ଡେଲାଙ୍ଗ : ଗୁଆଳିପଡ଼ା ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଓ ଦେଢଶୁରଙ୍କ ନାମରେ ମାମଲାକୁ କେନ୍ଦ୍ରକରି ସ୍ଥାନୀୟ ସରପଞ୍ଚ ଗିତାଞ୍ଜଳୀ ସ୍ୱାଇଁ ଓ ସେମାନଙ୍କ ସମର୍ଥକ ମାନେ ଡେଲାଙ୍ଗ ଥାନା ପରିସରରେ ଆମରଣ ଅନସନରେ ବସିଛନ୍ତି । ଖବରପାଇ ବିଜେପି ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଅନସନ କାରୀଙ୍କ ସହିତ ଆଲୋଚନା କରିଥିଲେ । ଅଭିଯୋଗ ଅନୁଯାୟୀ ଅକ୍ଟୋବର ୨ ତାରିଖରେ ଗୁଆଳିପଡ଼ା କଲ୍ୟାଣ ମଣ୍ଡପରେ ଗ୍ରାମସଭା ଚାଲୁଥିବା ସମୟରେ ପୂର୍ବତନ ସରପଞ୍ଚ ଶ୍ରୀ ଜେନା ପହଞ୍ଚି ସେଠାରେ ସରପଞ୍ଚ ଓ ସେମାନଙ୍କ ସମର୍ଥକଙ୍କୁ ଧମକ ଚମକ ସହିତ ଗାଳିମନ୍ଦ କରିଥିଲେ ବୋଲି ଥାନାରେ ଅଭିଯୋଗ କରିଥିଲେ ।
ଏନେଇ ଡେଲାଙ୍ଗ ପୁଲିସ ଏକ ମାମଲା ରଜୁଥିଲେ । ସେହିପରି ପୂର୍ବତନ ସରପଞ୍ଚ କାଳନ୍ଦି ଚରଣ ଜେନାଙ୍କ ଅଭିଯୋଗ ଅନୁଯାୟୀ ଜିପିଟିପି ପ୍ଲାନରେ ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସେ କରିଥିଲେ । ଅଦ୍ୟାବଧି ତାଙ୍କ ବିଲ ହୋଇନଥିବା ନେଇ ସେ ପିଇଓଙ୍କ ନିକଟକୁ ଯାଇଥିଲେ । ପିଇଓଙ୍କୁ ବିଗତ କାର୍ଯ୍ୟର ବିଲ୍ ଗୁଡିକ କରିବା ପାଇଁ ନିବେଦନ କରିଥିଲେ । ସେଠାରୁ ବାହାରକୁ ଆସିବା ପରେ ତାଙ୍କ କାରକୁ କେହି ପଛପଟୁ ଚେପା କରିଦେଇଥିବା ନେଇ ୬ ଜଣଙ୍କ ନାମରେ ଅଭିଯୋଗ କରିଥିଲେ । ଏନେଇ ଡେଲାଙ୍ଗ ଥାନାରେ ମାମଲା ରୁଜୁ କରାଯାଇଥିଲା । ଏହାକୁ ନେଇ ଉଭୟଙ୍କ ବିରୋଧରେ ୨ଟି ମାମଲା ହୋଇଥିଲା । ଏହି ମାମଲାରେ ସରପଞ୍ଚ ଦେଢଶୁର ବଟକୃର୍ଷ୍ଣ ସ୍ୱାଇଁ ଏସୟୁସିଆଇର କର୍ମୀ ହୋଇଥିବା ବେଳେ ତାଙ୍କ ନାମରେ ମିଥ୍ୟା ଅଭିଯୋଗ ହୋଇଥିବା ନେଇ ଏସ.ୟୁ.ସି.ଆଇ କର୍ମୀମାନଙ୍କସହିତ ସେ ଧାରଣା ଦେଇଥିଲେ ।
ଘଟଣାସ୍ଥଳରେ ସଦର ଏସ୍ଡିପିଓ କିଶୋର ଚନ୍ଦ୍ର ମୁଣ୍ଡ୍ ଓ ଡେଲାଙ୍ଗ ଆଇଆଇସି ଅନିଲ କୁମାର ମାହନ୍ତି ଶ୍ରୀ ସ୍ୱାଇଁଙ୍କୁ ବୁଝା ସୁଝା କରି ନିରପେକ୍ଷ ଓ ସଠିକ ତଦନ୍ତ କରିବା ପାଇଁ ପ୍ରତିଶୃତି ଦେବାରେ ଏସୟୁସିଆଇ କର୍ମୀମାନେ ଧାରଣା ପ୍ରତ୍ୟାହୃତ କରିଥିଲେ । ତାଙ୍କ ଭାଇ ବୋହୂ ତଥା ସରପଞ୍ଚ ଶ୍ରୀମତୀ ସ୍ୱାଇଁଙ୍କ ପ୍ରତିନିଧି ହରେକୃର୍ଷ୍ଣ ସ୍ୱାଇଁ ଓ ବିଜେପି ଜିଲ୍ଲାସଭାପତି ଶ୍ରୀ ପଟ୍ଟନାୟକ ପୋଲିସ ଅଧିକାରୀଙ୍କ ସହିତ ପୂର୍ବତନ ସରପଞ୍ଚକୁ ଗିରଫ କରିବା ଓ ତାଙ୍କ ନାମରେ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବା ଦିଗରେ ଆଲୋଚନା କରିଥିଲେ । ପୁଲିସ ନିରପେକ୍ଷ ତଦନ୍ତ ପାଇଁ ପ୍ରତିଶୃତି ଦେବା ପରେ ମଧ୍ୟ ଆନ୍ଦୋଳନ ଜାରିରହିଥିଲା । ଅନ୍ୟପଟେ ପୂର୍ବତନ ସରପଞ୍ଚ ଶ୍ରୀ ଜେନାଙ୍କ ନାମରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି । ଖବର ଲେଖା ହେବା ବେଳକୁ ସରପଞ୍ଚ ଓ ସେମାନଙ୍କ ଶତାଧିକ ସମର୍ଥକମାନେ ଅନସନରେ ବସିରହିଛନ୍ତି ।