16.1 C
Bhubaneswar
Tuesday, November 26, 2024
Homeଅପରାଧନକଲି ପରେ ଅସଲି ରସିକିଆ ଡାକ୍ତରଙ୍କ କାରନାମା

ନକଲି ପରେ ଅସଲି ରସିକିଆ ଡାକ୍ତରଙ୍କ କାରନାମା

ଭୁବନେଶ୍ୱର: ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ କଥା ଲୋକଙ୍କ ମନରୁ ନ ଲିଭୁଣୁ ଶନିବାର ପୁଣି ଜଣେ ଅସଲି ଡାକ୍ତରଙ୍କ ଅନୁରୂପ କାରନାମା ପଦାକୁ ଆସିଛି । ବହୁ ମହିଳାଙ୍କୁ ବିବାହ କରିବା ଅଭିଯୋଗରେ ମହିଳା ଥାନା ପୁଲିସ୍‌ କଟକ ଏସ୍‌ସିବି ମେଡିକାଲ୍‌ କଲେଜର ଡାକ୍ତର ଆଶିଷ ପଟ୍ଟନାୟକଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ପୁଲିସ୍‌ ଦଫା ୪୯୩ (ଛଳନା ପୂର୍ବକ ଆଇନ୍‌ସମ୍ମତ ବିବାହର ବିଶ୍ୱାସ ସୃଷ୍ଟି କରିଥିବା ପୁରୁଷ ଦ୍ୱାରା ସହବାସ), ୧୨୦ (ଦଣ୍ଡନୀୟ ଅପରାଧର ପରିକଳ୍ପନାକୁ ଲୁକ୍କାୟିତ ରଖିବା) ୫୦୬ (ଅପରାଧୀକ ଭୟ ପ୍ରଦର୍ଶନ) ଲଗାଇଛି । ପ୍ରାଥମିକ ତଦନ୍ତରୁ ମହିଳା ଥାନା ପୁଲିସ୍‌ ଜାଣିବକୁ ପାଇଛି ଏତଲାଦେଇଥିବା ପତ୍ନୀକୁ ମିଶାଇ ସେ ୩ଜଣଙ୍କୁ ବିବାହ କରିଛନ୍ତି । ଆଶିଷଙ୍କୁ ରବିବାର କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।

ଆଶିଷଙ୍କ ଘର ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଅଞ୍ଚଳରେ । ସେ କଟକ ଏସ୍‌ସିବି ମେଡିକାଲ୍‌ କଲେଜର ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ସହକାରୀ ସର୍ଜନ ଭାବେ କାର୍ଯ୍ୟରତ । ଭୁବନେଶ୍ୱରରୁ କଟକ ଯିବା ଆସିବା କରନ୍ତି । କେନ୍ଦ୍ରାପଡ଼ାର ପୂଜା(ଛଦ୍ମନାମ, ୩୦ ବର୍ଷ) ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍‌ରେ ଫିଜୋଥେରାପି ବିଭାଗରେ ଚାକିରି କରିଛନ୍ତି । ପୂଜା ବିବାହ କରିବା ପାଇଁ ୨୦୧୯ ନଭେମ୍ବରରେ ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ରେ ଆକାଉଣ୍ଟ ଖୋଲିଥିଲେ । ଏହାର କିଛି ଦିନ ପରେ ତାଙ୍କୁ ଯୋଗାଯୋଗ କରି ବିବାହର ପ୍ରସ୍ତାବ ଦେଇଥିଲେ ଡାକ୍ତର ଆଶିଷ । ଏହାପରେ ଉଭୟେ ଫୋନ୍‌ରେ କଥା ହୋଇ ୨୦୨୦ ଏପ୍ରିଲ୍‌ରେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ହେଲେ କରୋନା ଆସି ଯିବାକୁ ବାହାଘର ହୋଇ ପାରିନଥିଲା । ହେଲେ ଉଭୟ ସ୍ୱାମୀ-ସ୍ତ୍ରୀ ଭଳି ଚଳିଥିଲେ । ୨୦୨୧ ଜାନୁଆରୀରେ ପୂଜା ଯିଦ ଧରିଥିଲେ ବାହା ହେବାକୁ । ଆଶିଷ ତାଙ୍କୁ ବିଭିନ୍ନ ବାହାନା ଦେଖାଇ ଦିନ ଗଡ଼ାଇ ଚାଲିଥିଲେ ।ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ମନ୍ଦିରରେ ସିନ୍ଦୁର ଦେଇ ବାହା ହୋଇଥିଲେ । ପରେ ଏକ ନୋଟାରୀ କାଗଜକୁ କୋର୍ଟ ମ୍ୟାରେଜ୍‌ କାଗଜପତ୍ର ବୋଲି ପୂଜାଙ୍କୁ ଧରାଇ ଦେଇଥିଲେ । ଖାଲି ସେତିକି ନୁହେଁ ପରେ ଧୁମ୍‌ଧାମ୍‌ରେ ବିବାହ ଉତ୍ସବ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

କିଛି ଦିନ ତଳେ ପୂଜାଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ ଆଶିଷ । ତାଙ୍କର ଏ ବ୍ୟବହାର ଦେଖି ପୂଜାଙ୍କ ସନ୍ଦେହ ହୋଇଥିଲା । ଏହାପରେ ପୂଜା ଡାକ୍ତରଙ୍କ ବିଷୟରେ ତଥ୍ୟ ପ୍ରମାଣ ଯୋଗାଡ଼ କରିଥିଲେ । ଏହି ସମୟରେ ଜାଣିବାକୁ ପାଇଥିଲେ ଜଣେ ନର୍ସଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଅଛି । ସେ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଖବର ଜାଣିବା ପରେ ପୂଜା ଆଶିଷଙ୍କ ବିଷୟରେ ଅଧିକ ଛାନ୍‌ଭିନ୍‌ ଆରମ୍ଭ କରି ଜାଣିବାକୁ ପାଇଥିଲେ ଆଶିଷଙ୍କର କଟକରେ ପ୍ରଥମ ପତ୍ନୀ ଓ ପୁଅ ଅଛନ୍ତି । ଭୁବନେଶ୍ୱରରେ ଦ୍ୱିତୀୟ ପତ୍ନୀ ରହୁଛନ୍ତି ।

ସେ ମଧ୍ୟ ଏକ ଘରୋଇ ହସ୍ପିଟାଲ୍‌ର ଡାକ୍ତର । ଦ୍ୱିତୀୟ ପତ୍ନୀଙ୍କର ମଧ୍ୟ ଗୋଟିଏ ପୁଅ । ଏହାବାଦ୍‌ ୫ ଜଣ ପ୍ରେମିକା ଅଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ନର୍ସ, ଜଣେ ବ୍ୟାଙ୍କ୍‌ କର୍ମଚାରୀ, ଜଣେ ବିଧବା ମହିଳା ଓ ଅନ୍ୟ ୨ଜଣ ଆଇଟି କମ୍ପାନୀରେ ଚାକିରି କରୁଛନ୍ତି ।
ଏ ସବୁ ଜାଣିବା ପରେ ପୂଜା ଆଶିଷଙ୍କ ବିରୋଧରେ ଶୁକ୍ରବାର ରାତିରେ ମହିଳା ଥାନାରେ ଏତଲା ଦେଇଥିଲେ । ଯାଞ୍ଚ ସମୟରେ ପୁଲିସ୍‌ ଡାକ୍ତରଙ୍କ କଳା କାରନାମା ଜାଣି ପାରିଥିଲା ।

ଶନିବାର ପୂର୍ବାହ୍ନରେ ଆଶିଷ ଭୁବନେଶ୍ୱରରୁ କଟକ ଯାଉଥିବା ବେଳେ ପୁଲିସ୍‌ ନଖରା ପାଖରୁ ତାଙ୍କୁ ଉଠାଇ ଆଣିଥିଲା । ଏବେ ମହିଳା ଥାନା ପୁଲିସ୍‌ ତାଙ୍କୁ ଜେରା କରୁଛି । ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ । ଏନେଇ ଡିସିପି ଉମା ଶଙ୍କର ଦାସ କହିଛନ୍ତି, ଜଣେ ଯୁବତୀଙ୍କ ଏତଲାରେ ଡାକ୍ତରଙ୍କୁ ପଚରାଉଚରା କରାଯାଇଛି । ସେ ୩ ଜଣଙ୍କୁ ବିବାହ କରିଥିବା ଜଣାପଡିଛି । ୩ରୁ ଅଧିକ ପତ୍ନୀ ଅଛନ୍ତି କି ନାହିଁ ତାହାର ତଦନ୍ତ ଚାଲିଛି । ପ୍ରଥମ ପତ୍ନୀଙ୍କ ସହ ଡାକ୍ତରଙ୍କ ଛାଡ଼ପତ୍ର ହୋଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking