ଭୁବନେଶ୍ୱର (ବିପିନ ସିଂ): ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ଦଳ ବିରୋଧରେ ଖୋଲା ଯୁଦ୍ଧଂଦେହି ଡ଼ାକରା ଦେଇଛନ୍ତି । ସେ ଦଳର ସବୁ ସୀମା ରେଖାକୁ ଟପିଯାଇଛନ୍ତି । ସବୁ ସୀମା ରେଖାକୁ ଟପି ଏବେ ବାଣ ପରେ ବାଣ ମାରି ଚାଲିଛନ୍ତି । ଦଳର ମୁଖିଆ ଓ ଦଳୀୟ ନେତା ଏବଂ କର୍ମକର୍ତ୍ତାମାନେ ଯେଉଁ ୫-ଟି ସଚିବ ଭି.କେ ପାଣ୍ଡିଆନ୍ଙ୍କୁ ଅଧିକ ଗୁରୁତ୍ୱ ମର୍ଯ୍ୟାଦା ଦେଉଛନ୍ତି ଏପରିକି ବାସ୍ତବ କ୍ଷେତ୍ରରେ ଯିଏ ଦଳର ଏବେ ମୁଖ୍ୟମନ୍ତ୍ରୀଙ୍କ ପରେ ମୁଖିଆ ସାଜିଛନ୍ତି ତାଙ୍କୁ ହିଁ ଆକ୍ରମଣ କରି ଚାଲିଛନ୍ତି । ୫-ଟି ସଚିବଙ୍କ କାର୍ଯ୍ୟାଧାରାକୁ ଦଳ ଭିତରେ ତାଙ୍କ ଗରୁତ୍ୱକୁ ସୌମ୍ୟରଞ୍ଜନ ସହ୍ୟ କରିପାରୁ ନାହାଁନ୍ତି । ଏକଥା ସ୍ପଷ୍ଟ । ସେଥିପାଇଁ ବାରମ୍ବାର ୫-ଟି ସଚିବଙ୍କ କାର୍ଯ୍ୟାଧାରାକୁ ନେଇ ପ୍ରଶ୍ନ ଉଠାଇ ଚାଲିଛନ୍ତି । ଯାହାଥିଲା ଏବେ ସବୁ ସୀମା ସରହଦକୁ ଉଲ୍ଲଘଂନ କରି ସୌମ୍ୟରଞ୍ଜନ ଆଜି ୫-ଟି ସଚିବଙ୍କୁ ଜଣେ ‘ଅପରାଧି’ କହିବାକୁ ପଛାଇ ନାହାଁନ୍ତି । ଏହା ତାଙ୍କ ପକ୍ଷରେ କେତେଦୂର ଗ୍ରହଣ ଯୋଗ୍ୟ ତାହା ବିଚାର ଯୋଗ୍ୟ । ପୂର୍ବରୁ ସେ ଦଳ ଓ ସରକାରଙ୍କୁ ‘ମାଫିଆ’ର ଆଖା ଦେଇଥିଲେ । ଏହି ଘଟଣାକୁ ନେଇ ବିଜେଡି କିଭଳି ପ୍ରତିକ୍ରିୟାଶୀଳ ହେଉଛି ତାହା ଦେଖିବା କଥା ।
ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ଖବର କାଗଜରେ ଲଗାତାର ଭାବରେ ବେଶ୍ କିଛି ଦିନ ହେଲା ୫-ଟି ସଚିବଙ୍କୁ ଟାର୍ଗେଟ କରି ତାଙ୍କ ‘ଆମ ଘରର ହାଲ୍ଚାଲ୍’ରେ ଲେଖି ଚାଲିଛନ୍ତି । ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କୁ ୫-ଟି ସଚିବଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ସଭାରେ ୫-ଟି ସଚିବ ଶୁଣାଇ ଜବାବ ରଖିଥିଲେ । ହେଲେ ଏକଥାକୁ ବୋଧ ହୁଏ ସୌମ୍ୟରଞ୍ଜନ ବିଶ୍ୱାସ କରିପାରୁ ନାହାଁନ୍ତି । ଇତି ମଧ୍ୟରେ ୫-ଟି ସଚିବ ୨୮ଟି ଜିଲ୍ଲା ଗସ୍ତ କରି ସାରିଲେଣି । ଆଉ ଦୁଇଟି ଜିଲ୍ଲା ବାକି ଅଛି । ତାଙ୍କ ସଭାରେ ବହୁ ସଂଖ୍ୟାରେ ଜନ ସମାଗମ ହେଉଛି । ସଭାକୁ ସଫଳ କରିବାକୁ ପାଇଁ ଦଳୀୟ ନେତାମାନେ ସହାୟତା କରୁଥିବାକୁ ସୌମ୍ୟରଞ୍ଜନ ନାପସନ୍ଦ କରି ସମାଲୋଚନା କରୁଛନ୍ତି । ତାଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିଲା । କେନ୍ଦ୍ରରୁ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଆସିଥିଲା । କିନ୍ତୁ କେନ୍ଦ୍ର ଗୃହ ସଚିବ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ପାଣ୍ଡିଆନ୍ଙ୍କ ସହ ବ୍ୟକ୍ତିଗତ ଭାବେ ନିବୃତ ଆଲୋଚନା କରିଥିଲେ । ଏଥିରେ ଏକ ବାର୍ତ୍ତା ସେ ଦେଲେ ଯେ, ପାଣ୍ଡିଆନ୍ ବିଜେପି ପାଇଁ କି କେନ୍ଦ୍ର ସରକାରଙ୍କ ପାଇଁ ଅଛୁଆଁ ନୁହଁନ୍ତି । ଯେଉଁ ପ୍ରଶ୍ନ ଚିଠି ଲେଖି ପଚରା ଯାଇଥିଲା ଯଦି ବାସ୍ତବରେ କେନ୍ଦ୍ର ତାଙ୍କୁ ଗୁରୁତ୍ୱ ଦେଇଥାଆନ୍ତା ତେବେ ଗୃହମନ୍ତ୍ରୀ ହୋଇ ଶାହ କେବେ ହେଲେ ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟି ନଥା’ନ୍ତେ ବୋଲି ଅନେକ ମତ ଦେଉଛନ୍ତି ।
ଶାହଙ୍କ ଗସ୍ତ ପରେ ଏବେ ୫-ଟି ସଚିବଙ୍କ ଜିଲ୍ଲାଗସ୍ତ ସମାବେସ ଅଧିକ ହେବାରେ ଦେଖାଦେଉଛି । ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ ପାଣ୍ଡିଆନ୍ଙ୍କ କାର୍ଯ୍ୟଧାରା ଉପରେ ମୋହର ଲଗାଇବାକୁ ଚାହୁଁ ନାହାଁନ୍ତି । ଯଦି ମୁଖ୍ୟମନ୍ତ୍ରୀ ଚାହୁଁ ନଥା’ନ୍ତେ ତେବେ ୨୮ଟି ଜିଲ୍ଲା ଗସ୍ତ ୫-ଟି ସଚିବ କରିପାରି ନଥା’ନ୍ତେ କି ଦଳୀୟ ନେତା କର୍ମୀମାନେ ସମର୍ଥନ ଦେଉ ନଥା’ନ୍ତେ । ସୌମ୍ୟରଞ୍ଜନ ତାଙ୍କ ଜନ୍ମ ଦିନରେ ‘ଆମ ଘରର ହାଲଚାଲ’ରେ ଅନେକ ବିଶେଦଗାର କରିଥିଲେ । ଜନ୍ମଦିନ ସଭାରେ ବି ୫-ଟି ସଚିବଙ୍କୁ ଛାଡ଼ି ନଥିଲେ । ଏପରିକି ପାଦେ ଆଗକୁ ଯାଇ ରାଜ୍ୟରେ ‘ମାଫିଆଙ୍କ ରାଜ୍’ ଚାଲିଛି କଟୁ ଆକ୍ଷେପ କରିଥିଲେ । ଓଡ଼ିଶାରେ ଯେଉଁ ବିଜେଡି ସରକାର ଚାଲିଛି ସେଥିରେ ମାଫିଆମାନେ ଅଛନ୍ତି ବୋଲି ସେ ରାଜ୍ୟବାସୀଙ୍କୁ ଜଣାଇବାକୁ ଚାହିଁଛନ୍ତି । ଏହି ମାଫିଆମାନଙ୍କୁ ହଟାଇବା ପାଇଁ ସେ ଆହ୍ୱାନ ଦେଇଥିଲେ । ଦଳୀୟନେତାମାନଙ୍କୁ ମାଫିଆ କହିବା ପରେ ବିଜେଡି ପକ୍ଷରୁ ସେଭଳି କିଛି ପ୍ରତିକ୍ରିୟା ପ୍ରକାଶ ପାଇଲା ନାହିଁ କି ଦଳୀୟ ନେତା ହୋଇଥିଲେ ବି ତାଙ୍କ ବିରୋଧରେ କୌଣସି କାର୍ଯ୍ୟକ୍ରମ ଗ୍ରହଣ କରାଗଲା ନାହିଁ ।
ଏବେ ସେ ଆଉପାଦେ ଆଗକୁ ଯାଇଛନ୍ତି । ୫-ଟି ସଚିବଙ୍କୁ ବିରୋଧ କରି କରି ଶେଷରେ ତାଙ୍କୁ ଅପରାଧୀର ଆଖ୍ୟା ଦେବାକୁ ପଛାଇ ନାହାଁନ୍ତି । ସୌମ୍ୟରଞ୍ଜନ ଲେଖିଛନ୍ତି ‘ମଞ୍ଚରେ କେବଳ ୫-ଟି ସଚିବଙ୍କୁ ଦେଖିବାକୁ ମିଳୁଛି । ଏହା ଏକ ଭିନ୍ନ ମାନସିକତାର ସୂଚନା ଦେଉଛି । ଅପରାଧି ନିଜ ଛାଇକୁ ଦେଖି ଡ଼ରିଲା ଭଳି ସେ ଅନ୍ୟ କାହାର ଉପସ୍ଥିତିକୁ ଆଦୌ ବରଦାସ୍ତ କରିପାରୁ ନାହାଁନ୍ତି ।’ ଏହି ଘଟଣାକୁ ବିଜେଡି କେତେଦୂର ଗ୍ରହଣ କରିବ ତାହା ହେଉଛି ବଡ଼ ପ୍ରଶ୍ନ । ସୌମ୍ୟରଞ୍ଜନ ଏଭଳି ମତ ରଖିବା ପୂର୍ବରୁ ଦଳ ଛାଡ଼ୁ ନାହାଁନ୍ତି କିମ୍ବା ଦଳ ତାଙ୍କ ବିରୋଧରେ କୌଣସି କାର୍ଯ୍ୟଧାରା ନେଉନି । ଯାହା ଫଳରେ ବିବାଦ ବଢ଼ି ବଢ଼ି ଚାଲିଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଯେଉଁ ଆକ୍ରମଣ ହେଲା ସେ ନେଇ ମଧ୍ୟ ସୌମ୍ୟରଞ୍ଜନ ପ୍ରଶ୍ନ ଉଠାଇଛନ୍ତି, ଯଦିଓ ଦଳ ସମର୍ଥନ ଦେଉଛି।
ହେଲେ ସୌମ୍ୟରଞ୍ଜନ ତାଙ୍କ ଲେଖାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉଲ୍ଲେଖ କରିଛନ୍ତି । ଯାହାର ଉତ୍ତର ଦଳ ସ୍ପଷ୍ଟ କରିବା ଦରକାର ବୋଲି ଅନେକ ମତ ରଖିଛନ୍ତି । କାଣର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭିମୁଖ୍ୟ ହେଉଛି ମହିଳାଙ୍କୁ ସମ୍ମାନ । ମହିଳାଙ୍କ ପାଇଁ ବିଜେଡି ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ଏ କ୍ଷେତ୍ରରେ ମଣିପୁର ଘଟଣାରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବାକୁ ଯାଇ ବିଜେଡି ପ୍ରବକ୍ତା ସାଂସଦ ପିନାକି ମିଶ୍ର ଯେଉଁ ମତ ରଖିଲେ ତାହା ମୁଖିଆ ନବୀନ ପଟ୍ଟନାୟକ ଆଭିମୁଖ୍ୟର ପରିପନ୍ଥୀ । ମଣିପୁରରେ ମହିଳାମାନଙ୍କ ପ୍ରତି ଯେଉଁ ନିର୍ଯ୍ୟାତନା ଓ ହିଂସା ହେଲା ଏପରି ଘଟଣା ନୂଆ ନୁହେଁ ବୋଲି କହି ସମର୍ଥନ ରଖିବାର ଅର୍ଥ ମହିଳା ନିର୍ଯ୍ୟାତନାକୁ ସମର୍ଥନ ଦେଲେ । କାରଣ ପିନାକି କହିଥିଲେ ମଣିପୁର ବୋଲି ଘଟଣା ଆଫ୍ରିକା ଓ ଅନ୍ୟ ଦେଶରେ ହୁଏ ବୋଲି ସେ ଲୋକସଭାରେ ଦର୍ଶାଇ ଥିଲେ । ଏ ନେଇ ସୌମ୍ୟରଞ୍ଜନ ତାଙ୍କ ଲେଖାରେ ପ୍ରଶ୍ନ ଉଠାଇଛନ୍ତି ।
ସୌମ୍ୟରଞ୍ଜନ ଗୋଟିଏ ପରେ ଗୋଟିଏ ସୀମା ଲଂଘି ପ୍ରଥମେ ‘ମାଫିଆ’ ଓ ଏବେ ‘ଅପରାଧି’ଭଳି ସାଂଘାତିକ ମତ ରଖି ନିଜର ସାହାସିକତାର ପରିଚୟ ଦେବାକୁ ଉଦ୍ୟମ କରିଛନ୍ତି । ହେଲେ ଏ କ୍ଷେତ୍ରରେ ଦଳର ମୁଖିଆ କି ପ୍ରକାର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।