ଭୁବନେଶ୍ୱର: ବିରଳ ଏସ୍ଏମ୍ଏ(ସ୍ପାଇନାଲ ମସ୍କୁଲାର ଆଟ୍ରୋପି) ରୋଗରେ ପିଡ଼ିତ କନ୍ଧମାଳର ୧୯ ମାସର ଶିଶୁ ରାଜବୀର ରଣାଙ୍କ ପାଇଁ ଓଡ଼ିଶାରୁ କୌଣସି ସହାୟଣା ନମିଳିବାରେ ବଲିଉଡ୍ ଷ୍ଟାର ସୋନୁ ସୁଦଙ୍କ ପାଖରେ ପହଞ୍ଚିଛନ୍ତି ତାଙ୍କ ପିତାମାତା । ରାଜବୀରଙ୍କ ଚିକିତ୍ସା ପାଇଁ ୧୬ କୋଟି ଟଙ୍କା ଆବଶ୍ୟକ । ଏଣୁ ସ୍ୱତନ୍ତ୍ର ଭିଡିଓ ଜାରି କରି ରାଜବୀରଙ୍କ ପାଇଁ ସହାୟତା ଭିକ୍ଷା କରିଛନ୍ତି ନିଜେ ସୋନୁ ସୁଦ । ରାଜବୀରଙ୍କ ପିତାମାତା ବାଙ୍ଗାଲୋରରେ ଅବସ୍ଥାପିତ ଥିବାବେଳେ ପୁଅର ଏହି ରୋଗ ବିଷୟରେ ସେହିଠାରେ ଜାଣିବାକୁ ପାଇଥିଲେ । ତାଙ୍କୁ ବିରଳ ଏସ୍ଏମ୍ଏ ରୋଗ ହୋଇଥିବା ଡାକ୍ତର ଜଣାଇଥିଲେ ।
ତେବେ ଚିକିତ୍ସା ପାଇଁ ଆବଶ୍ୟକ ୧୬ କୋଟି ଟଙ୍କା ଯୋଗାଡ଼କରିବା ଦମ୍ପତିଙ୍କ ପାଇଁ ଅସମ୍ଭବ ଥିଲା । ତେଣୁ, ସେମାନେ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା ଭିକ୍ଷା କରିଥିଲେ । ନବୀନ ନିବାସ ଆଗରେ ସେ କିଛି ଦିନ ପୁଅକୁ ଧରି ବସିଥିଲେ । ହେଲେ ପୋଲିସ ସେଠାରୁ ତାଙ୍କୁ ଉଠାଇ ଦେଇଥିଲା । ଏହାପରେ ସେ ମୁମ୍ବାଇ ଯାଇ ଅଭିନେତା ସୋନୁ ସୁଦଙ୍କ ସାହାଯ୍ୟ ଲୋଡ଼ିଛନ୍ତି । ସୋନୁ ମଧ୍ୟ ରାଜବୀରଙ୍କ ଚିକିତ୍ସା ଖର୍ଚ୍ଚ ଉଠାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ପ୍ରକାଶ ଯେ ଏସ୍ଏମ୍ଏରେ ପିଡ଼ିତ ଥିବା ଯୋଗୁଁ ରାଜବୀରଙ୍କ ମେରୁଦଣ୍ଡରେ ସମସ୍ୟା ରହିଛି । ଏହି ସକାଶେ ନା ସେ ଛିଡ଼ା ହୋଇପାରୁଛନ୍ତି ନା ବସିପାରୁଛନ୍ତି । ସେ କେବଳ ତଳେ ସିଧା ହୋଇ ଶୋଇପାରୁଛନ୍ତି । ଅନ୍ୟବେଳେ ତାଙ୍କୁ କାନ୍ଧରେ ଧରି ବୁଲୁଛନ୍ତି ବାପା ମା’ । ବର୍ତ୍ତମାନ ରାଜବୀର ଜୀବନ ମରଣ ସହ ଲଢ଼େଇ କରୁଥିବା ବେଳେ ବହୁ କଷ୍ଟ ମଧ୍ୟ ଭୋଗୁଛନ୍ତି । ଏଣୁ ତାଙ୍କପାଇଁ ସହାୟତାର ହାତ ବଢ଼ାନ୍ତୁ ବୋଲି ନିଜେ ସୋନୁ ସୁଦ ଅନୁରୋଧ କରିଛନ୍ତି ।