ୱାଶିଂଟନ୍: ଆମେରିକାରେ ପୁଣି ଗୁଳିକାଣ୍ଡ ଘଟିଛି । ଓକଲାହୋମାର ମେମୋରିଆଲ ଡେ ଫେଷ୍ଟିଭାଲରେ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି । ଆମେରିକା ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଓକଲାହୋମାରେ ମେମୋରିଆଲ ଡେ ଫେଷ୍ଟିଭାଲ ଚାଲିଥିବା ବେଳେ ଜଣେ ବନ୍ଧୁକଧାରୀ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ ।
ସେଠାରେ କେହି କିଛି ଜାଣିବା ଆଗରୁ ଅତର୍କୀତ ଗୁଳିଚାଳନା ଆରମ୍ଭ କରିଥିଲା ଦୁର୍ବୃତ୍ତ ଜଣକ । ତେବେ ଦୁର୍ବୃତ୍ତର ଗୁଳିରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୭ଜଣ ମଧ୍ୟ ଆହତ ହୋଇଛନ୍ତି । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଦୁର୍ବୃତ୍ତ ଜଣକ ସେଠାରୁ ଖସିଯାଇଛି । ସୂଚନାଯୋଗ୍ୟ, ଏଇ କିଛିଦିନ ତଳେ ଆମେରିକାରେ ଜଣେ ଯୁବକ ଏକ ସ୍କୁଲ ଉପରେ ଗୁଳି ଚଳାଇଥିଲେ । ଫଳରେ ଛାତ୍ରଛାତ୍ରୀଙ୍କ ସହ ୨୧ଜଣଙ୍କ ମୃତ୍ୟୁ ହୋଇଥିଲା । ସେଠାରେ ଉପସ୍ଥିତଥିବା ସିକ୍ୟୁରିଟି ଗାର୍ଡ ମଧ୍ୟ ଯୁବକଙ୍କ ଉପରେ ପାଲଟା ଗୁଳିକରିବାରୁ ଯୁବକ ଜଣକଙ୍କ ମୃତ୍ୟୁ ହୋଇଥିଲା ।