24.1 C
Bhubaneswar
Wednesday, January 1, 2025
Homeଓଡିଶାରାଜ୍ୟ ପଣ୍ୟାଗାର ନିଗମକୁ ‘ସ୍କଚ୍ ଆୱାର୍ଡ’

ରାଜ୍ୟ ପଣ୍ୟାଗାର ନିଗମକୁ ‘ସ୍କଚ୍ ଆୱାର୍ଡ’

ଭୁବନେଶ୍ୱର: ପଣ୍ୟାଗାରଗୁଡ଼ିକର ବିକାଶ ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମକୁ ‘ସ୍କଚ୍ ଅର୍ଡର ଅଫ୍ ମେରିଟ୍‌-୨୦୨୨’ରେ ସମ୍ମାନିତ କରାଯାଇଛି । ପଣ୍ୟାଗାରଗୁଡ଼ିକର ସୁପରିଚାଳନା ପାଇଁ ଓୟାରହାଉସ୍ ମ୍ୟାନେଜ୍‌ମେଣ୍ଟ ସଲ୍ୟୁସନ୍‌କୁ କାର୍ଯ୍ୟକାରୀ କରିବା ପାଇଁ କମ୍ପ୍ୟୁଟରୀକରଣ ମାଧ୍ୟମରେ ଗ୍ରହଣ କରାଯାଇଥିବା ପଦକ୍ଷେପ ପ୍ରଶଂସନୀୟ ଅଟେ । ରାଜ୍ୟ ସରକାରଙ୍କ ୫-‘ଟି’ ପଦକ୍ଷେପ ଅନୁଯାୟୀ ନିଗମ ଏହାର କାର୍ଯ୍ୟଧାରାକୁ ଅଧିକ ସ୍ୱଚ୍ଛ ଓ କ୍ରିୟାଶୀଳ କରିବା ପାଇଁ ଡିଜିଟାଇଜେସନ୍ ପ୍ରକ୍ରିୟାରେ ଖାଦ୍ୟଶସ୍ୟ ତଥା କୃଷିଜାତ ସାମଗ୍ରୀର ସଂରକ୍ଷଣ ବ୍ୟବସ୍ଥାକୁ ସୁସଂଗଠିତ କରିବା ପାଇଁ କାର୍ଯ୍ୟକାରୀ କରିଥିବା ପ୍ରଯୁକ୍ତି ବିଦ୍ୟାର ଉପାଦେୟତାକୁ ସ୍କଚ୍ କମିଟି ଅନୁଧ୍ୟାନ କରି ଏହି ସମ୍ମାନ ପ୍ରଦାନ କରିଛି । ଏହି ପ୍ରକ୍ରିୟା ଦ୍ୱାରା ଗୋଦାମ ଘରଗୁଡ଼ିକରେ ଗଚ୍ଛିତ ଦ୍ରବ୍ୟର ଦେଣନେଣ, ସଂରକ୍ଷଣ, ଗୁଣବତ୍ତା ନିୟନ୍ତ୍ରଣ, ଷ୍ଟକ୍‌ର ଯାଞ୍ଚ ପ୍ରକ୍ରିୟା, ଆକାଉଣ୍ଟ ଏବଂ ବିଲିଂ ଓ ମାନବସମ୍ବଳ ପରିଚାଳନାକୁ ସୁଚାରୁ ରୂପେ ନିୟନ୍ତ୍ରଣ କରାଯାଇପାରିବ । ମୁଖ୍ୟ କାର୍ଯ୍ୟାଳୟରୁ ଡ୍ୟାସ୍‌ବୋର୍ଡ ମାଧ୍ୟମରେ ପଣ୍ୟାଗାରଗୁଡ଼ିକରେ ଗଚ୍ଛିତ ସାମଗ୍ରୀର ସ୍ଥିତାବସ୍ଥାକୁ ପ୍ରକୃତ ସମୟ ଆଧାରରେ ତଦାରଖ କରିବା ସଙ୍ଗେ ସଙ୍ଗେ ପଣ୍ୟାଗାର ପରିଚାଳନା ସମ୍ପର୍କିତ ନିଷ୍ପତ୍ତିକୁ ତ୍ୱରାନ୍ୱିତ କରିହେବ । ଆଭାସୀ ମାଧ୍ୟମରେ ଆୟୋଜିତ ସମାରୋହରେ ନିଗମର ପରିଚାଳନା ନିର୍ଦ୍ଦେଶକ ଡ. ଗଣେଶ୍ୱର ଜେନା ‘ସ୍କଚ୍ ଅର୍ଡର ଅଫ୍ ମେରିଟ୍‌-୨୦୨୨’ର ମାନପତ୍ର ଗ୍ରହଣ କରିଛନ୍ତି । ଏହି ସମ୍ମାନଜନକ ପୁରସ୍କାର ନିମନ୍ତେ ଅଧ୍ୟକ୍ଷ ମହେନ୍ଦ୍ର ବଢ଼େଇ ଓ ପରିଚାଳନା ନିର୍ଦ୍ଦେଶକ ଡ. ଜେନା ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking