ଭୁବନେଶ୍ୱର: ପୌର ନିର୍ବାଚନକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ଗତ ୫ତାରିଖରୁ ଏନ୍ଫୋର୍ସମେଣ୍ଟ୍ ଡ୍ରାଇଭ୍ ଆରମ୍ଭ କରିଛି । ନିର୍ବାଚନ ସରିବା ପର୍ଯ୍ୟନ୍ତ ଏହା ଚାଲୁରହିବ । ଫେବୃୟାରୀ ୨୫ତାରିଖରୁ ଶୁକ୍ରବାର ଯାଏଁ ୩ଟି ମାମଲା ନିର୍ବାଚନୀ ହିଂସାକୁ ନେଇ ରୁଜୁ କରାଯାଇଛି । ସେଥିମଧ୍ୟରୁ ଲକ୍ଷ୍ମୀସାଗର ଥାନାରେ ଗତ ୫ତାରିଖରେ ଗୋଟିଏ ମାମଲା ରୁଜୁ ହୋଇଥିବାବେଳେ କ୍ୟାପିଟାଲ ଥାନା ଓ ନୟାପଲ୍ଲୀ ଥାନାରେ ଗତ ୯ତାରିଖରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି ।
ସେହିପରି ୫ଟି ମାମଲାରେ ଶାନ୍ତି ଭଙ୍ଗକାରୀ ବ୍ୟକ୍ତିମାନଙ୍କ ବିରୋଧରେ ୧୦୭ ସିଆରପିସି ଦଫା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ୫ଜଣ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ୧୧୦ ସିଆର୍ପିସି ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାସହ ୯୨ଟି ବେଆଇନ ମଦ କାରବାର ବିରୋଧରେ ମାମଲା ରୁଜୁ କରାଯାଇ ୭୪ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବାବେଳେ ୧୧ଜଣ ବ୍ୟକ୍ତିଙ୍କୁ ସିଆରପିସି ଧାର-୪୧ରେ ନୋଟିସ୍ ଦେଇ ଛଡ଼ାଯାଇଛି ।
ଫେବୃୟାରୀ ୨୫ ତାରିଖରୁ ଏପର୍ଯ୍ୟନ୍ତ ୧୪୪୬.୨୨ ଲିଟର ଦେଶୀମଦ, ୪୦୮.୨୦୫ ଲିଟର ବିଦେଶୀ ମଦ ଏବଂ ୬୦୯.୩୫ ଲିଟର ନକଲି ଦେଶୀମଦ ଜବତ କରାଯାଇଛି । ଏଥିସହିତ ଗତ ୯ ତାରିଖରେ ୧୬ ଗ୍ରାମ ବ୍ରାଉନସୁଗର ଓ ୯୪କିଲୋ ଗଞ୍ଜେଇ ଲକ୍ଷ୍ମୀସାଗର ଥାନା ଓ ତମାଣ୍ଡୋ ଥାନା ପୁଲିସ ଜବତ କରିଛି ।