ଜୋହାନ୍ସବର୍ଗ : ଆସନ୍ତା ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିôବା ଆଇସିସି ଟି-୨୦ ବିଶ୍ୱକପ୍ ସକାଶେ ମଙ୍ଗଳବାର କ୍ରିକେଟ୍ ସାଉଥ୍ ଆଫ୍ରିକା (ସିଏସ୍ଏ) ପକ୍ଷରୁ ଏକ ୧୫ଜଣିଆ ଦଳ ଘୋଷଣା କରାଯାଇଛି । ଏହି ଦଳର ୧୫ ଜଣ ଖେଳାଳିଙ୍କ ବ୍ୟତୀତ ୩ ଜଣ ଖେଳାଳିଙ୍କୁ ରିଜର୍ଭ ଭାବେ ମଧ୍ୟ ରଖାଯାଇଛି । ଦଳକୁ ଅଧିନାୟକ ଟେମ୍ବା ବାଭୁମା ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେହିପରି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଟ୍ରିଷ୍ଟାନ୍ ଷ୍ଟବ୍ସଙ୍କୁ ପ୍ରଥମ ଥର ପାଇଁ ସିନିୟର୍ ଟି-୨୦ ଦଳରେ ସୁଯୋଗ ମିଳିଛି ।
ଦଳରେ ପେସ୍ ବିଭାଗରେ ଆନ୍ରିଚ୍ ନୋର୍ଜେ, କାଗିସୋ ରବାଡା ଓ ଲୁଙ୍ଗି ଏନ୍ଗିଡିଙ୍କୁ ରଖାଯାଇଥିବା ବେଳେ କେଶବ ମହାରାଜ ଓ ତବରେଜ୍ ଶମ୍ସୀଙ୍କୁ ସ୍ପିନର୍ ଭାବେ ନିଆଯାଇଛି । ତେବେ ମଧ୍ୟକ୍ରମରୁ ବ୍ୟାଟ୍ସମ୍ୟାନ୍ ରାସି ଭାନ୍ ଡର୍ ଡୁସେନ୍ଙ୍କୁ ବାଦ୍ ଦିଆଯାଇଛି । ସେ ଗତ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍ରେ ତାଙ୍କ ଆଙ୍ଗୁଠିରେ ଆଘାତ ପାଇଥିଲେ ।
ତେଣୁ ତାଙ୍କୁ ଆଙ୍ଗୁଠିରେ ଅସ୍ତ୍ରୋପଚାର କରାଇବାକୁ ପଡ଼ିବ ଓ ଏଥିରୁ ସୁସ୍ଥ ହେବା ସକାଶେ ସେ ଅତି କମ୍ରେ ୬ ସପ୍ତାହ ସମୟ ନେବେ ବୋଲି ସିଏସ୍ଏ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି । ଘୋଷିତ ୧୫ ଜଣିଆ ଦଳକୁ ବାମହାତୀ ପେସର୍ ୱେନ୍ ପାର୍ନେଲ୍ ମଧ୍ୟ ପ୍ରତ୍ୟାବର୍ତ୍ତନ ଘଟିଛି । ନିକଟରେ ସାଉଥ୍ ଆଫ୍ରିକା ଇଂଲଣ୍ଡକୁ ୨-୧ରେ ପରାସ୍ତ କରିଥିବାରୁ ଆଗାମୀ ଟି-୨୦ ବିଶ୍ୱକପ୍ରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ସେହିପରି ଦଳ ଆଗାମୀ ବିଶ୍ୱକପ୍ ପାଇଁ ଭାରତ ବିପକ୍ଷରେ ୩ଟି ଟି-୨୦ ମ୍ୟାଚ୍ ଖେଳି ପ୍ରସ୍ତୁତି କରିବ ।
ଘୋଷିତ ଦଳ: ଟେମ୍ବା ବାଭୁମା (ଅଧିନାୟକ), କ୍ୱିଣ୍ଟନ୍ ଡି’କକ୍ (ୱିକେଟ୍କିପର୍), ରିଜା ହେଣ୍ଡ୍ରିକ୍ସ, ହେନ୍ରିକ୍ କ୍ଲାସେନ୍, କେଶବ ମହାରାଜ, ଆଇଡେନ୍ ମାର୍କରାମ, ଡେଭିଡ୍ ମିଲର୍, ଲୁଙ୍ଗି ଏନ୍ଗିଡି, ଆନ୍ରିଚ୍ ନୋର୍ଜେ, ୱେନ୍ ପାର୍ନେଲ୍, ଡ୍ୱେନ୍ ପ୍ରିଟୋରିଅସ୍, କାଗିସୋ ରବାଡା, ରିଲି ରୁଷୋ, ତବରେଜ୍ ଶମ୍ସୀ ଓ ଟ୍ରିଷ୍ଟାନ୍ ଷ୍ଟବ୍ସ; ରିଜର୍ଭ ଖେଳାଳି: ବିଜୋର୍ନ ଫର୍ଚୁନ୍, ମାର୍କୋ ଜାନ୍ସନ୍ ଓ ଆଣ୍ଡିଲେ ଫେଲୁକ୍ୱାୟୋ ।