30.1 C
Bhubaneswar
Saturday, July 6, 2024
Homeଖେଳଦ୍ୱିତୀୟ ଟେଷ୍ଟ୍‌: ଦୃଢ଼ ସ୍ଥିତିରେ ଅଷ୍ଟ୍ରେଲିଆ: ଶହେତମ ଟେଷ୍ଟ୍‌ରେ ୱାର୍ଣ୍ଣର୍‌ଙ୍କ ଦ୍ୱିଶତକ

ଦ୍ୱିତୀୟ ଟେଷ୍ଟ୍‌: ଦୃଢ଼ ସ୍ଥିତିରେ ଅଷ୍ଟ୍ରେଲିଆ: ଶହେତମ ଟେଷ୍ଟ୍‌ରେ ୱାର୍ଣ୍ଣର୍‌ଙ୍କ ଦ୍ୱିଶତକ

ମେଲ୍‌ବର୍ଣ୍ଣ : ଏଠାରେ ଚାଲିଥିବା ସାଉଥ୍ ଆଫ୍ରିକା ବିପକ୍ଷ ଟେଷ୍ଟ୍ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ମାତ୍ର ୩ଟି ୱିକେଟ୍ ହରାଇ ୩୮୬ ରନ୍ କରି ବେଶ୍ ଦୃଢ଼ ସ୍ଥିତିରେ ରହିଛି । ଦଳର ଓପନର ଡେଭିଡ୍ ୱାର୍ଣ୍ଣର୍ ତାଙ୍କର ଶହେତମ ଟେଷ୍ଟ୍‌ରେ ଦ୍ୱିଶତକ ଅର୍ଜନ କରି ଏହାକୁ ବେଶ୍ ସ୍ମରଣୀୟ କରିପାରିଛନ୍ତି । ଏପରି ସଫଳତା ପାଇବାରେ ସେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଏହା ପୂର୍ବରୁ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଇଂଲଣ୍ଡର ଜୋ ରୁଟ୍ ତାଙ୍କର ଶହେତମ ଟେଷ୍ଟ୍‌ରେ ଦ୍ୱିଶତକ ହାସଲ କରିଥିଲେ । ମଙ୍ଗଳବାର ଖେଳ ଶେଷ ବେଳକୁ ଟ୍ରେଭିସ୍ ହେଡ୍ ୪୮ ଓ ଆଲେକ୍ସ କ୍ୟାରୀ ୯ ରନ୍ କରି ଅପରାଜିତ ଅଛନ୍ତି । ଅଷ୍ଟ୍ରେଲିଆର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ୱାର୍ଣ୍ଣର୍ (୩୨) ଓ ମାର୍ନସ୍ ଲାବୁଶେନ୍ (୫) ମଙ୍ଗଳବାରର ଖେଳ ୪୫/୧ରୁ ଆରମ୍ଭ କରିଥିଲେ । ଲାବୁଶେନ୍ ମାତ୍ର ୧୪ ରନ୍ କରି ଆଉଟ୍ ହୋଇଥିଲେ ହେଁ ୱାର୍ଣ୍ଣର୍ ତାଙ୍କ ବ୍ୟାଟିଂ ଜାରି ରଖିଥିଲେ । ଦ୍ୱିତୀୟ ଦିନର ଚା’ ପାନ ବିରତି ପୂର୍ବରୁ ୱାର୍ଣ୍ଣର୍ ୧୪୪ ବଲ୍‌ରେ ତାଙ୍କର ଶତକ ପୂରଣ କରିଥିବା ବେଳେ ଷ୍ଟିଭେନ୍ ସ୍ମିଥ୍ ୧୦୮ ବଲ୍‌ରେ ତାଙ୍କର ଅର୍ଦ୍ଧଶତକରେ ପହଞ୍ଚିଥିଲେ । ସେହିପରି ୨୨୨ ବଲ୍‌ରେ ଦେଢ଼ ଶହ ପୂରଣ କରିଥିବା ୱାର୍ଣ୍ଣର୍ ତାଙ୍କର ତୃତୀୟ ଦ୍ୱିଶତକ ଅର୍ଜନ କରିବା ସକାଶେ ୨୫୪ ବଲ୍‌ର ସହାୟତା ନେଇଥିଲେ । ସ୍ମିଥ୍ ଓ ୱାର୍ଣ୍ଣର୍‌ଙ୍କ ମଧ୍ୟରେ ୨୩୯ ରନ୍‌ର ଭାଗୀଦାରୀ ହେବା ପରେ ସ୍ମିଥ୍ ୯ଟି ଚୌକା ଓ ଗୋଟିଏ ଛକା ସହ ୮୫ ରନ୍ କରି ଆଉଟ୍ ହୋଇଥିଲେ । ଦଳୀୟ ସ୍କୋର୍ ୩୨୯ ଥିବା ସମୟରେ ୱାର୍ଣ୍ଣର୍ ଆଘାତଜନିତ କାରଣରୁ ପ୍ୟାଭିଲିଅନ୍ ଫେରିଥିଲେ । ତାଙ୍କ ସ୍ଥାନରେ ଯୋଗଦେଇଥିବା ଟ୍ରେଭିସ୍ ହେଡ୍ ୭ଟି ଚୌକା ଓ ଗୋଟିଏ ଛକା ସହ ୪୮ ରନ୍ କରିଥିଲେ ହେଁ ଅଲ୍‌ରାଉଣ୍ଡର୍ କାମେରନ୍ ଗ୍ରୀନ୍ ୬ ରନ୍ କରି ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଭାବେ ରିଟାୟର୍ଡ ହର୍ଟ ହୋଇଥିଲେ । ସାଉଥ୍ ଆଫ୍ରିକା ପକ୍ଷରୁ କାଗିସୋ ରବାଡା ଓ ଆନରିଚ୍ ନୋର୍ଜେ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିବା ବେଳେ ଲାବୁଶେନ୍ ରନ୍‌ଆଉଟ୍ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking