30.1 C
Bhubaneswar
Saturday, October 5, 2024
Homeଅପରାଧଫିରିଙ୍ଗିଆ ବିଲୁପଦର ଗାଁରେ ଗୁଳିକାଣ୍ଡ ଘଟଣା : ୪ ଗିରଫ, ଦେଶୀ ବନ୍ଧୁକ ଜବତ

ଫିରିଙ୍ଗିଆ ବିଲୁପଦର ଗାଁରେ ଗୁଳିକାଣ୍ଡ ଘଟଣା : ୪ ଗିରଫ, ଦେଶୀ ବନ୍ଧୁକ ଜବତ

ଫୁଲବାଣୀ : ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତ ବିଲୁପଦର ଗାଁରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଫିରିଙ୍ଗିଆ ପୁଲିସ ଏକ ଦେଶୀ ବନ୍ଧୁକ ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନଙ୍କ ମଧ୍ୟରେ ଦୁଇଜଣ ଅଭିଯୁକ୍ତ ଡ଼ିମିରିଗୁଡା ପଞ୍ଚାୟତ ଶ୍ରୀପଳା ଗାଁର ସଞ୍ଜୟ ସାହାଣୀ ଓ ସୁନ୍ଦର ସିଂ ସାହାଣୀ ବୋଲି ଜଣାପଡ଼ିଛନ୍ତି । ସେହିପରି ଆଉ ୨ ଜଣ ହେଲେ ବାଡ଼ିଗୁଡା ଗାଁର ସୁମନ କହଁର ଓ ପେଣଗିରି ଗାଁର ଅକ୍ଷୟ ବେହେରା । ଏହି ଘଟଣାରେ ପୁଲିସ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରି ପି. ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି ।

ଗତକାଲି ସନ୍ଧ୍ୟା ୫ଟା ସମୟରେ ଏହି ବିଲୁପଦର ଗାଁରେ ହୋଇଥିବା ଗୁଳିକାଣ୍ଡ । ଏଥିରେ ଜଣେ ୧୦ ବର୍ଷର ନାବାଳକ ସହ ଜଣେ ୨୨ ବର୍ଷର ଯୁବତୀ ଗୁରୁତର ହୋଇଥିଲେ । ବିଲୁପଦର ଗାଁର ମହେଶ୍ୱର ସାହାଣୀ ନାମକ ଜଣେ ବ୍ୟକ୍ତିଙ୍କ ଭଉଣୀ ପ୍ରଭାସିନୀ ସାହାଣୀ (୨୨) ଓ ତାଙ୍କ ୧୦ ବର୍ଷର ପୁଅ ଶୋଭାଯନ ସାହାଣୀ । ଘର ବାରଣ୍ଡାରେ ବସିଥିବା ବେଳେ ୪ ରୁ ପାଞ୍ଚ ଜଣ ବ୍ୟକ୍ତି ହଟାତ ଆସିମହେଶ୍ୱର ସାହାଣୀଙ୍କ ଭଉଣୀ ଓ ତାଙ୍କ ୧୦ବର୍ଷର ପୁଅ ଉପରକୁ ଅତର୍କିତ ଗୁଳି ଚଳାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଉଭୟ ଗୁରୁତର ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ପି. ଶ୍ୟାମସୁନ୍ଦର ରାଓ ତାଙ୍କ ଟିମ ସହ ପହଞ୍ଚି ନିଜେ ପୁଲିସ ଗାଡ଼ିରେ ଆହତମାନଙ୍କୁ ପ୍ରଥମେ ନୂଆପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଇ ଦିଆଯାଇଛି ।

ପୁଲିସର କହିବା ଅନୁସାରେ ସୋମବାର ସକାଳୁ ଗୋରୁ ବ୍ୟବସାୟକୁ କେନ୍ଦ୍ର କରି ମହେଶ୍ୱର ସାହାଣୀ ଓ ଶ୍ରୀପଳା ଗାଁର ସଞ୍ଜୟ ସାହାଣୀଙ୍କ ମରେ ଗଣ୍ଡଗୋଳ ହୋଇଥିଲା । ଏହାକୁ କେନ୍ଦ୍ର କରି ସନ୍ଧ୍ୟା ସମୟରେ ଅଭିଯୁକ୍ତ ସଞ୍ଜୟ ସହ ଅନ୍ୟ ତିନି ଜଣ ଅଭିଯୁକ୍ତ ମହେଶ୍ୱରଙ୍କୁ ଆକ୍ରମଣ କରିବା ପାଇଁ ତାଙ୍କ ଘରକୁ ଆସିଥିଲେ । ମହେଶ୍ୱରଙ୍କୁ ଘରେ ନ ପାଇବାରୁ ଘର ବାଟରେ ବସିଥିବା ମହେଶ୍ୱରଙ୍କ ପୁଅ ଓ ତାଙ୍କ ଭଉଣୀଙ୍କ ଉପରକୁ ଗୁଳି କରିଥିଲେ । ଘଟଣାସ୍ଥଲରେ ଫିରିଙ୍ଗିଆ ପୁଲିସ ପହଞ୍ଚି ତଦନ୍ତ ଜାରିରଖିଥିଲେ ।

ତେବେ ଘଟଣା ଘଟିବାର ମାତ୍ର ୧୬ ଘଣ୍ଟା ମଧ୍ୟରେ ଫିରିଙ୍ଗିଆ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାରୁ ଫିରିଙ୍ଗିଆ ପୁଲିସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ପୁଲିସ ଲୋକଙ୍କୁ ଭୟଭିତ ନହେବା ପାଇଁ ଅନୁରୋଧ କରିଛି । ବର୍ତ୍ତମାନ ଆହତମାନେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଅନ୍ୟପଟେ ଅଭିଯୁକ୍ତମାନକୁ ଧରିବା ପାଇଁ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରଯାଇଥିଲା । ଏହି ଟିମ୍‌ରେ ଅତିରିକ୍ତ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳଙ୍କ ସହ ଏସ୍‌ଏଇ ବିକାଶ କୁମର ଜାଲି, କୃଷ୍ଣଚନ୍ଦ୍ର ଗୌଡ଼ ଓ ଅନ୍ୟମାନେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking