18.1 C
Bhubaneswar
Saturday, November 23, 2024
Homeଓଡିଶାସରକାର ଓ ଦଳକୁ ଚେତାଇଲେ ସୌମ୍ୟ  

ସରକାର ଓ ଦଳକୁ ଚେତାଇଲେ ସୌମ୍ୟ  

ଭୁବନେଶ୍ୱର (ବିପିନ ସିଂହ): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଙ୍କ ହତ୍ୟା ଘଟଣାକୁ ନେଇ ଏବେ ଯେଉଁ ରାଜନୈତିକ ତୁମ୍ବି ତୋଫାନ ଚାଲିଛି ତାକୁ ଭିତ୍ତି କରି ବିଜେଡି ବିଧାୟକ ତଥା ସମ୍ବାଦର ସଂପାଦକ ତାଙ୍କ ବ୍ୟଥା ନିଜ ସଂପାଦକୀୟରେ ଆଜି ପ୍ରକାଶ କରିଛନ୍ତି । ଏହି ଘଟଣା ସହ ପୂର୍ବରୁ ଘଟିଥିବା କେତେକ ଘଟଣାର ଉଦାହରଣ ଦେଇ ସରକାର ଓ ଦଳ ଠିକ ବାଟରେ ଯାଉନଥିବା ଓ ଠିକ ଭାବରେ କାର୍ଯ୍ୟ କରୁନଥିବା ଦର୍ଶାଇବାକୁ ଉଦ୍ୟମ କରିଛନ୍ତି । ବିଧାୟକ ଭାବେ ଦଳର କାର୍ଯ୍ୟଧାରା ସହ ସହମତ ହୋଇପାରୁନାହାନ୍ତି । ଏହା ସେ ଖୋଲାଖୋଲି ଭାବେ କହିଲେ ଦଳ ବିରୋଧୀ କାର୍ଯ୍ୟରେ ପଡିବେ । ଏଣୁ ସେ ତାଙ୍କର ମନକଥାକୁ ସଂପାଦକ ଭାବେ ନିଜ କାଗଜରେ ଉଲ୍ଲେଖ କରିବାକୁ ପଛାଇନାହାନ୍ତି । ବିରୋଧୀ ବର୍ତମାନ  ଯେଉଁ ଦାବି କରୁଛନ୍ତି ତାହା ଯଥାର୍ଥ ବୋଲି ସେ ଦର୍ଶାଇବାକୁ ଉଦ୍ୟମ କରିଛନ୍ତି । ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ପରୋକ୍ଷରେ ସେ ସମର୍ଥନ କରିଛନ୍ତି । ଏପରିକି ସେ ଭବିଷ୍ୟତ ପାଇଁ ଦଳ ଓ ସରକାରଙ୍କୁ ଚେତାଇବାକୁ ମଧ୍ୟ ପଛାଇନାହାନ୍ତି । ସୌମ୍ୟଙ୍କ ଆଜିର ସଂପାଦକୀୟ ରାଜନୈତିକ ମହଲରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସୌମ୍ୟରଂଜନ ସଂପାଦକୀୟରେ ପ୍ରମିଳା ମଲ୍ଲିକଙ୍କ ନାଁ ନନେଇ ତାଙ୍କ ମତକୁ କଟୁ ସମାଲୋଚନା କରିଛନ୍ତି । ବିରୋଧୀ ଯେଉଁ ହୋହଲ୍ଲା କରୁଛନ୍ତି, ତାକୁ ନେଇ ପ୍ରମିଳା ମଲ୍ଲିକ ସମାଲୋଚନା କରିଥିଲେ । ଏହି ଘଟଣାରେ ପ୍ରମିଳାଙ୍କ ନାଁ ନ ନେଇ ସମାଲୋଚନା କରି ସୌମ୍ୟରଂଜନ ଦର୍ଶାଇଛନ୍ତି ‘ଏଇ ଘଟଣା ସଂପର୍କରେ ବିଜେଡିର ଜଣେ ତୁଙ୍ଗ ନେତ୍ରୀ ଏବଂ ପୂର୍ବତନ ମହିଳା ମନ୍ତ୍ରୀଙ୍କ ଦୁର୍ଭାଗ୍ୟଜନକ ବିବୃତି । ସେ ମହାଶୟା ପ୍ରଥମ ଦିନ କହିଥିଲେ ଯେ, ଗୋଟିଏ ଛୋଟିଆ ଘଟଣାକୁ ନେଇ ବିରୋଧୀ ରାଜନୀତି କରୁଅଛି । ବିଜେଡି ନେତ୍ରୀଙ୍କର ଏହି ମାନସିକତାକୁ  ଯେତେ କଠୋର ଶବ୍ଦରେ ନିନ୍ଦା କଲେ ମଧ୍ୟ କମ୍ ହେବ । ଏହା ତାଙ୍କର ସମ୍ବେଦନ ଶୂନ୍ୟତା  ଏବଂ ହିମଶୀତଳ ହୃଦୟହୀନତାକୁ  ହିଁ ପ୍ରକାଶ କରୁଛି’ । ପ୍ରମିଳା ମଲ୍ଲିକ ବିରୋଧୀଙ୍କୁ ସମାଲୋଚନା କରିଥିଲେ । ଘଟଣାକୁ ନେଇ ରାଜନୀତି କରୁଛନ୍ତି ବୋଲି କହିଥିଲେ । ଏଣୁ ସୌମ୍ୟଙ୍କ ଏହି ଲେଖା କାହା ଉଦ୍ଦେଶ୍ୟରେ ଆଉ ଅସ୍ପଷ୍ଟ ହୋଇ ରହୁନାହିଁ ।

ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତିନୋଟି ବିଷୟ ଉଦାହରଣ ଭାବେ ସେ ଦେଇ ଦର୍ଶାଇବାକୁ ଚାହିଁଛନ୍ତି, ରାଜ୍ୟରେ ଅପରାଧ ବଢୁଛି ଓ ଶାସକଦଳ ନେତାମାନେ ସଂପୃକ୍ତ ରହୁଛନ୍ତି ଏବଂ ସେମାନଙ୍କୁ ପ୍ରଶାସନ ଓ ସରକାର ସୁରକ୍ଷା ଦେଉଛନ୍ତି । ସେ ଏଥିରେ ମାହାଙ୍ଗା ଡବର ମର୍ଡର , ବଲାଙ୍ଗୀର ଶିକ୍ଷୟତ୍ରୀଙ୍କୁ ପୋଡି ମାରିବା ଘଟଣା ଏବଂ ସାମ୍ବାଦିକ ନବୀନ ଦାସଙ୍କ ପୁଅ  ମନିଷ ଅନୁରାଗ ଙ୍କ ମୃତ୍ୟୁ ଘଟଣାକୁ ଉଦାହରଣ ଭାବେ ଦେଇଛନ୍ତି ।  ଯେଉଁଥିରେ ସେ ଦର୍ଶାଇଛନ୍ତି ଯେ, ଆଇନକୁ ତା ବାଟରେ ଯିବାକୁ ଦିଆଯାଉନାହିଁ ।  ଯେଉଁଥିରେ ସରକାରଙ୍କ ପ୍ରମୁଖ ନେତା, ମନ୍ତ୍ରୀ ଓ ପ୍ରଭାବଶାଳୀ ବ୍ୟକ୍ତି ସଂପୃକ୍ତ ରହୁଛନ୍ତି ।

ସୌମ୍ୟରଂଜନ ଉଲ୍ଲେଖ କରିଛନ୍ତି, ‘ ଗତ କିଛି ମାସ ହେଲା ଘଟିଚାଲିଥିବା ଅପରାଧମୂଳକ ଘଟଣା ନେଇ ସରକାର ଓ କ୍ଷମତାସୀନ ବିଜେଡି ଦଳର ନରମ ଦୃଷ୍ଟିଭଙ୍ଗୀ । ମାହାଙ୍ଗା ଡବର ମର୍ଡର ଘଟଣା ଓ ପରେ ପରେ ଘଟଣାର ସାକ୍ଷୀଙ୍କର ଆଶ୍ଚର୍ଯ୍ୟଜନକ ସଡକ ଦୁର୍ଘଟଣାଜନିତ ମୃତ୍ୟୁ ଓ ଚାର୍ଜସିଟରୁ ମନ୍ତ୍ରୀଙ୍କ ନାମ କଟାଯିବା ଘଟଣା ପରଠାରୁ ନବୀନ ପ୍ରଶାସନର ଅପରାଧ ପ୍ରତି ଶୂନ-ସହନଶୀଳତା ଭାବମୂର୍ତି ଉପରେ ପ୍ରଶ୍ନବାଚୀ ଲାଗିଛି । ଘରୋଇ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍ଗର ମିଶ୍ର ସଂପୃକ୍ତ ଥିବା ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଘଟଣାରେ ପୋଲିସ ବିଭାଗର ଦାୟିୁତ୍ୱହୀନତା ମାହାଙ୍ଗା ଘଟଣାରେ ଉତଥାପିତ ଏହି ପ୍ରଶ୍ନବାଚୀକୁ ଅଧିକ ଗାଢ କରିଛି । ଓଡିଶା ଜନସାଧାରଣଙ୍କ ମଧ୍ୟରେ ଦୁର୍ଭାଗ୍ୟଜନକ ଧାରଣା ବଳବତ୍ତର  ହେବାରେ ଲାଗିଛି ଯେ, କ୍ଷମତାସୀନ ଦଳର ନେତା ବା ଠିକାଦାର ହୋଇଥିଲେ, ଧର୍ଷଣ ଓ ନରହତ୍ୟା ପରି ଜଘନ୍ୟ ଅପରାଧ କରି ମଧ୍ୟ ଏହି ରାଜ୍ୟରେ ଖସି ଯିବା ସହଜ । ଏହା ହିଁ ଓଡିଶାର ସାମାଜିକ ଜୀବନଲାଗି ସବୁଠାରୁ ବଡ ବିଡମ୍ବନା । ନିକଟରେ ଘଟିଥିବା ରାଜଧାନୀ ଭୁବନେଶ୍ୱରରେ ମନୀଷ ଅନୁରାଗଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ହାବିଲଦାର ସଂଘର ଜଣେ ତୁଙ୍ଗ ନେତାଙ୍କ ଦ୍ୱାରା ପରିଚାଳିତ ହୋଟେଲର ସଂପର୍କ ଓ ଏଠାକାର ବିଚିତ୍ର କାରବାର ନେଇ ପୋଲିସର କୋହଳ ମନୋଭାବ ରାଜଧାନୀର ଜନସାଧାରଣଙ୍କ ମନ ଭିତରେ ସୃଷ୍ଟି ହୋଇଥିବା ଏକପ୍ରକାର ନୈରାଶ୍ୟ ଓ ହତାଶା ଭାବକୁ ଅଧିକ ଦୃଢ କରୁଛି’ ।

ଏଥିରେ ସୌମ୍ୟରଂଜନ ସ୍ପଷ୍ଟ ଭାବେ ଉଲ୍ଲେଖ କରିଦେଇଛନ୍ତି ଯେ, ମାହାଙ୍ଗା ଘଟଣା ହେଉ କି କଳାହାଣ୍ଡି ଘଟଣା ହେଉ ବିରୋଧୀ  ଯେଉଁ ଦାବି ମନ୍ତ୍ରୀଙ୍କୁ ନେଇ ଉଠାଉଛନ୍ତି, ତାହାକୁ ଏଡାଇ ଦିଆଯାଉଛି । ଲୋକଙ୍କର ସନ୍ଦେହ ସରକାରଙ୍କ ପ୍ରତି ଅଧିକ ଘନିଭୂତ ହେବାରେ ଲାଗିଛି ।

ଶେଷରେ ସୌମ୍ୟରଂଜନ ଦଳ ଓ ସରକାରଙ୍କୁ ସତର୍କ କରିବାକୁ ଯାଇ କହିଛନ୍ତି,  ‘ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସ୍ୱଚ୍ଛତାର ଢାଲ ଧରି ଦଳ ରାଜନୈତିକ  କ୍ଷେତ୍ରରେ ଅଗ୍ରଗତି କରିଚାଲିଛି । ମମିତା ମେହେର ଘଟଣା ରାଜ୍ୟରେ ତୀବ୍ର ଆଲୋଡନ ସୃଷ୍ଟି କରିଥିଲା ବେଳେ ସୁଦ୍ଧା ଭିନ୍ନ ଭିନ୍ନ ଦଳର ନେତା ଓ କର୍ମୀଙ୍କୁ ନିଜ ଦଳକୁ ଟାଣି ଆଣି ବିଜେଡିର ନେତାମାନେ ନିଜ ଦଳର ଚୁମ୍ବକୀୟ ଲୋକପ୍ରିୟତାର ବାର୍ତା ପ୍ରସାରିତ କରିପାରୁଛନ୍ତି । ଗୋଟିଏ ରାଜନୈତିକ ଦଳ ହିସାବରେ ଏହା ଏକ ସମୟ ଉପଯୋଗୀ  ସୁଚିନ୍ତିତ କୌଶଳ ହୋଇପାରେ ଏବଂ ଏହାଦ୍ୱାରା ଜନମତକୁ ପ୍ରଭାବିତ କରାଯାଇପାରେ । ମାତ୍ର କ୍ଷମତାସୀନ ଦଳ ଏକଥା ମଧ୍ୟ ଭୁଲିବା ଉଚିତ ନୁହେଁ ଯେ ଏପ୍ରକାର ଆତ୍ମ-ନିର୍ମିତ ଅନୁକୂଳ ପରିବେଶକୁ ଖୁବ ବେଶି ବିଶ୍ୱାସ କରିବା ଆତ୍ମଘାତୀ ହେବ । କାରଣ ବିପଦ ସମୟରେ ନିଜର ଛାଇ ସୁଦ୍ଧା ମଣିଷର ପାଖ ଛାଡି ଚାଲି ଯାଏ । ଏ ଦୃଷ୍ଟିରୁ ନବୀନ ବାବୁଙ୍କ ଶାସନ ଯେଉଁ ସ୍ୱଚ୍ଛତା, ଦୁର୍ନୀତି ଓ ଅପରାଧ ପ୍ରତି ଶୂନ୍ୟ-ସହନଶୀଳତା ଆଦି ଗୁଣ ପାଇଁ ଲୋକପ୍ରିୟ ହୋଇଥିଲା ସେହି ଗୁଣଗୁଡିକୁ ଫେରାଇ ଆଣିବା ଦଳ ଏବଂ ସରକାର ଉଭୟଙ୍କ ପକ୍ଷେ ଜରୁରୀ’ ।

ଦଳ ପକ୍ଷରୁ ଏବେ ବିଭିନ୍ନ କାମରେ ବିରୋଧୀ ଓ କଂଗ୍ରେସ ନେତାମାନଙ୍କୁ ସାମିଲ କରାଯାଉଛି । ଦଳର ଭାବମୂର୍ତି ଠିକ ଅଛି । ଏବେବି ବିଜେଡିରେ ମିଶିବା ପାଇଁ ବଡ ବଡ ନେତାମାନେ ଆଗ୍ରହୀ । ଏଭଳି ଏକ ଧାରଣା ଦେବାଲାଗି ବିଜେଡି ପକ୍ଷରୁ ଯେଉଁ ମିଶ୍ରଣ ପର୍ବ ଚାଲିଛି, ତାକୁ ମଧ୍ୟ ସେ ସମାଲୋଚନା କରିଛନ୍ତି । ଏଭଳି କାର୍ଯ୍ୟ ଦଳ ପାଇଁ ଭବିଷ୍ୟତରେ କାଳ ହୋଇପାରେ ଏହା ସେ ସୂଚାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ  ଯେଉଁ ଶୂନ୍ୟ-ସହନଶୀଳତା ଥିଲା ତାକୁ ଯାହା ପାଇଁ ଆଜି ସେ ଓଡିଶାର ପୁରପଲ୍ଲୀରେ ବେଶ ପରିଚିତ । ତାହା କ୍ରମେ ଦୂର ହୋଇ ଯାଉଛି ବୋଲି ସୌମ୍ୟରଂଜନ ଦର୍ଶାଇବାକୁ ଚାହିଁଛନ୍ତି । ଦଳ ଓ ସରକାରଙ୍କ କାର୍ଯ୍ୟ ଧାରା ସହ ସେ ସହମତି ନୁହଁନ୍ତି ଏହା ସେ ଦର୍ଶାଇବାକୁ ଯାଇ ତେର୍ଚ୍ଛା ବାଣ ମାରିଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking