18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଅନଲାଇନ ଗେମ୍‌କୁ ନେଇ ଚୀନ୍‌ରେ ସାନି କଟକଣା : ପିଲାଙ୍କୁ ସପ୍ତାହରେ କେବଳ ୩ ଘଣ୍ଟା...

ଅନଲାଇନ ଗେମ୍‌କୁ ନେଇ ଚୀନ୍‌ରେ ସାନି କଟକଣା : ପିଲାଙ୍କୁ ସପ୍ତାହରେ କେବଳ ୩ ଘଣ୍ଟା ଅନୁମତି

ବେଜିଂ:  ଅନ୍‌ଲାଇନ ଗେମ ଖେଳିବା ପ୍ରସଙ୍ଗରେ ଚୀନ୍ ସରକାର ନିଜ ଦେଶର ପିଲାଙ୍କ ନିମନ୍ତେ ନୂଆ ନୀତି ଅବଲମ୍ବନ କରିଛନ୍ତି । ତଦନୁଯାୟୀ ଗୋଟିଏ ସପ୍ତାହରେ ପିଲାମାନେ କେବଳ ୩ ଘଣ୍ଟା ଅନ୍‌ଲାଇନରେ ଗେମ ଖେଳିପାରିବେ ବୋଲି ଜଣାପଡିଛି । ପୁନଶ୍ଚ ଏହି କଟକଣା ୧୮ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇଛି । ବର୍ତ୍ତମାନ ଚୀନ୍‌ରେ ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ ଅନଲାଇନ ଗେମ ଖେଳିବାରେ ଅଧିକ ସମୟ ବିତାଉଛନ୍ତି । ମାନସିକ ଓ ଶାରୀରିକସ୍ତରରେ ଏହା ସେମାନଙ୍କ ଉପରେ କୁପ୍ରଭାବ ପକାଉଥିବା ଲକ୍ଷ୍ୟ କରାଯାଉଛି । ଅନଲାଇନ ଗେମରେ ମାତିବା ଫଳରେ ପିଲାଙ୍କର ଦୃଷ୍ଟିଶକ୍ତି ହ୍ରାସ ପାଉଛି ଏବଂ ସେମାନେ ପାଠପଢା ପ୍ରତି ଆଗ୍ରହ ପ୍ରକାଶ କରୁନଥିବାରୁ ସରକାର ଚିନ୍ତିତ ହୋଇପଡିଛନ୍ତି ।

ଚୀନ୍ ସରକାର ଇତିମଧ୍ୟରେ ହିଂସାତ୍ମକ ପ୍ରଭାବ ପକାଉଥିବା ଏକାଧିକ ଅନଲାଇନ ଗେମକୁ ବାତିଲ କରିସାରିଛନ୍ତି । ନୂତନ ନିୟମ ଅନୁଯାୟୀ ଚୀନ୍‌ର ପିଲାମାନେ ଏଣିକି କେବଳ ଶୁକ୍ରବାର, ଶନିବାର ଓ ରବିବାର ପ୍ରତ୍ୟେକ ଦିନ ଏକ ଘଣ୍ଟା ପାଇଁ ଅନଲାଇନରେ ଗେମ ଖେଳିପାରିବେ ବୋଲି ଜିନ୍‌ହୁଆ ସୂତ୍ରରୁ ଜଣାପଡିଛି । ଏହାବ୍ୟତୀତ ଛୁଟି ଦିନରେ ସେମାନେ ଏକ ଘଣ୍ଟା ଗେମ ଖେଳିପାରିବେ ବୋଲି କୁହାଯାଇଛି । ତେବେ ପ୍ରତିଦିନ ରାତି ୧୦ଟାରୁ ପରଦିନ ସକାଳ ୮ଟା ପର୍ଯ୍ୟନ୍ତ ଅନଲାଇନ ଗେମ ଖେଳିବା ଉପରେ କଟକଣା ଜାରି କରାଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଅନଲାଇନ ଗେମ ଖେଳିବାକୁ ଲଗ୍‌ଇନ୍ କରିବା ସମୟରେ ନାବାଳକଙ୍କୁ ପ୍ରକୃତ ନାମ ଓ ପରିଚୟ ନମ୍ବର ଉଲ୍ଲେଖ କରିବା ବାଧ୍ୟତାମୂଳକ କରାଯାଇଛି । ପିଲାମାନେ ଅନଲାଇନ ଗେମ କିଣିବାରେ ମାସକୁ ସର୍ବାଧିକ ୨୮ରୁ ୫୭ ଡଲାର ଖର୍ଚ୍ଚ କରିପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଚୀନ୍‌ର ସବୁଠାରୁ ବଡ ଅନଲାଇନ ଗେମ କମ୍ପାନୀ ଟେନ୍‌ସେଣ୍ଟ୍ ହୋଲଡିଙ୍ଗ୍‌ସ ଲିମିଟେଡ ପକ୍ଷରୁ ନୂତନ କଟକଣାକୁ କାର୍ଯ୍ୟକାରୀ କରାଯାଇଥିବା ଜଣାପଡିଛି ।

ଅନଲାଇନ ଗେମ ପ୍ରତି ପିଲାମାନେ ଅଧିକ ଆକର୍ଷିତ ହେଉଥିବାରୁ ଚୀନ୍‌ର ବୁଦ୍ଧିଜୀବୀମାନେ ଏହାକୁ ‘ଆଧ୍ୟାତ୍ମିକ ଅଫିମ’ ବୋଲି ଆକ୍ଷେପ କରିଛନ୍ତି । ଏଭଳି କଟକଣା ଦ୍ୱାରା ରାଜସ୍ୱ ହାନି ହେବ ବୋଲି କୁହାଯାଇଛି । ଚୀନ୍ ସରକାର ଅନଲାଇନ ଗେମରୁ ବାର୍ଷିକ ୩୩୦୦ କୋଟି ଡଲାର ରାଜସ୍ୱ ଆଦାୟ କରିଥାନ୍ତି । ବର୍ତ୍ତମାନ କଟକଣା ଜାରି କରାଯିବାପରେ ଏହା ୪୦ ପ୍ରତିଶତ ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛି । ଏହାସତ୍ତ୍ୱେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଏଭଳି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ଜଣେ ସରକାରୀ ମୁଖପାତ୍ର ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking