଲ୍ୟ ରନି । ଦ୍ୱାଦଶ ଶତାବ୍ଦୀରେ ରଚିତ ଏହି କାବ୍ୟଗ୍ରନ୍ଥରେ ରାଧାକୃଷ୍ଣଙ୍କ ଦିବ୍ୟଲୀଳାକୁ ଅତି ଚମତ୍କାର ଭାବେ ବର୍ଣ୍ଣନା କରାଯାଇଛି, ଯାହାର ଲଳିତ ସୁନ୍ଦର ପଦାବଳୀ କେବଳ ଓଡ଼ିଶାରେ କିମ୍ବା ଭାରତ ବର୍ଷରେ ନୁହେଁ, ଏହା ସମଗ୍ର ବିଶ୍ୱରେ ଆଦୃତି ଲାଭ କରିଛି ବୋଲି ଶ୍ରୀଜୟଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ବୁଧବାର ପୂର୍ବାହ୍ନରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଓଡ଼ିଶା ତଥା ବିଶିଷ୍ଟ ଗବେଷକ ଶ୍ରୀ ଅଜିତ ତ୍ରିପାଠୀ ଯୋଗଦେଇ କହିଲେ ଯେ ଜୟଦେବଙ୍କ ପରି ସଂସ୍କୃତ ବିଦ୍ୱାନ ଭାରତ ଇତିହାସରେ ବିରଳ ।

ଓଡ଼ିଶାରେ ଜନ୍ମ ନେଇଥିବା ସଂସ୍କୃତ ବିଦ୍ୱାନ ଆଜି ତାଙ୍କ କାଳଜୟୀ ରଚନା ପାଇଁ ସମଗ୍ର ବିଶ୍ୱରେ ପୂଜିତ । ଦେଶବିଦେଶରେ ଗୀତଗୋବିନ୍ଦ କାବ୍ୟ ଏବଂ ଓଡ଼ିଶୀ ନୃତ୍ୟ ଓ ସଂଗୀତ ଯେତେ ପ୍ରସାର ଲାଭ କରିଥିଲେ ମଧ୍ୟ ସାରା ବିଶ୍ୱରେ ଆମକୁ ଆହୁରି ଅଧିକ ପରିଚିତ କରାଇବାର ଅଛି । ଶ୍ରୀଜୟଦେବଙ୍କ କୃତିସମୂହ ଏବଂ ପର୍ଯ୍ୟଟକ ତଥା ଜନସାଧାରଣଙ୍କ ପାଇଁ ସମସ୍ତ ଜୟଦେବ ପୀଠର ଉନ୍ନତିକରଣ ପାଇଁ ସରକାର ତଥା ସାହିତ୍ୟ ଓ ସଂସ୍କୃତିପ୍ରେମୀମାନେ ଆଗେଇ ଆସିବା ଉଚିତ । ଶ୍ରୀଜୟଦେବଙ୍କ କୃତିସମୂହ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ଅନୁବାଦିତ ହୋଇ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଉପଲବ୍ଧ ହେବା ଜରୁରୀ । ଏହା ଦ୍ୱାରା ଅଧିକରୁ ଅଧିକ ଛାତ୍ରଛାତ୍ରୀ ଜୟଦେବଙ୍କ କୃତି ବିଷୟରେ ବିଷୟରେ ଜ୍ଞାନ ଆହରଣ କରିପାରିବେ । ଗୀତଗୋବିନ୍ଦ ଏବଂ ଓଡ଼ିଶୀ ନୃତ୍ୟ ଓତଃପ୍ରୋତ ଭାବରେ ଜଡ଼ିତ । ଓଡ଼ିଶାର ପ୍ରାଚୀନ ନୃତ୍ୟ, ସଂଗୀତକୁ ବଞ୍ଚାଇ ରଖିବା ସହିତ ଏହାକୁ ଦେଶ ବିଦେଶରେ ପ୍ରଚାରପ୍ରସାର ପାଇଁ ସମସ୍ତେ ପ୍ରୟାସ କରିବା ଉଚିତ ବୋଲି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଥିଲେ ।

ବିଶିଷ୍ଟ ଅତିଥି ଭାବେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବପ୍ରସାଦ ଦାଶ କହିଲେ ଯେ ଯେତେ ଯେତେ ଭକ୍ତି ଆନ୍ଦୋଳନର ସୂତ୍ରପାତ ହେଉଛି ସବୁରି ମୂଳରେ ଆମର ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥ । ଜଗନ୍ନାଥଙ୍କୁ ନେଇ ଭକ୍ତି ପରମ୍ପରାର ଆରମ୍ଭ । ଓଡ଼ିଶୀ ନୃତ୍ୟ ଏବଂ ଗୀତଗୋବିନ୍ଦ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଓଡ଼ିଶୀ ନୃତ୍ୟର ଆଧାରଶିଳା ଗୀତଗୋବିନ୍ଦ କାବ୍ୟ କହିଲେ ଅତୁ୍ୟକ୍ତି ହେବ ନାହିଁ । ସେହିପରି ଗୀତଗୋବିନ୍ଦ ବିନା ଓଡ଼ିଶୀ ନୃତ୍ୟ ଅଧୁରା ରହିଯିବ । ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ସ୍ୱର୍ଗୀୟ ପ୍ରେମ ଉପରେ ଆଧାରିତ ହୋଇଥିବା ଏହି ମଧୁର ସଂଗୀତ ସମ୍ବନ୍ଧିତ କାବ୍ୟ ଶ୍ରୀଜୟଦେବ କୃତ ଗୀତଗୋବିନ୍ଦ କେବଳ ସାରା ଭାରତରେ କାହିଁକି ସାରା ବିଶ୍ୱରେ ଚର୍ଚ୍ଚିତ ହୋଇ ଓଡ଼ିଆର ପରିଚୟକୁ ପୁନଃସ୍ଥାପିତ କରି ପାରିଛି । ସେହି କାଳଜୟୀ କବି ଶ୍ରୀ ଜୟଦେବଙ୍କ ଜନ୍ମସ୍ଥାନ କେନ୍ଦୁବଲ୍ଲ୍ୱ ଗ୍ରାମ ଆଜି ଜାତୀୟ ସ୍ତରର ସ୍ମାରକୀ ରୂପେ ପରିଣତ ହେବାକୁ ଯାଉଛି । ଆଜିର ଯୁବପିଢ଼ି ତଥା ସାହିତ୍ୟପିପାସୁ ବ୍ୟକ୍ତିଗଣ ଜୟଦେବଙ୍କ କୃତି ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦାଶ କହିଥିଲେ ।

ବରେଣ୍ୟ ଅତିଥୁ ଭାବେ ବିଶିଷ୍ଟ ନାଟ୍ୟକାର ତଥା ସୁସାହିତି୍ୟକ ପ୍ରଫେସର ପୂର୍ଣ୍ଣର୍ଚନ୍ଦ୍ର ମଲ୍ଲିକ ତାଙ୍କ ବକ୍ତବ୍ୟରେ କହିଲେ ଯେ ଶ୍ରୀ ଜୟଦେବଙ୍କ ରଚିତ ଶ୍ରୀଗୀତଗୋବିନ୍ଦ କାବ୍ୟ ଏକ ଅନବଦ୍ୟ କୃତି । ରାଧା କୃଷ୍ଣଙ୍କ ଚରିତ ଉପରେ ପର୍ଯ୍ୟବେଶିତ ଏହି ମହାନ କାବ୍ୟ ଗୀତିକାବ୍ୟମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ । ଉଭୟ ଶୈଳୀ ଓ ବିଷୟବସ୍ତୁ ଦୃଷ୍ଟିରୁ ଏହାକୁ ସଂସ୍କୃତ ସାହିତ୍ୟର ସର୍ବୋତ୍ତମ ସଂଗୀତ ରଚନା କୁହା ଯାଇପାରେ । ଗୀତଗୋବିନ୍ଦର ବିରାଟ କଳେବର ଆଜି ବିଭିନ୍ନ ଭାଷାରେ ଆନୂଦିତ ହୋଇ ଓଡ଼ିଆର ପରିଚୟ ସୃଷ୍ଟି କରି ପାରିଛି ବୋଲି ଶ୍ରୀ ମଲ୍ଲିକ କହିଥିଲେ । ପରେପରେ ଶ୍ରୀଜୟଦେବ ଓ ଶ୍ରୀଗୀତଗୋବିନ୍ଦ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଶ୍ରୀଜୟଦେବଙ୍କ କୃତି ଓ ସ୍ୱୀକୃତି ଉପରେ ଅଗାଧ ପାଣ୍ଡିତ୍ୟ ଥିବା ସମ୍ମାନନୀୟ ଆଲୋଚକମାନେ ସେମାନଙ୍କ ବକ୍ତ୍ୟବ୍ୟରେ କହିଥିଲେ ଯେ ଜୟଦେବଙ୍କ କୃତି କେବଳ ଏକ କାବ୍ୟ ନୁହେଁ, ବରଂ ଏହା ଏକ ଦିବ୍ୟ ଭାବନା, ଏକ ମୂଲ୍ୟବାନ ସାଂସ୍କୃତିକ ସମ୍ପଦ ଯାହା ଶତାବ୍ଦୀ ଧରି ମନୁଷ୍ୟ ହୃଦୟରେ ଅଦମ୍ୟ ଅଭିଳାଷା ହୋଇ ରହିଛି । ‘ଗୀତଗୋବିନ୍ଦ’ ରେ ଶ୍ରୀକୃଷ୍ଣ ଓ ରାଧାଙ୍କ ଦିବ୍ୟ ପ୍ରେମ ରସ ଏମିତି ଦୀପ୍ତିମାନ ଭାବେ ପ୍ରତିଚ୍ଛବିତ ହୋଇଛି ଯେ ଏହା ଜଗତର ଭାଷା ସୀମାକୁ ଉଲ୍ଲଙ୍ଘନ କରି ସମସ୍ତ ଭକ୍ତ-ହୃଦୟକୁ ଆନ୍ଦୋଳିତ କରିଥାଏ । ତାଙ୍କର ରଚନାରେ ଯେପରି ଭାବ ଶୁଦ୍ଧି, କାବ୍ୟ ଶୈଳୀ ଓ ଭାଷାର ଲାଳିତ୍ୟ ଦେଖିବାକୁ ମିଳେ, ତାହା ସାହିତ୍ୟରେ ଏକ ଦୁର୍ଲଭ ଦୃଶ୍ୟ ବୋଲି ଆଲୋଚକମାନେ ମତବ୍ୟକ୍ତ କରିଥିଲେ ।

ଆଲୋଚନାରେ ବିଶିଷ୍ଟ ସାହିତି୍ୟକ ତଥା ଗବେଷକ ଶ୍ରୀ ପ୍ରଫୁଲ୍ଲ ତ୍ରିପାଠୀ, ପୂର୍ବତନ କୁଳପତି, ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫେସର ପ୍ରଫୁଲ୍ଲ ମିଶ୍ର, ବିଶିଷ୍ଟ ସାହିତି୍ୟକ ତଥା ସଂସ୍କୃତ ବିଦ୍ୱାନ୍‌ ପ୍ରଫେସର ରଘୁନାଥ ପଣ୍ଡା, ପ୍ରାଚୀ ସଂସ୍କୃତି ଗବେଷକ ଶ୍ରୀ ହଂସନାଥ ସାହୁ, ବିଶିଷ୍ଟ ସାହିତି୍ୟକ ତଥା ଲୋକସଂସ୍କୃତି ଗବେଷକ ଡକଫର ସନ୍ତୋଷ ମହାପାତ୍ର ଏବଂ ଶ୍ରୀଗୀତଗୋବିନ୍ଦ ଗବେଷକ ଶ୍ରୀ ଗଦାଧର ମହାପାତ୍ର ପ୍ରମୁଖ ସେମାନଙ୍କ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀର ସଚିବ ଡକଫର ଚନ୍ଦ୍ରଶେଖର ହୋତା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସୋମା ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ ଓଡିଶା ସାହିତ୍ୟ ଏକାଡେମୀର ସହ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜୟଦେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିବାବେଳେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଶ୍ରୀଜୟଦେବ କୃତ ଗୀତଗୋବିନ୍ଦ ପରିବେଷଣ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀ, ଓଡିଶା ସାହିତ୍ୟ ଏକାଡେମୀ ଏବଂ ଜୟଦେବ ଫାଉଣ୍ଡେସନର କର୍ମକର୍ତ୍ତାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking