ଖଲ୍ଲିକୋଟ: ଗାଁରେ ଦୀର୍ଘ ଦିନ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ଶତ୍ରୁତା । ଗୋଟିଏ ଗୋଷ୍ଠୀର ସମର୍ଥକଙ୍କ ବିବାହ ଶୋଭାଯାତ୍ରାରେ ଭୟଭୀତ କରିବା ପାଇଁ ଅନ୍ୟ ଗୋଷ୍ଠୀର ଜଣେ ଯୁବକ ପିସ୍ତଲରୁ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲେ । ଗୁଳିଟି ଯାଇ ଜଣେ ବ୍ୟକ୍ତିଙ୍କ ଘର କାନ୍ଥରେ ବାଜି ତଳେ ପଡ଼ିଥିଲା । ଏଭଳି ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ପଞ୍ଚାୟତର ଲୋଙ୍ଘର ଗ୍ରାମରେ । ବୁଧବାର ରାତିରେ ଯାଉଥିବା ଏକ ବିବାହ ଶୋଭାଯାତ୍ରାରେ ହଠାତ ଗୁଳି ଫୁଟିଥିଲା ।
ଶୋଭାଯାତ୍ରାରେ ଯାଉଥିବା ବରଯାତ୍ରୀମାନେ ଗୁଳି ଶବ୍ଦ ଶୁଣି ଭୟଭୀତ ହୋଇଥିଲେ । ଗୁଳିଟି ଧବଳ ସେନାପତିଙ୍କ ଘର କାନ୍ଥରେ ବାଜି ତଳେ ପଡ଼ିଥିଲା । ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ହିମାଂଶୁ ଶେଖର ପାତ୍ର ଘଟଣା ସ୍ଥଳରେ ପହଞ୍ôଚ ଯାଞ୍ଚ କରିଥିଲେ । ତଳେ ପଡ଼ିଥିବା ଗୁଳିକୁ ଜବତ କରିଥିବା ବେଳେ ବହୁ ଖୋଜାଖୋଜି ସତ୍ତ୍ୱେ ଖୋକା ମିଳି ନ ଥିଲା । ପରବର୍ତ୍ତୀ ସମୟରେ ସେହି ଗ୍ରାମର ଆଶିଷ ସାହୁଙ୍କ ଅଭିଯୋଗକୁ ଭିତ୍ତି କରି ଖଲ୍ଲିକୋଟ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୁଲିସ୍ ଅନୁସନ୍ଧାନକୁ ଜୋରଦାର କରିଛି ।
ପାରିପାର୍ଶ୍ୱିକ ସ୍ଥିତି ଓ ସିସିଟିଭି ଫୁଟେଜ୍କୁ ଯାଞ୍ଚ ପରେ ଆଜି ସେହି ଗ୍ରାମର ଜିତେନ୍ଦ୍ର ପାହାନ(୨୧)ଙ୍କୁ ଗିରଫ କରିଛି ପୁଲିସ । ତା’ ନିକଟରୁ ପୁଲିସ ଗୋଟିଏ ୯ ଏମ୍ଏମ୍ ପିସ୍ତଲ ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରିଛି । ଜିତେନ୍ଦ୍ର ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୩୦୭ ଓ ଆର୍ମସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।