ଭୁବନେଶ୍ୱର : ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମୁହଁ ଖୋଲିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ରେଭେନ୍ସା ବିଶ୍ୱବିଦ୍ୟାଳୟର ଘଟଣାକୁ ଏକ ଆଭ୍ୟନ୍ତରୀଣ ମାମଲା ବୋଲି କହିବା ସହ ଏଥିରେ ରାଜନୈତିକ ହସ୍ତକ୍ଷେପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟରଞ୍ଜନ । ସେ କହିଛନ୍ତି, ଛୋଟ କଥାକୁ ନେଇ ଛାତ୍ରମାନେ ଆନ୍ଦୋଳନରେ ବସିଥିଲେ । ଏହା ରେଭେନ୍ସା ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ମାମଲା ଥିଲା । ତେବେ ଏଥିରେ କଟକ ସଦର ବିଧାୟକ କାହିଁକି ଅଯଥାରେ ହସ୍ତକ୍ଷେପ କରୁଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ବିଧାୟକମାନେ ପ୍ରଧାନମନ୍ତ୍ରୀଙ୍କଠାରୁ ଶିଖିବା ଦରକାର ବୋଲି ସେ କହିଛନ୍ତି । ଭୁଲ୍ ହୋଇଥିଲେ କ୍ଷମା ମାଗିବାରେ କୌଣସି ଛୋଟପଣ ନାହିଁ । ଜଣେ ବିଧାୟକ କ୍ଷମା ମାଗିଲେ ତାଙ୍କର ସମ୍ମାନ କମିଯିବ ନାହିଁ ବୋଲି ସେ ମତ ଦେଇଛନ୍ତି । ଏହି ବିବାଦକୁ ଆଉ ବଢ଼ାଇ ନଦେଇ ସମସ୍ତେ ଆଗକୁ ଆସି ଆଲୋଚନା ମାଧ୍ୟମରେ ସମାଧାନର ବାଟ ବାହାର କରିବାକୁ ସୌମ୍ୟରଞ୍ଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।










