ଭୁବନେଶ୍ୱର :୨୦୨୩-୨୪ ଶିକ୍ଷାବର୍ଷରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ବୁଧବାର ପ୍ରକାଶ ପାଇଛି । ଚଳିତ ବର୍ଷ ଏକକ ପିଜି ନାମଲେଖା ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ନାମଲେଖା ପ୍ରକ୍ରିୟା ତ୍ୱରିତ ସାରିବା ଓ ଶିକ୍ଷାବର୍ଷ ଅନୁଯାୟୀ ପିଲାଙ୍କ ନାମଲେଖା ସାରିବାକୁ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ୱ ଦେଇଥିବାବେଳେ ଚଳିତ ବର୍ଷର ନାମଲେଖା ପ୍ରକ୍ରିୟା ଅଗଷ୍ଟ ସୁଦ୍ଧା ଶେଷ କରିବାକୁ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ଚଳିତ ବର୍ଷର ଏକକ ପିଜି ପ୍ରବେଶିକା ଜୁନ୍ ୨୩ରୁ ଆରମ୍ଭ ହୋଇ ଜୁଲାଇ ୪ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏନେଇ ଆବେଦନ ପ୍ରକ୍ରିୟା ମେ’ ୧ରୁ ଆରମ୍ଭ ହୋଇ ୧୦ ତାରିଖରେ ସରିବ । ମେ ୧୧ ଓ ୧୨ ତାରିଖରେ ଛାତ୍ରଛାତ୍ରୀ ଫର୍ମରେ ସଂଶୋଧନ କରିବେ । ପ୍ରବେଶିକା ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ଼ ଜୁନ୍ ୯ ତାରିଖରେ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ । ଏସଏସବି ଦ୍ୱାରା ପରୀକ୍ଷା ପରିଚାଳନା ହେବାକୁ ଥିବା ବେଳେ ୧୬ ଜୁଲାଇ ସୁଦ୍ଧା ଓକାକ୍ ପିଲାଙ୍କ ପରୀକ୍ଷା ମାର୍କ ଏସଏସବି ନିକଟରେ ଦାଖଲ କରିବ । ସେହିପରି ଜୁଲାଇ ୮ରୁ ୧୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସ୍ନାତକ ମାର୍କ ଆପଲୋଡ୍ ହେବ ।
ପ୍ରବେଶିକାର ୮୦ ପ୍ରତିଶତ ଓ ୨୦ ପ୍ରତିଶତ କ୍ୟାରିୟର ମାର୍କକୁ ଭିତ୍ତି କରି ପିଲାଙ୍କୁ ସିଟ୍ ଆବଣ୍ଟନ କରାଯିବ । ମାତ୍ର ଚଳିତ ବର୍ଷ କ୍ୟାରିୟ ମାର୍କ ପାଇଁ କେବଳ ସ୍ନାତକକୁ ଗ୍ରହଣ କରାଯିବ । ପୂର୍ବ ବର୍ଷ ଭଳି ମାଟ୍ରିକରୁ ସ୍ନାତକ ଯାଏଁ ମାର୍କକୁ ବିଚାରକୁ ନିଆଯିବ ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛ । ତେବେ ପିଜି ପ୍ରବେଶିକା ପରୀକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀ ୱେବସାଇଟ୍ରୁ ସମସ୍ତ ତଥ୍ୟ ପାଇ ପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତିରେ ଦର୍ଶାଇଛି ।