ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସ୍ଥାୟୀ ନିଯୁକ୍ତି ଦାବି କରି ଷ୍ଟାଫନର୍ସ ଅଫିସରମାନେ ଧାରଣା ଦେଇଛନ୍ତି । ଏପରିକି ବିପଦ ବେଳେ ବନ୍ଧୁ ଏବଂ ସମ୍ପଦ ବେଳେ ଭୁଲିଗଲା ସ୍ୱାସ୍ଥ୍ୟ ବିଭାଗ ଆଦି ସ୍ଲୋଗାନମାନ ଦେଇଛନ୍ତି । କରୋନା ମହାମାରୀ ଯେଉଁ ସମୟରେ ଲାଗାତାର ଭାବେ ବୃଦ୍ଧି ପାଉଥିଲା ଠିକ ସେଇ ସମୟରେ ଅସ୍ଥାୟୀ ଷ୍ଟାଫନର୍ସ ଅଫିସରମାନେ ନିଜ ଜୀବନକୁ ବାଜି ଲଗାଇ ସରକାରଙ୍କ କରୋନା ମହାମାରୀ ବିରୋଧରେ ଳଗାତାର କାର୍ଯ୍ୟ କରୁଥିଲେ । ମାତ୍ର ବର୍ତ୍ତମାନ ସରକାରଙ୍କ ପକ୍ଷରୁ ନୂଆ ନିଯୁକ୍ତି ପ୍ରକାଶ ପାଇଛି । ହେଲେ ଏହି ଷ୍ଟାଫ୍ନର୍ସ ଅଫିସରଙ୍କ ପାଇଁ ନୂତନ ନିଯୁକ୍ତି ପାଇଁ କୌଣସି ଅଗ୍ରାଧିକାର ସୁବିଧା ନାହିଁ । ଏଣୁ ଷ୍ଟାଫ୍ନର୍ସ ଅଫିସରମାନେ ସେମାନଙ୍କର ସ୍ଥାୟୀ ନିଯୁକ୍ତି ଦାବିକରି ବା ନୂତନ ନିଯୁକ୍ତିରେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ କରାଯିବା ଦାବିରେ ଏହି ଧାରଣାରେ ବସିଛନ୍ତି । କରୋନା ମହାମାରୀ ବଢ଼ି ଚାଲୁଥିବା ବେଳେ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ କୋଭିଡ୍ ହସ୍ପିଟାଲମାନ ଖୋଲି କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟରେ ମୋଟ ୬ହଜାର ୪୩୨ଟି ପୋଷ୍ଟ ବହାରିଥିଲା । ସେଥିମଧ୍ୟରୁ ବାଲେଶ୍ୱର ଜିଲ୍ଲା ପାଇଁ ମୋଟ ୧୬୨ଟି ନର୍ସିଂ ଅଫିସର ପୋଷ୍ଟ ବାହାରିଥିଲା । ଏହି ସମୟରେ ଷ୍ଟାଫ୍ନର୍ସ ଅଫିସରମାନେ ଆଗେଇଆସି ୭୧ଜଣ କାର୍ଯ୍ୟରେ ଯୋଗଦେଇ କୋଭିଡ ରୋଗୀଙ୍କୁ ଚିକିତ୍ସା କରୁଥିଲେ । ସେହିଦିନ ଠାରୁ ସେମାନେ କରୋନା ରୋଗୀଙ୍କ ସେବା କରିବାରେ କୌଣସି ଅବହେଳା କରିନାହାନ୍ତି । ଦୀର୍ଘ ୯ମାସ ଧରି ଏମାନଙ୍କୁ କାର୍ଯ୍ୟରେ ଲଗାଯାଇଥିଲା । କରୋନା ମହାମାରୀ କମିବା ପରେ ଏହି ଅସ୍ଥାୟୀ ଷ୍ଟାଫନର୍ସ ଅଫିସରଙ୍କୁ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ୱାର୍ଡରେ କାର୍ଯ୍ୟ କରାଯାଉଛି । ବର୍ତ୍ତମାନ ସରକାରଙ୍କ ନୂତନ ନିଯୁକ୍ତି ପ୍ରକ୍ରିୟାରେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସ୍ଥାୟୀ ନିଯୁକ୍ତି ଦାବିକରି ଷ୍ଟାର୍ଫନର୍ସମାନେ ଧାରଣାରେ ବସିଛନ୍ତି ।