ନୂଆଦିଲ୍ଲୀ: ଚଳିତ ଆଇସିସି ଦିନିକିଆ ବିଶ୍ୱକପ୍ର ନକ୍ଆଉଟ୍ ରାଉଣ୍ଡ୍ ପୂର୍ବରୁ ବାଂଲାଦେଶ ଟିମ୍କୁ ବଡ଼ ଝଟ୍କା ଲାଗିଛି । ବାମ ତର୍ଜନୀ ଆଙ୍ଗୁଠିରେ ଫ୍ରାକ୍ଚର୍ କାରଣରୁ ଟିମ୍ର କ୍ୟାପ୍ଟେନ୍ ସାକିବ୍ ଅଲ୍ ହସନ୍ ବିଶ୍ୱକପ୍ର ବାକି ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି । ସୋମବାର ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ବ୍ୟାଟିଂ ବେଳେ ସାକିବ୍ଙ୍କୁ ଆଘାତ ଲାଗିଥିଲା । ମ୍ୟାଚ୍ ପରେ ହୋଇଥିବା ଏକ୍ସ-ରେ ପରେ ସାକିବ୍ଙ୍କ ଫ୍ରାକ୍ଚର୍ ସମ୍ପର୍କରେ ସ୍ପଷ୍ଟ୍ ହୋଇଛି ।
ଫଳରେ ସେ ଏବେ ନଭେମ୍ବର ୧୧ରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ସମେତ ବିଶ୍ୱକପ୍ର ବାକି ମ୍ୟାଚ୍ରୁ ବାହାର ହୋଇଯାଇଛନ୍ତି । ସୂଚନାଯୋଗ୍ୟ ସୋମବାର ଶ୍ରୀଲଙ୍କା ବିପକ୍ଷରେ ସାକିବ୍ ୬୫ ବଲ୍ରେ ୧୨ ଚୌକା ଓ ୨ ଛକା ସହାୟତାରେ ୮୨ ରନ୍ର ଚମତ୍କାର ଇନିଂସ୍ ଖେଳିଥିଲେ । ତାଙ୍କର ଏହି ଇନିଂସ୍ ବଳରେ ବାଂଲାଦେଶ ଶ୍ରୀଲଙ୍କାକୁ କଡ଼ା ମୁକାବିଲାରେ ୩ ୱିକେଟ୍ରେ ପରାଜିତ କରିଥିଲା ।