17.1 C
Bhubaneswar
Monday, November 25, 2024
Homeଓଡିଶାଗର୍ଭବତୀଙ୍କ ଟିକାକରଣ ପାଇଁ ଏସ୍‌ଓପି : ୧୨ ସୁଦ୍ଧା ତାଲିମ ଶେଷ କର

ଗର୍ଭବତୀଙ୍କ ଟିକାକରଣ ପାଇଁ ଏସ୍‌ଓପି : ୧୨ ସୁଦ୍ଧା ତାଲିମ ଶେଷ କର

ଭୁବନେଶ୍ୱର: ରାଜ୍ୟରେ ଟିକା ନେବେ ଗର୍ଭବତୀ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏସ୍‌ଓପି ଜାରି ହୋଇଛି । ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏନେଇ ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି । ଗର୍ଭବତୀଙ୍କ ଟିକାକରଣ କ୍ଷେତ୍ରରେ ବିଶେଷ ଧ୍ୟାନ ଦେବା ସହ କିପରି ସମସ୍ତ ହିତାଧିକାରୀଙ୍କୁ ଟିକା ମିଳିପାରିବ ସେନେଇ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ଦୃଷ୍ଟିରେ ରଖାଯାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଏହି ଟିକାକରଣ କରାଯିବ ।

ଆସନ୍ତା ୧୦ ତାରିଖ ସୁଦ୍ଧା ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଗର୍ଭବତୀଙ୍କ ଟିକାକରଣ ସମ୍ବନ୍ଧୀୟ ସମସ୍ତ ତାଲିମ୍ ପ୍ରଦାନ କରାଯିବ । ଯାହାକୁ କି ୧୨ ତାରିଖ ସୁଦ୍ଧା ସମସ୍ତ କ୍ଷେତ୍ରସ୍ତରୀୟ କର୍ମଚାରୀ ଯଥା; ସ୍ୱାସ୍ଥ୍ୟକର୍ମୀ, ଏଲ୍‌ଏଚ୍‌ଭି, ଏଏନ୍‌ଏମ୍‌, ଟିକାଦାତା ଆଦିଙ୍କୁ ତାଲିମ୍ ପ୍ରଦାନ କରାଯିବ । ଆସନ୍ତା ୧୫ତାରିଖ ସୁଦ୍ଧା ସବୁ ଗାଁ ଗାଁରେ ଗର୍ଭବତୀଙ୍କୁ ଟିକା ନେବା ପାଇଁ ସଚେତନତା ତଥା ଟିକାର ଉପାଦେୟତା ପ୍ରତି ସତର୍କ କରାଯିବ । ଗାଁରେ କାମ କରୁଥିବା ଆଶା ଓ ଅଙ୍ଗନୱାଡ଼ିକର୍ମୀ ଟିକା ନେବାକୁ ଥିବା ଗର୍ଭବତୀଙ୍କ ତାଲିକା ଦେବା ସହ ସେମାନଙ୍କ ଟିକା ନେବା ସ୍ଥଳ ଓ ଟିକା ନେବା ତାରିଖ ବିଷୟରେ ସୂଚନା ଦେବେ । ୧୫ ତାରିଖଠାରୁ ରାଜ୍ୟରେ ଗର୍ଭବତୀଙ୍କ ଟିକାକରଣ ଆରମ୍ଭହେବ ବୋଲି ସମ୍ପୃକ୍ତ ଚିଠିରେ ଉଲ୍ଲେଖ ରହିଛି ।

ଏହା ସହ ଗର୍ଭବତୀ ନେଇଥିବା ଟିକା ଓ ତା’ର ତାରିଖ ସେମାନଙ୍କ ଏମ୍‌ସିପି କାର୍ଡରେ ଲିଖିତ ରହିବ । ବ୍ଲକ୍ ସ୍ତରରେ ପ୍ରତ୍ୟେକ ଦିନ ଗର୍ଭବତୀଙ୍କ ଟିକାକରଣର ସମସ୍ତ ତଥ୍ୟ ସନ୍ଧ୍ୟା ୬ଟା ସୁଦ୍ଧା ପ୍ରସ୍ତୁତ କରାଯିବ ଓ ୭ଟା ସୁଦ୍ଧା ଏହାକୁ ସ୍ୱାସ୍ଥ୍ୟ ବିଭାଗକୁ ହସ୍ତଗତ କରାଯିବ । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ, ଗର୍ଭବତୀଙ୍କ ଟିକା ନେବା ସମୟରେ ଟିକା କେନ୍ଦ୍ରରେ ସ୍ୱତନ୍ତ୍ର ପ୍ରତୀକ୍ଷାଳୟର ବ୍ୟବସ୍ଥା କରାଯିବ । ଯେଉଁଠି ଗର୍ଭବତୀଙ୍କ ସହ ନିୟମିତ ସ୍ୱାସ୍ଥ୍ୟକମୀମାନେ କଥାହେବେ । ଟିକା ନେବା ପରେ ସେମାନଙ୍କ ସ୍ୱାସ୍ଥ୍ୟ କିପରି ଅଛି ତା’ ଉପରେ ନଜର ରଖିବେ ବୋଲି ଉକ୍ତ ଚିଠିରୁ ପ୍ରକାଶ ପାଇଛି ।

ମାନସିକ ବିକାରଗ୍ରସ୍ତଙ୍କୁ ମିଳିବ ଟିକା
ରାଜ୍ୟରେ ଥିବା ସମସ୍ତ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଟିକା ମିଳିବ । ଏନେଇ ଶୁକ୍ରବାର ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି । ନିଜ ନିଜ ଅଞ୍ଚଳରେ ଥିବା ମାନସିକ ବିକାରଗ୍ରସ୍ତ ରୋଗୀଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବା ପାଇଁ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଖାଲି ସେତିକି ନୁହେଁ, ରାଜ୍ୟରେ ବହୁ ଲୋକ ଅଛନ୍ତି, ଯେଉଁମାନଙ୍କର କିଛି ପ୍ରମାଣପତ୍ର ନାହିଁ । ନିଜ ନିଜ ଅଞ୍ଚଳରେ ଥିବା ଏହିପରି ବ୍ୟକ୍ତିଙ୍କୁ ମଧ୍ୟ ଏହି ଟିକାକରଣରେ ସାମିଲ କରାଯିବାକୁ ଯୋଜନା ରହିଛି । ଯଦି କେହି ମାନସିକ ବିକାରଗ୍ରସ୍ତ ମହିଳା ଗର୍ଭବତୀ ହୋଇଥାନ୍ତି, ତେବେ ସେ ମଧ୍ୟ ଟିକା ନେଇପାରିବେ ବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି । ତେବେ ପ୍ରତି ସପ୍ତାହର ସୋମବାର ଦିନ ସ୍ୱାସ୍ଥ୍ୟ ବିଭାଗକୁ ଏନେଇ ସପ୍ତାହକର ତଥ୍ୟ ପ୍ରଦାନ କରାଯିବ । ବ୍ଲକ୍ ସ୍ତରରେ ଏହା ପରିଚାଳନା କରାଯିବାକୁ ଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଦାରଖ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking