ପୋର୍ଟ ଏଲିଜାବେଥ: ଚଳିତ ବାଂଲାଦେଶ ବିପକ୍ଷ ଟେଷ୍ଟ୍ ସିରିଜ୍ର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ର ପ୍ରଥମ ଦିନରେ ଶନିବାର ଘରୋଇ ସାଉଥ୍ ଆଫ୍ରିକା ୯୦ ଓଭର୍ରେ ୫ ୱିକେଟ୍ ହରାଇ ୨୭୮ ରନ୍ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଡିନ୍ ଏଲଗାରଙ୍କ ନେତୃତ୍ୱାଧୀନ ଦଳ ୩ଟି ଅର୍ଦ୍ଧଶତକ ମାଧ୍ୟମରେ ଏହି ସ୍କୋର୍ କରିପାରିଛି । ଅଧିନାୟକ ତଥା ଓପନର ଏଲଗାର ନିଜେ ମଧ୍ୟ ଏଥିରୁ ଗୋଟିଏ ଅର୍ଦ୍ଧଶତକ କରିଛନ୍ତି । ଏହାଛଡ଼ା କିଗାନ୍ ପିଟର୍ସନ୍ ୬୪ ଓ ଟେମ୍ବା ବାଭୁମା ୬୭ ରନ୍ କରିଛନ୍ତି । ପ୍ରଥମ ଦିନର ଖେଳ ଶେଷ ବେଳକୁ କାଇଲ୍ ଭେରିନି ଓ ୱିଆନ୍ ମୁଲ୍ଡର୍ ଯଥାକ୍ରମେ ୧୦ ଓ ଶୂନରେ ଅପରାଜିତ ଅଛନ୍ତି । ଦୁଇ ଓପନର ଏଲଗାର ଓ ସାରେଲ୍ ଏରୱି ୫୨ ରନ୍ ଯୋଡ଼ି ସାଉଥ୍ ଆଫ୍ରିକାର ଭିତ୍ତିଭୂମିକୁ ସୁଦୃଢ଼ କରିଥିଲେ । ତେବେ କ୍ୟାରିୟର୍ର ଚତୁର୍ଥ ଟେଷ୍ଟ୍ ଖେଳୁଥିବା ଏରୱି ୪ଟି ଚୌକା ସହ ୨୪ ରନ୍ କରିଥିବା ବେଳେ ଆଉଟ୍ ହୋଇଥିଲେ । କିନ୍ତୁ ଏଲଗାର ସାଥୀ ବ୍ୟାଟ୍ସମ୍ୟାନ୍ ପିଟର୍ସନ୍ଙ୍କ ସହ ୮୧ ରନ୍ର ମଜଭୁତ ଭାଗୀଦାରୀ କରିଥିଲେ । ଇତିମଧ୍ୟରେ ଏଲଗାର ତାଙ୍କ ଅର୍ଦ୍ଧଶତକ ପୂରଣ କରିଥିଲେ । ୧୦ଟି ଚୌକା ସହ ୭୦ ରନ୍ କରି ଏଲଗାର ଆଉଟ୍ ହେବା ଫଳରେ ଏହି ଭାଗୀଦାରୀରେ ବ୍ରେକ୍ ଲାଗିଥିଲା । ଯୋଡ଼ିଦାରକୁ ହରାଇଥିଲେ ମଧ୍ୟ ପିଟର୍ସନ୍ ଅର୍ଦ୍ଧଶତକ ପୂରଣ କରିବା ସହ ତୃତୀୟ ୱିକେଟ୍ରେ ଚଳିତ ସିିରିଜ୍ରେ ଡେବ୍ୟୁ କରିଥିବା ର୍ୟାନ୍ ରିକେଲଟନ୍ଙ୍କୁ ସାଥୀ କରି ୫୧ ରନ୍ ଯୋଡ଼ିଥିଲେ । ତେବେ ୯ଟି ଚୌକା ସହ ୬୪ ରନ୍ କରି ପିଟରସନ୍ ପ୍ୟାଭିଲିୟନ୍ ଫେରିଥିଲେ । ତାଙ୍କ ବିଦାୟ ପରେ ପରେ ବାଭୁମା ମଧ୍ୟ ୭ଟି ଚୌକା ସହ ୬୭ ରନ୍ କରିଥିବା ବେଳେ ଆଉଟ୍ ହୋଇଥିଲେ । ବାଂଲାଦେଶ ପକ୍ଷରୁ ତାଇଜୁଲ୍ ଇସଲାମ୍ ୩ଟି ଓ ଖାଲେଦ୍ ଅହମ୍ମଦ ୨ଟି ୱିକେଟ୍ ନେଇଛନ୍ତି ।