କଟକ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ପଠାଯାଇଛି କାରଣ ଦର୍ଶାଅ ନୋଟିସ୍ । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ ଏହି ନୋଟିସ୍ ଜାରି କରିଛନ୍ତି । ୨ ସପ୍ତାହ ଭିତରେ ଜବାବ ଦେବାକୁ କଟକ ବାରବାଟୀ ବିଧାୟକ ମୋକିମଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ କଂଗ୍ରେସ ମିଡିଆ ସେଲ ମୁଖ୍ୟ ସତ୍ୟପ୍ରକାଶ ନାୟକ ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିଲେ ମହମ୍ମଦ ମୋକିମ । ଦଳୀୟ ନିର୍ଦ୍ଦେଶ ନମାନି ଭୋଟ ଦେଇଥିଲେ ମୋକିମ । ଏହା ସହ କଂଗ୍ରେସ ବିରୋଧରେ ଅପପ୍ରଚାର କରୁଥିବା ନେଇ ମୋକିମଙ୍କ ଉପରେ ଅଭିଯୋଗ ହୋଇଛି ।
ତେବେ ଦଳର ନିଷ୍ପତ୍ତି ବିରୋଧରେ ଯାଇ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ଏହା ପରେ ମୋକିମ କହିଥିଲେ ଯେ, ‘ମୁଁ ବ୍ୟକ୍ତିଗତ ଭାବେ ବିଚାର କରି ଭୋଟ ଦେଇଛି । ଜଣେ ଓଡ଼ିଆ ଓ ଆଦିବାସୀ ମହିଳା ହୋଇଥିବାରୁ ମୁଁ ଦ୍ରୌପଦୀଙ୍କୁ ଭୋଟ ଦେଇଛି । ସମ୍ବିଧାନର ସର୍ବୋଚ୍ଚ ପଦରେ ଜଣେ ଓଡ଼ିଆ ବସିବାକୁ ଯାଉଥିବାରୁ ଓଡ଼ିଆଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଦ୍ରୌପଦୀଙ୍କୁ ଭୋଟ ଦେଇଛି । ଆଉ ଭାବୁଛି ଭୋଟ ଦେଇ ମୁଁ ଠିକ୍ କରିଛି । ବିବେକ ଅନୁଯାୟୀ ଭୋଟ ଦେଇଛି ।’