ସୋନପୁର : ସମ୍ପ୍ରତି ଓଡିଶା ରାଜ୍ୟ ରାଇଫଲ ଏସୋସିଏସନ ଆନୁକୁଲ୍ୟରେ ୧୦ମ ରାଜ୍ୟ ସୁଟିଙ୍ଗ ପ୍ରତିଯୋଗିତା ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ସୋନପୁରର ୧୩ ବର୍ଷ ବୟସ୍କ ଝିଅ “ଦିବ୍ୟାଶା” ପ୍ରିୟଦର୍ଶିନୀ ଚୋପଦାର” ଉତ୍କୃଷ୍ଟ ପ୍ରଦର୍ଶନ ସହିତ ୧୭୭ ଓପନ ସାଇଟ ରାଇଫଲ (୧୦) ମିଟର ଜୁନିୟର ବର୍ଗରେ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣପଦକ ପ୍ରାପ୍ତ କରିଛନ୍ତି। ଦିବ୍ୟାଶା ବିଗତ ଦୁଇବର୍ଷ ମଧ୍ୟରେ ଅନେକ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରତ୍ୟେକ ଥର ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, “ଦିବ୍ୟାଶା” ତାଙ୍କର ମୁଖ୍ୟ ଇଭେଣ୍ଟ ୧୦ ମିଟର ଏୟାର ପିସ୍ତଲ (ISSF/ ଅଲମ୍ପିକ ଇଭେଣ୍ଟ )ରେ ଅନେକ ପୁରସ୍କାର ତଥା ଗୋଲ୍ଡ ମେଡାଲ ହାସଲ କରିଛନ୍ତି ଏବଂ ପଶ୍ଚିମବଙ୍ଗର “ଆସାନସୋଲ” ଠାରେ ହୋଇଥିବା ଇଷ୍ଟଜୋନ ପ୍ରତିଯୋଗିତାରେ ଓଡିଶା ପାଇଁ ପ୍ରତିନିଧିତ୍ଵ କରି ଉନ୍ନତ ସ୍କୋର ସହିତ ଜାତୀୟ ଶୁଟିଂ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଓଡିଶା ପାଇଁ ପ୍ରତିନିଧିତ୍ଵ କରି ଶୁଟିଂ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିବାରେ ସମଗ୍ର ସୁବର୍ଣ୍ଣପୁର ତଥା ଅଭିଭକ୍ତ ବଲାଙ୍ଗିର ଜିଲ୍ଲାପାଇଁ “ଦିବ୍ୟାଶା” ହେଉଛନ୍ତି ପ୍ରଥମ ଗୌରବ । ଏଣୁ ମିସ ଦିବ୍ୟାଶାଙ୍କୁ ସୋନପୁର ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ବର୍ଗର ଲୋକେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଶୁଟର ଦିବ୍ୟାଶା ହେଉଛନ୍ତି ସୋନପୁର ମଝିପଡ଼ାର ଶୁଷୁଶ୍ରୀ ପାତ୍ର ଏବଂ ବରିଷ୍ଠ ସମାଜସେବୀ ତଥା ସାମ୍ବାଦିକ ଦିଲ୍ଲୀପ କୁମାର ଚୋପଦାରଙ୍କ ସୁପୁତ୍ରୀ ।