ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ‘ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ୍ ଇଲେକ୍ସନ ମ୍ୟାନେଜମେଣ୍ଟ’ (IIIDEM) ପରିସରରେ ଭାରତ ନିର୍ବାଚନ ଆୟୋଗ (ECI)ଙ୍କ ଦ୍ୱାରା ଆୟୋଜିତ “ଅଲ୍ ଇଣ୍ଡିଆ ମିଡିଆ କନଫରେନ୍ସ ୨୦୨୬”ରେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ସାମିଲ ହୋଇଛନ୍ତି।
ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ମୁଖ୍ୟ ନିର୍ବାଚନ କମିଶନର (CEC) ଶ୍ରୀ ଜ୍ଞାନେଶ କୁମାର କହିଛନ୍ତି ଯେ, ଭାରତରେ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଭାରତୀୟ ସମ୍ବିଧାନ, ନିର୍ବାଚନ ସମ୍ବନ୍ଧୀୟ ଆଇନ ଏବଂ ସମୟାନୁକ୍ରମେ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି କରାଯାଉଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ପରିଚାଳିତ ହୋଇଥାଏ। ଏଥିସହ ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ଏଥିରେ ସାମିଲ ଥିବା ସମସ୍ତ ଅଂଶୀଦାର ମାନଙ୍କ ଦ୍ୱାରା ସମାନ୍ତରାଳ ଭାବେ ସମୀକ୍ଷା ବା ଅଡିଟ୍ କରାଯାଇଥାଏ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
ଶ୍ରୀ ଜ୍ଞାନେଶ କୁମାର ଆହୁରି ମଧ୍ୟ କହିଛନ୍ତି ଯେ, ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ସର୍ବକାଳୀନ ସର୍ବାଧିକ ଭୋଟ୍ ଗ୍ରହଣ ପ୍ରମାଣିତ କରୁଛି ଯେ ଦେଶର ନିର୍ବାଚନ ବ୍ୟବସ୍ଥା ଉପରେ ଭାରତୀୟ ଭୋଟରଙ୍କ ଅଗାଧ ବିଶ୍ୱାସ ରହିଛି ଏବଂ ଏହା ଭାରତୀୟ ଗଣତନ୍ତ୍ରର ସ୍ପନ୍ଦନକୁ ଦର୍ଶାଉଛି। ଏହି ଅବସରରେ ସେ ସ୍ଵତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବାରୁ ଭାରତର ସମସ୍ତ ଭୋଟରଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ଦିଗ ଏବଂ ରାଜନୈତିକ ଦଳ ତଥା ପ୍ରାର୍ଥୀ ଭଳି ପ୍ରମୁଖ ଅଂଶୀଦାରମାନଙ୍କୁ ସାମିଲ କରି କିପରି ଅତ୍ୟନ୍ତ ସ୍ୱଚ୍ଛତାର ସହ ଭାରତରେ ନିର୍ବାଚନ ପରିଚାଳନା କରାଯାଉଛି, ସେ ବିଷୟରେ ଏକ ସୂଚନାତ୍ମକ ଏବଂ ସ୍ପଷ୍ଟ ଧାରଣା ସୃଷ୍ଟି କରିବା।
ସେହିପରି,ଏହି ସମ୍ମିଳନୀରେ ଭାରତ ନିର୍ବାଚନ ଆୟୋଗ ର ମହାନିର୍ଦ୍ଦେଶକ(ଗଣମାଧ୍ୟମ) ଶ୍ରୀ ଆଶିଷ ଗୋଏଲ ଗଣମାଧ୍ୟମ କୁ ନିର୍ବାଚନ ଆୟୋଗ ର ଏକ ଅଂଶୀଦାର ଏବଂ ମତଦାତା ଙ୍କ ମଧ୍ୟରେ ଏକ ସଶକ୍ତ ସେତୁ ଭାବେ ବର୍ଣ୍ଣନା କରିଛନ୍ତି।
ଏହି ସମ୍ମିଳନୀରେ ଓଡ଼ିଶାର ବହୁ ବରିଷ୍ଠ ସାମ୍ବାଦିକ, ଆବାସିକ ସମ୍ପାଦକ ଏବଂ ବ୍ୟୁରୋ ମୁଖ୍ୟ ଅଂଶଗ୍ରହଣ କରିଛନ୍ତି।
ଚଳିତ ବର୍ଷ ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ (Theme) ରହିଛି— “ଅଂଶୀଦାରମାନଙ୍କୁ ଯୋଡ଼ିବା, ଗଣତନ୍ତ୍ରକୁ ସଦୃଢ଼ କରିବା: ନିର୍ବାଚନରେ ଗଣମାଧ୍ୟମର ଭୂମିକା”। ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ସହିତ ନିର୍ବାଚନ ସମୟରେ ଭୋଟରମାନଙ୍କୁ ସଠିକ୍ ଓ ନିରପେକ୍ଷ ତଥ୍ୟ ପ୍ରଦାନ କରି ସଚେତନ କରିବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଏହି କାର୍ଯ୍ୟକ୍ରମରେ ବିସ୍ତୃତ ଆଲୋଚନା କରାଯାଉଛି।
ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମ କିପରି ସଠିକ୍ ତଥ୍ୟ ଲୋକମାନଙ୍କ ପାଖରେ ପହଞ୍ଚାଇବା ତା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଦିଗରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତପ୍ରକାଶ ପାଇଛି। ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଗଣମାଧ୍ୟମ ମାଧ୍ୟମରେ ସ୍ୱଚ୍ଛ ସୂଚନା ପ୍ରଦାନ କରିବା ନେଇ ବରିଷ୍ଠ ସାମ୍ବାଦିକ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।
ନିର୍ବାଚନ ସମୟରେ ସୋସିଆଲ ମିଡିଆ କିମ୍ବା ଅନ୍ୟାନ୍ୟ ମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା ଓ ଭ୍ରମାତ୍ମକ ଖବର କୁ ଚିହ୍ନଟ କରିବା ଏବଂ ତା’ର ତୁରନ୍ତ ମୁକାବିଲା କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ଗଣମାଧ୍ୟମ ଏ ଦିଗରେ ନିଜର ବିଶ୍ୱାସନିୟତା ବଜାୟ ରଖିବା ଏବଂ ଖବର ପ୍ରକାଶନ ବା ପ୍ରଚାର ପୂର୍ବରୁ କୌଣସି ତଥ୍ୟର ସତ୍ୟାସତ୍ୟ ପରୀକ୍ଷା କରିବାକୁ ଅନୁରୋଧ କରାଯାଇଛି।
ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଷ୍ଠିତ ମିଡିଆ ପ୍ରତିନିଧି ଏବଂ ସମ୍ପାଦକମାନେ ଏହି ମଞ୍ଚରେ ଏକତ୍ରିତ ହୋଇ ସାମ୍ପ୍ରତିକ ସମୟରେ ନିର୍ବାଚନୀ ବ୍ୟବସ୍ଥା, ସଠିକ୍ ସୂଚନାର ପ୍ରସାର ଏବଂ ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ ଗଣମାଧ୍ୟମର ଦାୟିତ୍ୱବୋଧ ସମ୍ପର୍କରେ ନିଜ ନିଜର ମତାମତ ଓ ଅଭିଜ୍ଞତା ବାଣ୍ଟିଛନ୍ତି। ଭୋଟର ଭାଗିଦାରୀ ବୃଦ୍ଧି କରିବା ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ନିଜର କର୍ତ୍ତବ୍ୟକୁ ସୂଚାରୁରୂପେ ତୁଲାଇବା ପାଇଁ ଏହି ସମ୍ମିଳନୀରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଏହି ସମ୍ମିଳନୀରେ ଓଡିଶାରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଦିନମଣୀ ନାଏକ ଙ୍କ ନେତୃତ୍ୱରେ ୯ ଜଣ ବରିଷ୍ଠ ସାମ୍ବାଦିକ ଜ୍ୟୋତି ପ୍ରକାଶ ଦାସ, ରବି ନାରାୟଣ ଜେନା ,ଅଜିତ ଦେହୁରୀ, ଚୌଧୁରୀ ଅମିତାଭ ଦାସ,ଶକ୍ତିସାଇ ମିଶ୍ର, ମୁକେଶ ରଞ୍ଜନ ପରିଡ଼ା,ଯଯାତି କରଣ, ଅଭିଜିତ ସାମନ୍ତରାୟ,ଯଯାତି କେଶରୀ ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ।










