17.1 C
Bhubaneswar
Monday, November 25, 2024

ପଣତ

 ??
ସହର ରେ ଥିବା ନିଜ ଘରକୁ ଯିବା ବୋଲି ମା’ କୁ ଡାକିନେଇ, ବୃଦ୍ଧାଶ୍ରମ ରେ ପହଞ୍ଚିଲା ପ୍ରତାପ। ଆଗରୁ କଥାବାର୍ତ୍ତା ସାରିଥିଲା ବୃଦ୍ଧାଶ୍ରମ ସହ। ମାସକୁ ରହିବା ଖାଇବା ପାଇଁ ଟଙ୍କା ପାଞ୍ଚହଜାର ଭଡା। ଭଲ ରୁମ, ଫ୍ୟାନ, ଲାଇଟ, ଡାକ୍ତର, ନର୍ସ, କେୟାର ଟେକର, ମନୋରଞ୍ଜନ ପାଇଁ ଟିଭି, ବାହାରେ ବସିବା ପାଇଁ ବେଞ୍ଚ, ବାହାରେ ସୁନ୍ଦର ବଗିଚା, ସବୁ କିଛି ଥିଲା ସେ ବୃଦ୍ଧାଶ୍ରମ ରେ। ଖାଲି ଯାହା ଭଡା ଟିକେ ଅଧିକ। ହଉ ପଛେ, କିନ୍ତୁ ସବୁଦିନ ପାଇଁ ମା ପାଖରୁ ନିସ୍ତାର ମିଳୁ। ବୟସ ଅଧିକ ହେଇନି, କାମ ଦାମ କୁ ପାରୁଛି, ଗାଁ ରେ ରହିବାକୁ ଇଚ୍ଛା ତା ର। କିନ୍ତୁ ଗାଁ ଜମି ନ ବିକିଲେ ଇଏମଆଇ ପଇସା କୁଆଡୁ ଦେବ? ଏବେ ଏବେ ପଇଁଚାଳିସ ଲକ୍ଷ ଖର୍ଚ୍ଚ କରି ଘରଟେ କିଣିଛି ସେ ଲୋନ ରେ। ଏତେ ପଇସା କୁଆଡୁ ଆସିବ?
ସହର ର ଚାକଚକ୍ୟ ଭରା ଜୀବନ ଛାଡି ସେ କଣ ଗାଁ କୁ ଯିବ ନା ଗାଁ ରେ ରହିବ?? ତାପରେ ସ୍ତ୍ରୀ କେଉଁଠି ରଖେଇ ଦେବ ମା’ କୁ?? ସେ ତ ଶାଶୁ କୁ ଦେଖିଲେ ଖଣ୍ଡେ ଦୂରକୁ ଡିଆଁ ମାରେ, ଖବର ବୁଝିବ କଣ? ଏପଟେ ମା’ କୁ ଗାଁ ଘରୁ ଅନ୍ୟତ୍ର ନ ନେଲେ, ଘର ଡିହ ବିକ୍ରି ହୋଇ ପାରିବ ନାହିଁ। ମା’ କଣ ରାଜି ହେବ? ତେଣୁ କଳେବଳେ ମା କୁ ଅନ୍ୟତ୍ର ନେଇ ଗଲା ପରେ ସେ ବିକ୍ରି କରି ପାରିବ ଗାଁ ଘର ଖଣ୍ଡକ ବୋଲି ଏତେ ଫନ୍ଦି ଫିକର।
ମା ସୁନୟନା, ବୃଦ୍ଧାଶ୍ରମ ର ଫାଟକ ସାମ୍ନା ରେ ଥିବା ଫଳକ ଦେଖି ଜାଣି ପାରିଲେ ବୋଧେ। ଆଖି ରୁ ଧାର ଧାର ଲୁହ ବୋହି ପଡୁଥିଲେ ବି ପୁଅ ଖରାପ ବୋଲି ପାଟିରୁ ବାହାରୁ ନଥିଲା ତାଙ୍କର। ନିଜକୁ ନିଜେ କୋଶି ଚାଲିଥିଲେ। ସଂସ୍କାର ଦେବାରେ କେଉଁଠି କଣ ଉଣା ରହିଗଲା ବୋଲି ନିଜକୁ ଧିକ୍କାରି ସ୍ୱାମୀ ସହଦେଵ ଙ୍କୁ କ୍ଷମା ମାଗୁଥିଲେ ସେ।
ରେଜିଷ୍ଟର ରେ ଦସ୍ତଖତ କରି ଏକ ମୁହାଁ ହୋଇ ଚାଲି ଆସିଲେ ପ୍ରତାପ ବାବୁ। ମା’ କୁ ଆଖି ଟେକି ଚାହିଁବାର ସତସାହାସ ଟିକକ ହରେଇ ସାରିଥିଲେ ସେ। ମା’ ପାଇଁ ଓ ଗାଁ ଘର ପାଇଁ ମନରେ ଟିକେ ଟିକେ ଦୁଃଖ ଆସୁଥିଲେ ବି ସ୍ତ୍ରୀ ଙ୍କ କଥା,” ଦେଖ, ଆଜି ଯାଉଛ, ସେ ଜମି ବିକ୍ରି କରି ଫେରିବ, ନହେଲେ ରହିବ ସେଇଠି। ମୁଁ ଆଉ ମୋ ପୁଅ ଏଇଠି ରହିଯିବୁ। ପୁଅ ପାଇଁ କାଲି ସକାଳ କୁ ଘର ଖଣ୍ଡେ ନଥିଲେ ସେ ଚଳିବ କେମିତି??” ଭାବି ଭାବି ଦୁଃଖ ମିଶା ଡର ରେ ବସ ଧରିଲେ ସେ।
 ଦିନ ବାରଟା ବାଜିଲାଣି। ଆଜି ସନ୍ଧ୍ୟା ରେ ଜମି କିଣିବା ପାଇଁ ଲୋକ ଆସିବ। କାଲି ସୁଦ୍ଧା ଘର ର ସବୁ ଆସବାଵ ପତ୍ର ହଟେଇବାକୁ ପଡିବ। ସକାଳୁ ମା କୁ ଧରି ସହର ବାହାରିଥିଲେ ହେଲେ ଖାଇବା କଥା ଭୁଲି ଯାଇଛନ୍ତି ସେ। ମା’ ବି ସକାଳୁ ଖାଇନି କିଛି। ହେ ଭଗବାନ, କେଉଁଠି କଣ ଟିକେ ମା କୁ ଖାଇବାକୁ ଦେଇ ଦେଇଥିଲେ ହେଇ ନଥାନ୍ତା? କିନ୍ତୁ ମା’ କୁ କେମିତି ଛାଡିବେ ବୃଦ୍ଧାଶ୍ରମ ରେ ବୋଲି ଚିନ୍ତା ରେ ଆଉ କିଛି ମନେ ନଥିଲା ତାଙ୍କର। ଯାହା ହେଉ, ମା’ କିଛି କହିନି। ଭଲରେ ଭଲରେ, ସୁରୁଖୁରୁ ରେ କାମ ହେଇଗଲା। ମା’ ଏବେ ବୃଦ୍ଧାଶ୍ରମ ରେ, ବାକି କାମ ଆଜି ସାରି କାଲି ସୁଦ୍ଧା ଫେରିବାକୁ ପଡିବ ଘରକୁ। ଭାବି ଭାବି ବସ ଭିତରେ ଶୋଇ ପଡ଼ିଥିଲେ ପ୍ରତାପ ବାବୁ। କଣ୍ଡକ୍ଟର ର ଡାକ ରେ ନିଦ ଭାଙ୍ଗିଲା, ବସ ରୁ ଓଲ୍ଲେହି ଘର ମୁହାଁ ହେଲେ।
ଖାଇବା ବେଳ ଗଡି ଗଲାଣି, ଦିନ ଆସି ତିନିଟା। ଭୋକ ରେ ପେଟ କଁ କଁ ଡାକ ଛାଡୁଥାଏ। ଦୋକାନ ରୁ ଅଣ୍ଡା ଦୁଇଟି ଧରି ଘରକୁ ପଶିଲେ ସେ। ପୋଷାକ ବଦଳି ଦେଇ, ଗାଧେଇ ଆସି ଡାକଛାଡିଲେ ସେ,”ମା, ମା’, ଖାଇବାକୁ ବାଢ଼ିଲୁ”।
ହଠାତ ନିଜ ଡାକରେ ଚମକି ପଡିଲେ। ଆରେ, ମା’ ତ ସେଠି। ଚୁଲି ଲଗେଇ, ଅଣ୍ଡା ଦୁଇଟି ଆମଲେଟ କରି, ହାଣ୍ଡିରୁ ପଖାଳ ବାଢି ନିଜେ ନିଜେ ଖାଇଲେ। ଆଜି ଯାଏଁ ଭାତ ହାଣ୍ଡି କେବେ ବି ଛୁଇଁ ନଥିଲେ ସେ । ମା’ ର ହାତ ରନ୍ଧା ପଖାଳ ତାଙ୍କୁ ତିରିଶ ବର୍ଷ ତଳକୁ ଠେଲି ନେଉଥିଲା। ଏଇ ଘରେ କେତେ ଅଝଟ, କେତେ ଅଳି ଅର୍ଦଳି କରିଛନ୍ତି ସେ। ସବୁ ସହିଛନ୍ତି ତାଙ୍କ ବାପା- ମା’। ବାପା ତାଙ୍କର ଥିଲେ ଏକ ଅଫିସ ରେ ଷ୍ଟେନୋ। ସ୍ୱଳ୍ପ ସଞ୍ଚୟ ଭିତରେ ଜମି କିଣି ଏ ଘର ଖଣ୍ଡିକ କରିଥିଲେ ସେ। ପ୍ରତାପ ଙ୍କୁ ପାଠ ପଢ଼ାଉ ପଢ଼ାଉ ସବୁ ଟଙ୍କା ସରି ଯାଉଥିଲା। ହେଲେ ବି କେବେ ଦୁଃଖ ରେ ନଥିଲେ ସେ। ମା’ ବି ସାଥ ଦେଉଥିଲା ତାଙ୍କର। ମା’, ବାପା ଏବେ ମନେ ପଡୁଥିଲେ ତାଙ୍କର।
ଅଧା ଖାଇ ଉଠିଗଲେ ସେ। ମା’ ର ଶେଜ ଉପରେ ଗଡ ପଡ଼ ହେଉ ହେଉ ମା’ କଥା ଭାବୁଥିଲେ ସେ। ଜୀବନ ରେ ବିଚାରୀ କେତେ କଷ୍ଟ ସହି ମଣିଷ କଲା ମୋତେ। ବାପା, ପେଟରୁ କାଟି, ଏଇ ଘର ଖଣ୍ଡିକ ତିଆରି କରିଥିଲେ। ପୁଅ କୁ ବାହା କରୁ କରୁ ବୋହୁ କହିଲା ସହର ରେ ରହିବ, ଗାଁ ରେ ରହି ପାରିବନି। ବାହାଘର ର କିଛି ଦିନ ପରେ ବୋହୁ ଚାଲିଗଲା ସହର କୁ। ବାପା ଚାଲିଲେ ମଶାଣି କୁ। ବାପା ଗଲା ପରେ, ଗାଁ ରେ ମା’, ସେମିତି ରହିଲା ପଛେ ବୋହୁ କେବେ ଶାଶୁ କୁ ଡାକିଲାନି କି ଶାଶୁ ଗଲାନି। ଆଉ ଆଜି? ସେ ଘରକୁ ଯିବାକୁ ଡାକି ଆସିଛି ବୋଲି କେଡେ ଶ୍ରଦ୍ଧା ରେ ବାହାରି ଥିଲା, ହେଲେ ପହଞ୍ଚିଲା ବୃଦ୍ଧାଶ୍ରମ ରେ।
ନିଜକୁ ନିଜେ ବୁଝାଉଥିଲା ପ୍ରତାପ, କଣ ବି କରିଥାନ୍ତା ସେ? ସେପଟେ ଇଏମଆଇ ଦେବାକୁ ପଇସା ଦରକାର ଥିଲା। ବୋହୁ ତ ଶାଶୁ ସହ ଚଳି ପାରିବନି। ଏପଟେ ପ୍ରତାପ ର ଏତେ ବି ବଡ ଚାକିରୀ ନୁହେଁ ଯେ ସେ ସବୁ ସମ୍ଭାଳି ପାରିବ ଏକାଥରେ। ତେଣୁ ଶେଷ ନିଷ୍ପତ୍ତି ନେଇଥିଲା ସେ। ସେଇଥିପାଇଁ ତ ଖୋଜିଥିଲା ଭଲ ବୃଦ୍ଧାଶ୍ରମ। ମା’ କୁ ଭଲ ଗୋଟିଏ ବୃଦ୍ଧାଶ୍ରମ ରେ ଛାଡି ଏ ଘର ଡିହ ଖଣ୍ଡିକ ବିକ୍ରି କରିବାକୁ ବସିଥିଲା ସେ।
ପ୍ରାୟ ତିନିଘଣ୍ଟା ପରେ ନିଦ ଭାଙ୍ଗିଲା ତାର। ସନ୍ଧ୍ୟା ହୋଇ ଯାଇଥିଲେ ବି କିଣିବା ଲୋକ ଆସି ନଥିଲା ଏଯାଏଁ। ଆଜି ଆଉ ଆସିବନି ବୋଧେ। ତେବେ କାଲି ଆସିବ, ସକାଳୁ। ଘରର ଆସବାଵପତ୍ର ସଜାଡି ବାକୁ ପଡିବ। ଆସବାବପତ୍ର କହିଲେ ମା’ ର ଏ ଛୋଟ ସିଂଧୁକ ଗୋଟେ, ତା’ର ବାସନ କୁସନ ଦୁଇଖଣ୍ଡ ସହ ଚାରିଟି ଲୁଗା। ସେତିକି ଥିଲା ତା’ର ସମ୍ବଳ। ସିନ୍ଧୁକ ଖୋଲି ଗୋଟେ ପରେ ଗୋଟେ ଜିନିଷ ଦେଖି ଚାଲିଲା ସେ।
ପାଞ୍ଚଶହ ଅଠର ଟଙ୍କା, କିଛି କାଗଜ ପତ୍ର, ମା’ ଆଉ ବାପାଙ୍କ ବାହାଘର ବେଳର ଫୋଟୋ ସହ ଅଜା ଆଇ ଓ ଜେଜେବାପା ଓ ଜେଜେମା ଙ୍କ ଫୋଟୋ ପାଇଲା ସେ। କାଗଜ ଗୁଡିକ ଅଦରକାରୀ କି ଦରକାରୀ ଦେଖିବାକୁ ଲାଗିଲା ସେ। ବାପା, ଦେଇଥିବା ଚିଠି କେଇଖଣ୍ଡକୁ ସାଇତି ରଖିଥିଲା ମା’। ଚିଠି ଗୁଡିକ ଗୋଟେ ପରେ ଗୋଟେ ଖୋଲି ପଢିବାକୁ ଲାଗିଲେ ସେ….
୧.
ସ୍ନେହ ର ମିନି,
ସ୍ନେହ ନେବ। ଏତେ ଦିନର ଅପେକ୍ଷା ଭାରି କଷ୍ଟ ଦେଉଛି। ଖୁବ ଶୀଘ୍ର ଅଫିସ କାମ ସାରି ଘରକୁ ଫେରିବି। ତିନିମାସ ବିତି ଗଲାଣି, ତୁମ କଥା ଭାରି ମନେ ପଡୁଛି।
….
 ହେଲେ ଆମ ନିଜ ଗାଁ ଛାଡି ଅନ୍ୟ ଗାଁ ରେ ଘର କରିବାକୁ ମୁଁ କାଇଁ ଠିକ ବୋଲି ଭାବୁନି। ମୁଁ ଜାଣୁଛି ପ୍ରତାପ ର ତୁମେ ସାବତ ମା’। ହେଲେ ତାକୁ ନିଜ ମା’ ଭଳି ସ୍ନେହ ରେ ଲାଳନ ପାଳନ କରୁଛ। କାଳେ କିଏ ତା ଆଗରେ ଏକଥା କହିଦେବ ସେ ଡର ରେ ତୁମେ ଗାଁ ଛାଡିବାକୁ ନିଷ୍ପତ୍ତି ନେଇଛ। ଠିକ ଅଛି ତୁମେ ଯାହା ଭାବୁଛ, ସେଇୟା କର…
….
ଇତି ତୁମର ମୁଁ…
୨.
ସ୍ନେହର ମିନି,
…..
ମୁଁ ଜାଣିଛି, ତୁମେ ଆଉ ଥରେ ମା’ ହେବାକୁ ଇଛୁକ ନଥିଲ, ହେଲେ ବ୍ୟସ୍ତ ହୁଅନି, ଆମର ଝିଅ ହେବ। ପ୍ରତାପ ତ ଅଛି, ତା ପିଠିକୁ ଝିଅ ଟିଏ ଆସିଲେ ସମସ୍ତେ ଖୁସି ହେବେ।
…..
ଇତି ତୁମର ମୁଁ…
୩.
ସ୍ନେହ ର ମିନି,
ଜୋର କରି ଅନ୍ୟ ଜାଗାରେ ଘର ତିଆରି କରେଇଲ, ପଇସା ସବୁ ଲୋନ ସୁଝିବାରେ ଯାଉଛି। ଏ ମାସରେ ଦରମା ମିଳିନି, ସେପଟେ ଘର ଚଳିବା ପାଇଁ ପଇସା, ଘର କାମ ପାଇଁ ପଇସା, ପ୍ରତାପ ର ଖର୍ଚ୍ଚ,ସବୁ କେମିତି କଣ ହେବ ଭାବି ମୁଣ୍ଡ କାମ କରୁନି। ହଉ ଦେଖିବା କଣ ହଉଛି।
ଇତି ତୁମର..
୪.
ସ୍ନେହ ର ମିନି,
….
ପଇସା ନଥିଲା ବୋଲି ଆର ମାସରେ ତୁମ ଗହଣା ବନ୍ଧା ପକେଇଲ। ପ୍ରତାପ ପାଇଁ ଏବେ ସାଇକେଲ ନ କିଣିଥିଲେ ହୋଇ ନଥାନ୍ତା? ତୁମ ଯୁକ୍ତି ବି କାଟିବାର ନଥିଲା। କହିଲ କଣ ନା , “ଗୋଟିଏ ବୋଲି ତ ପୁଅ।”
  ଥରେ ଗର୍ଭବତୀ ହେଲ, ହେଲେ ଆଉ ଜଣେ ଆସିଲେ କାଳେ ପ୍ରତାପ ପ୍ରତି ତୁମ ସ୍ନେହ କମିଯିବ, ସେ ଡର ରେ ନିଜେ ଯାଇ ଗର୍ଭପାତ କରେଇ ଆସିଲ। କାରଣ ଶୁଣି ତୁମ ପ୍ରତି ସ୍ନେହ ଓ ଭଲ ପାଇବା ଆହୁରି ବଢ଼ିଗଲା।
….
ଇତି…
୫.
ସ୍ନେହ ର ମିନି,
….
ଦେଖ, ମୁଁ ବିବାହିତ। ସ୍ତ୍ରୀ, ଅଜଣା ରୋଗରେ ମରି ଯାଇଛି। ପ୍ରତାପ ନାମରେ ମୋର ବର୍ଷକର ପୁଅଟିଏ ଅଛି। ମୋର ଷ୍ଟେନୋ ଚାକିରୀ। ମଝିରେ ମଝିରେ ଚାରି, ଛଅ ମାସ ପାଇଁ କମ୍ପାନୀ କାମରେ ଅନ୍ୟ ବ୍ରାଞ୍ଚ ଅଫିସ କୁ ଯିବାକୁ ପଡେ। ମା’ ଆଉ ପାରୁନି, ଆଜି ଯାଏଁ ସେ ସବୁ ଦାୟିତ୍ୱ ନେଉଥିଲା। ତେବେ ତୁମେ ମୋତେ ବାହା ହୋଇ ଆସିଲେ ତୁମକୁ ପୁଅ ର ଦାୟିତ୍ୱ ନେବାକୁ ପଡିବ। ତୁମକୁ, ସାବତ ପୁଅ ର ଧ୍ୟାନ ରଖିବାକୁ ପଡିବ। ହେଲେ ନିଜ ପୁଅ କି ଝିଅ ହେଲା ପରେ ଯେମିତି ୟାକୁ ହତାଦର ନ କର, ଏତିକି ମୁଁ ଆଶା କରିବି।
….
ଇତି…
୬.
ସ୍ନେହ ର ମିନି,
ଘରଟି ପ୍ରତାପ ନାଁ ରେ କଲ, କାଲି କୁ ସୁବିଧା ଅସୁବିଧା ହେଲେ କିଏ ବୁଝିବ? ମୁଁ ଜାଣିଛି, ଆମ ପୁଅ କେବେବି ଆମକୁ ହତାଦର କରିବନି, କିନ୍ତୁ ଘରଟି ତୁମ ନାଁ ରେ ଥିଲେ ମୁଁ ନିଶ୍ଚିନ୍ତ ରେ ମରି ପାରିଥାନ୍ତି। ଏବେ ସିନା ସେ ବାହା ହେଇନି, ବାହା ହେଲାପରେ କଣ ହେବ କିଏ ଜାଣିଛି?
ଇତି….
୭.
ସ୍ନେ…ହ… ର ମି…ନି…,
….
ଜା…ଣି….ଛ….
ଆଖିରୁ ଲୁହ ବାହାରି ଅକ୍ଷର ସବୁ ଜାଲୁଜାଲୁଆ ଦେଖା ଯାଉଥିଲେ, ଆଉ ପଢିବାକୁ ଇଚ୍ଛା ନଥିଲା ପ୍ରତାପ ର। ଥପ ଥପ ହୋଇ ଲୁହ ଭାବେ ଖସି ପଡୁଥିଲା ତା ସ୍ୱାର୍ଥ ର ବକ୍କଳ। ଚିଠି ଗୁଡିକ ସିରିଆଲି ନ ଥିଲେ ବି ପୁରା ଘଟଣା ସେ ବୁଝି ପାରୁଥିଲା। ଛୋଟ ବେଳର ସ୍ମୃତି ସବୁ ଆଖି ଆଗରେ ଭାସି ବୁଲୁଥିଲେ। ନିଜ ଉପରେ ଖୁବ ରାଗ ଆସୁଥିଲା ତାର। ଚିଠି ସବୁ ପଢି ବହୁତ ଗୁଡିଏ ପ୍ରଶ୍ନ ର ଉତ୍ତର ମିଳୁ ନଥିଲା ତାକୁ। ତେବେ ସେ ଏତିକି ଜାଣିଲା ଯେ….
— ମୁଁ ପ୍ରତାପ, ସୁନୟନା ଙ୍କ ସାବତ ପୁଅ??
 ହେଲେ ଏ ଜୀବନ କାଳ ଭିତରେ କେବେବି ମା’, ସାବତ ପୁଅ ଭଳି ବ୍ୟବହାର କରିନି। ଯେଉଁ ମା’, ସାବତ ପୁଅ କୁ ନିଜ ପୁଅ ଭଳି ପାଳିପାରେ। ଗାଁ ଲୋକ କାଳେ କିଏ ପ୍ରତାପ କୁ କଣ କହିଦେବେ ବୋଲି ଗାଁ ଛାଡି ଅନ୍ୟ ଜାଗାରେ ଘର କରି ଜୀବନ ସାରା ରହିପାରେ। ପଇସା ନଥିଲା ବେଳେ,ଖଣ୍ଡେ ସାଇକେଲ ପାଇଁ ନିଜ ଗହଣା କୁ ବନ୍ଧା ପକେଇ ଦେଇପାରେ। କାଳେ ନିଜର ଛୁଆ ଆସିଲେ ସାବତ ପୁଅ ହତାଦର ହେବ, ସେ ଚିନ୍ତା ରେ ଗର୍ଭବତୀ ହେବାକୁ ଇଚ୍ଛା ପ୍ରକାଶ ନ କରିପାରେ ଆଉ ଗର୍ଭ ରହିଲା ପରେ ବି ଗର୍ଭପାତ କରେଇ ଦେଇ ପାରେ, ସେପରି ମା’ କୁ ସେ ଆଜି ମାତ୍ର କେତୋଟି ପଇସା ପାଇଁ ଛାଡି ଆସିଛି ବୃଦ୍ଧାଶ୍ରମ ରେ?? ଧିକ, ଶତ ଧିକ ଏଭଳି ପୁଅକୁ।
ନିଜ ଉପରେ ଭାରି ରାଗ ଆସୁଥିଲା ତାକୁ। ନିଜ ମା’ ତ ଛୁଆଙ୍କ ପାଇଁ ସବୁ କରେ, ହେଲେ ସାବତ ମା’ ? ଚାହିଁଥିଲେ ତାକୁ ହତାଦର କରି, ଖାଇବାକୁ ନଦେଇ, କେଉଁ ଏକ ମୂଲିଆ ଭଳି ଜୀବନ ବଞ୍ଚିବାକୁ ବାଧ୍ୟ କରି ପାରିଥାନ୍ତା। ଏଭଳି ଦେବୀ ଜଣଙ୍କୁ ସେ ଆଜି ଫୋପାଡ଼ି ଦେଇ ଆସିଛି। ସବୁ କିଛି ଜାଣିଲା ପରେ ବି କାହିଁକି କେଜାଣି ପଦେ କଥା କହି ନଥିଲା ମା’। ବୃଦ୍ଧାଶ୍ରମ ରୁ ଫେରିଲା ବେଳେ ମା’ ର କରୁଣ ଆଖି ଦୁଇଟି ବହୁତ କଥା କହି ଯାଉଥିଲେ ହେଲେ ଅଜ୍ଞାନତା ପାଇଁ ସେ କିଛି ବି ପଢି ପାରି ନଥିଲା….
ଆଖିରୁ ଲୁହ ପୋଛି ଘର ର ଚାରି ପଟକୁ ଚାହିଁଲା ସେ। ଏଇ ଘରେ ସେ ଛୋଟ ରୁ ବଡ ହେଇଛି। ଆଜି ଯାଏଁ ବି ଘରକୁ ଆସିଲେ ଗୋଟେ ବି କାମ କରେନି ସେ। କୂଅରୁ ପାଣି କାଢ଼ିବା, ରୋଷେଇ କରିବା, ବାସନ ମାଜିବା ସହ ପ୍ରତାପ ଗାଧେଇବ ବୋଲି ବି ମା ପାଣି କାଢି ରଖିଥାଏ। ହେଲେ ପୁଅ ହେଇ, ସେ କଲା କଣ??
ମୋବାଇଲ ବାହାର କରି Whatsapp ରେ ଲେଖିବାକୁ ଲାଗିଲା ସେ।
 ” ମୁଁ ଗାଁ ଘର ବିକ୍ରି ନ କରିବାକୁ ନିଷ୍ପତ୍ତି ନେଇଛି। ଆଜିଠୁ ମୁଁ ଏଇଠି ରହିବି, ମୋ ମା’ ସହ। ମୋ ପରି, କାଲି ସକାଳୁ ଯଦି ଆମ ପୁଅ ଆମକୁ ବୃଦ୍ଧାଶ୍ରମ ରେ ଛାଡେ, ସେଠି ତୁମେ ଚଳି ପାରିବ ତ? ତେଣୁ ତୁମେ ଯଦି ମୋ ପାଖେ ରହିବାକୁ ଇଛୁକ, ତେବେ ପୁଅ କୁ ଧରି ଏଠିକି ଆସ। ସହର ରେ ଥିବା ଘର ର ଇଏମଆଇ ମୁଁ ଓଭର ଟାଇମ କରି ସୁଝିବି। କିନ୍ତୁ ମୋ ଜୀବନ ଥିବା ଯାଏଁ ମୁଁ ଏ ଘର କି ମୋ ମା’ କାହାକୁ ବି ଛାଡି ପାରିବି ନାହିଁ”….
କହିବା ବାହୁଲ୍ୟ…ପରଦିନ ସକାଳୁ ସକାଳୁ ସୁନୟନା ଙ୍କ ପାଇଁ ଏକ ନୂତନ ସୁରୁଜ ଉଦୟ ହୋଇଥିଲା, ମା ପୁଅ ଦୁହେଁ କୋଳାକୋଳି ହୋଇ ଫେରୁଥିଲେ ଘରକୁ….ମା’ ର ପଣତ କାନି ଆଜି ଆହୁରି ଭଲ ବାସୁଥିଲା…

 

ସୋସାଲ ମେଡିଆ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking