ମୁମ୍ବାଇ: ବିଗ୍ ବସ୍ ୧୩ର ପ୍ରତିଯୋଗୀ ଶେହନାଜ୍ ଗିଲ୍ ଏବେ ସଲ୍ମାନ ଖାନ୍ଙ୍କ ‘କିସି କା ଭାଇ କିସି କା ଜାନ୍’ରେ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ବଲିଉଡ୍ରେ ଏଣ୍ଟ୍ରି ପୂର୍ବରୁ ତାଙ୍କୁ ଆଉ ଏକ ବଡ଼ ପ୍ରୋଜେକ୍ଟ ମିଳିଯାଇଛି । ପ୍ରଯୋଜକ ନିଖିଲ ଆଡଭାନିଙ୍କ ନୂଆ ଫିଲ୍ମରେ ଶେହନାଜ ନଜର ଆସିବାକୁ ଯାଉଛନ୍ତି ।
ରିପୋର୍ଟ ଅନୁସାରେ, ଏହି ଫିଲ୍ମ ୫ ମହିଳାଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି । ଏଥିରେ ଶେହନାଜଙ୍କ ବ୍ୟତୀତ ବାଣୀ କପୁର ମଧ୍ୟ ଅଛନ୍ତି । କୁହାଯାଉଛି, ମହିଳା କେନ୍ଦ୍ରୀକ ଏହି ଫିଲ୍କରେ ସମସ୍ତ ଅଭିନେତ୍ରୀଙ୍କୁ ପ୍ରମୁଖ ଚରିତ୍ର ମିଳିବ । ଗତ ବର୍ଷ ଏହାର ଶୁଟିଂ ଆରମ୍ଭ ହେବାକୁ ଥିବାବେଳେ ତାହା ବନ୍ଦ ଥିଲା । ଆସନ୍ତା ମାର୍ଚ୍ଚରେ ଏହାର ଶୁଟିଂ ଚାଲିବ । ଶେହନାଜ ଏହି ଚରିତ୍ରରେ ନିଜକୁ ଫିଟ୍ କରିବା ପାଇଁ ବେଶ୍ ପରିଶ୍ରମ କରୁଛନ୍ତି ।
ଏପରିକି ଅଭିନୟ ଟ୍ରେନିଂ ମଧ୍ୟ ନେଉଛନ୍ତି । ମିତାକ୍ଷରା କୁମାର ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି । ମିତାକ୍ଷରୀ ଏବେ ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲିଙ୍କ ୱେବ୍ ସିରିଜ୍ ‘ହୀରା ମଣ୍ଡି’ରେ କାମ କରୁଛନ୍ତି । ଶେହନାଜଙ୍କ ହାତରେ ପ୍ରଯୋଜକ ରିଆ କପୁରଙ୍କ ନୂଆ ଫିଲ୍କ ମଧ୍ୟ ରହିଛି । ଏହାର ନିର୍ଦ୍ଦେଶନା ରିଆଙ୍କ ସ୍ୱାମୀ କରଣ ବୁଲାନୀ ଦେବେ । ଏହି ଫିଲ୍କରେ ଅଭିନେତା ଅନିଲ କପୁର ଏବଂ ଅଭିନେତ୍ରୀ ଭୂମି ପେଡନେକର ବି ରହିଛନ୍ତି । କୁହାଯାଉଛି ଯେ ରିଆ କପୁରଙ୍କ ଏହି ଫିଲ୍ମ ମର୍ଡର୍ଣ୍ଣ ରିଲେଶସନଶିପ୍ ଉପରେ ପର୍ଯ୍ୟବେସିତ ।