ଅମୃତସର: ପଞ୍ଜାବର ଅମୃତସର ଏୟାରପୋର୍ଟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅମୃତସର ଏୟାରପୋର୍ଟରେ ୩୨ ଜଣ ଯାତ୍ରୀଙ୍କୁ ଛାଡି ସ୍କୁଟ୍ ଏୟାରଲାଇନ୍ସର ଏକ ବିମାନ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିଛି । ପରବର୍ତ୍ତୀ ସମୟରେ ଏଭଳି ଅନିଚ୍ଛାକୃତ ତ୍ରୁଟି ପାଇଁ ସ୍କୁଟ୍ ଏୟାରଲାଇନ୍ସ କ୍ଷମାପ୍ରାର୍ଥନା କରିଥିବାବେଳେ ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ) ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ସିଙ୍ଗାପୁରର ସ୍କୁଟ୍ ଏୟାରଲାଇନ୍ସର ଏହି ବିମାନଟି ୨୯୫ ଯାତ୍ରୀଙ୍କୁ ନେଇ ବୁଧବାର ରାତି ୭.୫୫ ମିନିଟରେ ଅମୃତସରରୁ ସିଙ୍ଗାପୁର ଯାତ୍ରା କରିବାର ଥିଲା । ତେବେ କୌଣସି କାରଣବଶତଃ ବିମାନଟି ଅପରାହ୍ଣ ୩ଟାରେ ସିଙ୍ଗାପୁର ଅଭିମୁଖେ ଉଡିଥିଲା । ନିର୍ଦ୍ଧାରିତ ସମୟର ପ୍ରାୟ ଚାରିଘଣ୍ଟା ପୂର୍ବରୁ ଯାତ୍ରାରମ୍ଭ କରିଥିବାରୁ ୩୨ ଜଣ ଯାତ୍ରୀ ବିମାନଯାତ୍ରାରୁ ବଞ୍ଚିତ ହୋଇଥିଲେ । ଏ ସମ୍ପର୍କରେ ଏୟାରଲାଇନ୍ସ ଅଧିକାରୀଙ୍କ ସହ ଯୋଗାଯୋଗ କରାଯିବାରୁ ସେମାନେ କହିଛନ୍ତି ଯେ ଯାତ୍ରା ସମୟ ପରିବର୍ତ୍ତନ ନେଇ ୨୬୩ ଜଣ ଯାତ୍ରୀଙ୍କୁ ଇ-ମେଲ ଜରିଆରେ ସୂଚୀତ କରାଯାଇଥିଲା । ଫଳରେ ୩୨ ଜଣ ଯାତ୍ରୀଙ୍କୁ ନିରାଶ ହେବାକୁ ପଡିଥିଲା । ଅବଶ୍ୟ ଏହି ୩୫ ଜଣଙ୍କ ଗ୍ରୁପ୍ ଟିକଟ କରିଥିବା ଟାଭେଲ ଏଜେନ୍ସି ସଂପୃକ୍ତ ଯାତ୍ରୀମାନଙ୍କୁ ସଂଶୋଧିତ ସମୟ ସମ୍ପର୍କରେ ଅବଗତ କରିନଥିବାରୁ ଏଭଳି ସ୍ଥିିତି ଉପୁଜିଥିବା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ କିଛିଦିନ ପୂର୍ବେ ୫୫ ଜଣ ଯାତ୍ରୀଙ୍କୁ ଛାଡି ଗୋ-ଫାଷ୍ଟ ଏୟାରୱେଜ୍ର ଏକ ବିମାନ ବେଙ୍ଗାଲୁରୁରୁ ଦିଲ୍ଲୀ ଯାତ୍ରା କରିଥିଲା ।