30.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଯୌନଶିକ୍ଷା ପାଶ୍ଚାତ୍ୟ ଚିନ୍ତାଧାରା ନୁହେଁ : ସୁପ୍ରିମକୋର୍ଟ

ଯୌନଶିକ୍ଷା ପାଶ୍ଚାତ୍ୟ ଚିନ୍ତାଧାରା ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଯୌନ ଶିକ୍ଷା ପାଶ୍ଚାତ୍ୟ ଚିନ୍ତାଧାରା ବୋଲି ଆମ ଦେଶରେ ସାର୍ବଜନିକ ଭାବେ ଏକ ଧାରଣା ରହିଛି । ଏପରି ଚିନ୍ତାଧାରା ଠିକ୍ ନୁହେଁ । ଏହା ପାରମ୍ପରିକ ଭାରତୀୟ ମୂଲ୍ୟବୋଧର ବିପରୀତ ବୋଲି ଯେଉଁ ଦୃଷ୍ଟିକୋଣ ରହିଛି ତାହା ବିଭିନ୍ନ ରାଜ୍ୟ ସରକାରଙ୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିଛି। ପରିଣାମସ୍ୱରୂପ କିଛି ରାଜ୍ୟରେ ସ୍କୁଲରେ ସେକ୍ସ ଏଜୁକେସନ ବା ଯୌନ ଶିକ୍ଷା ଉପରେ କଟକଣା ଲଗାଯାଇଛି ବୋଲି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ଜେ.ବି ପାରଦିୱାଲାଙ୍କ ଖଣ୍ଡପୀଠ କହିଥିଲେ, ଏପରି ଚିନ୍ତାଧାରର ପ୍ରଭାବ ବ୍ୟାପକ ।

ଏହା ଦ୍ୱାରା ପ୍ରଭାବୀ ଯୌନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନରେ ବାଧା ଉପୁଜିଥାଏ, ଯାହା ଫଳରେ ଅନେକ କିଶୋର କିଶୋରୀ ସଠିକ୍ କଥା ଜାଣିପାରି ନ ଥାନ୍ତି । ଏହି କାରଣରୁ କିଶୋର କିଶୋରୀ ତଥା ଯୁବ ବୟସ୍କମାନେ ଇଣ୍ଟରନେଟ ଆଡ଼କୁ ଆକର୍ଷିତ ହୋଇଥାନ୍ତି । ସେଠାରେ ସେମାନଙ୍କୁ ଅନିୟନ୍ତ୍ରିତ ଭାବେ ଅନୁଚିତ ବା ଅନୁପଯୁକ୍ତ କଣ୍ଟେଣ୍ଟ ମିଳିଥାଏ । ସେଥିରୁ ଅଧିକାଂଶ ଭ୍ରାମକ ତଥ୍ୟ ରହିଥାଏ ଯାହାକି ଅସ୍ୱାସ୍ଥ୍ୟକର ଯୌନ ବ୍ୟବହାରକୁ ପ୍ରୋତ୍ସାହିତ କରିଥାଏ । ଭାରତରେ ସେକ୍ସ ଏଜୁକେସନ ବାବଦରେ ଅନେକ ଭୁଲ୍ ଧାରଣା ବ୍ୟାପକ ଭାବେ ପ୍ରସାରିତ ହୋଇଛି । ମାତାପିତା ଏବଂ ଶିକ୍ଷକଙ୍କ ସମେତ ଅନେକ ଲୋକ ରୁଢ଼ିବାଦୀ ବିଚାର ରଖିଥାନ୍ତି ଯେ, ସେକ୍ସ ଉପରେ ଆଲୋଚନା କରିବା ଅନୁଚିତ, ଅନୈତିକ ତଥା ଲଜ୍ଜାଜନକ । ଏପରି ବିଚାରଧାରା ଯୌନ ସ୍ୱାସ୍ଥ୍ୟ ବାବଦରେ ଖୋଲାଖୋଲି ଆଲୋଚନା କରିବାରେ ଅନିଚ୍ଛା ସୃଷ୍ଟି କରିଥାଏ ।

ଏହାଦ୍ୱାରା ଅନେକ ସମୟରେ କିଶୋର କିଶୋରୀମାନେ ଭ୍ରାମକ ତଥ୍ୟ ହାସଲ କରିଥାନ୍ତି ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଆଉ ଏକ ଭୁଲ୍ ଧାରଣା ଉପରେ ଆଲୋକପାତ କରି ସୁପ୍ରିମକୋର୍ଟ କହିଛନ୍ତି, ସେକ୍ସ ଏଜୁକେସନ କେବଳ ପ୍ରଜନନର ଜୈବିକ ଦିଗକୁ କଭର କରେନାହିଁ ବରଂ ଏହା ସହମତି, ସୁସ୍ଥ ଯୌନ ସମ୍ପର୍କ, ଲୈଙ୍ଗିକ ସମାନତା ଏବଂ ବିବିଧତା ପ୍ରତି ସମ୍ମାନ ସମେତ ଏକାଧିକ ବିଷୟରେ ଏକ ବିସ୍ତୃତ ଶୃଙ୍ଖଳା ବାବଦରେ ମଧ୍ୟ ଶିକ୍ଷା ଦେଇଥାଏ । ଯୌନ ହିଂସା କମ୍ କରିବା ଏବଂ ଲୈଙ୍ଗିକ ସମାନତାକୁ ପ୍ରୋତ୍ସାହିତ କରିବା ଲାଗି ଏଭଳି ବିଷୟରେ ଶିକ୍ଷା ପ୍ରଦାନ କରାଯିବା ଜରୁରୀ । ଅନେକ ଆହ୍ୱାନ ସତ୍ତ୍ୱେ ଝାଡ଼ଖଣ୍ଡ ଆଦି ରାଜ୍ୟରେ ସଫଳ ସେକ୍ସ ଏଜୁକେସନ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ଖଣ୍ଡପୀଠ କହିଥିଲେ । ସଫଳ ଯୌନ ଶିକ୍ଷା ପ୍ରଦାନ ଲାଗି ଏକ ସହାୟକ ବାତାବରଣ ସୃଷ୍ଟି କରିବା ଦିଗରେ ସାମୁଦାୟିକ ଭାଗୀଦାରି, ପାରଦର୍ଶିତା ଏବଂ ସରକାରୀ ସମର୍ଥନ ଆବଶ୍ୟକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking