ରାଉରକେଲା: ଦିନକୁ ଦିନ ହତ୍ୟା ଆତ୍ମହତ୍ୟା ଭଳି ଘଟଣା ବଢିବାରେ ଲାଗିଛି । ପାରିବାରିକ କଳହରୁ ମଧ୍ୟ ଅନେକ ଜୀବନ ଯାଉଥିବା ଜଣାପଡିଛି । ତେବେ ଏଭଳି ଏକ ଘଟଣା ଏବେ ସନ୍ଦେହ ଘେରରେ ଥିବା ଜଣାପଡିଛି । ତାହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ଏବେ ପ୍ରଶ୍ନ ଉଙ୍କିମାରୁଛି ସମସ୍ତଙ୍କ ମନରେ । ଏଭଳି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଆଇଟି କଲୋନୀରେ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଆଇଟି କଲୋନୀରେ ଥିବା ଘର ନଂ B/୭ ର ଗ୍ରୀଲ୍ ଗତ ଗୁରୁବାରଠୁ ଭିତର ପଟୁ ବନ୍ଦ ରହିଛି। ଘର ଲୋକଙ୍କ ଦେଖା ମିଳୁନି । ହେଲେ ଘର ଭିତରୁ ବାହାରୁଛି ଦୁର୍ଗନ୍ଧ । ଏହି ଘର ମାଲିକ ପ୍ରମୋଦ ରାଉତ ନାମକ ବ୍ୟକ୍ତି ବୋଲି ଜଣାପଡ଼ିଛି । ସେ କାଂଶବାହାଲ ଗୋଆଲପଡ଼ାର ରଞ୍ଜିତ ପ୍ରସାଦ ନାମକ ଜଣେ ବ୍ୟକ୍ତିଙ୍କୁ ୪ ମାସ ତଳେ ଭଡାରେ ଘର ଦେଇଥିଲେ । ରଞ୍ଜିତ ସ୍ଥାନୀୟ ଡାଲମିଆ ରିଫେକ୍ଟରୀରେ ମେକାନିକାଲ ବିଭାଗରେ କାର୍ୟ୍ୟରତ ଥିଲେ । ରଞ୍ଜିତ ପ୍ରେମ ବିବାହ କରି ଘର ଛାଡ଼ି ଏଠାରେ ଭଡ଼ାରେ ରହୁଥିଲେ । ସେ ସ୍ତ୍ରୀ କଳ୍ପନା ପ୍ରସାଦ ଚିନୁ , ତିନି ବର୍ଷର ଝିଅ କନକ, ଦେଢ଼ ବର୍ଷର ପୁଅଙ୍କ ସହିତ ରହୁଥିଲେ। ଗୁରୁବାର ସକାଳେ ଶେଷଥର ପାଇଁ ରଞ୍ଜିତ ଓ ତାଙ୍କ ପରିବାର ଲୋକଙ୍କୁ ଦେଖିଥିଲେ । ପରେ ତାଙ୍କ ପରିବାରର କାହାକୁ ଦେଖି ନ ଥିବା ପୁଲିସ୍ ସମ୍ମୁଖରେ କହିଛନ୍ତି ପଡିଶା ଲୋକେ । ଘର ବାରଣ୍ଡାରେ ରଞ୍ଜିତଙ୍କ ସ୍କୁଟିଥିବା ମଧ୍ୟ ଦେଖାଯାଇଛି ।
ଘର ବନ୍ଦ ରହିବା ଏବଂ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ସନ୍ଦେହରେ ରଞ୍ଜିତଙ୍କ ପଡୋଶୀ ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ପହଞ୍ଚି ପଚରାଉଚରା କରୁଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟ ପହଞ୍ଚି ନ ଥିବାରୁ ଘରର ତାଲା ଭଙ୍ଗା ଯାଇପାରି ନାହିଁ । ଘରର ତାଲା ଭଙ୍ଗାଯିବା ପରେ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଲୋଚନା ହେଉଛି ।