ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ପ୍ରଦାନ ପ୍ରସଙ୍ଗ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ବିଚରାଧୀନ ରହିଛି । ରବିବାର କେନ୍ଦ୍ର ସରକାର ସତ୍ୟପାଠ ଜରିଆରେ ଏଭଳି ଏକ ପ୍ରସଙ୍ଗକୁ ଆଇନଗତ ସ୍ୱୀକୃତି ଦେବାକୁ ସ୍ପଷ୍ଟ ମନା କରିଦେଇଛନ୍ତି । ସୋମବାର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ପୀଠରେ ଏହାର ଶୁଣାଣି କରାଯାଇଛି । ତେବେ ଏହା ଏକ ପ୍ରଜନନ ସମ୍ବନ୍ଧୀୟ ପ୍ରସଙ୍ଗ ହୋଇଥିବାରୁ ଏପ୍ରିଲ ୧୮ରେ ପାଞ୍ଚଜଣିଆ ସାମ୍ବିଧାନିକ ପୀଠରେ ଶୁଣାଣି କରାଯିବ ବୋଲି ପୀଠ ନିର୍ଦ୍ଦେଶ ଦେଇଛନ୍ତି । ସମାଜ ଉପରେ ଏହାର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଥିବାରୁ ଉକ୍ତ ଦିନ ସୁପ୍ରିମକୋର୍ଟ ୱେବ୍ସାଇଟ୍ ଓ ୟୁଟ୍ୟୁବ୍ରେ ଶୁଣାଣି ପ୍ରକ୍ରିୟାର ସିଧା ପ୍ରସାରଣ କରାଯିବ ବୋଲି ପୀଠ ନିର୍ଦ୍ଦେଶ ଦେଇଛନ୍ତି ।
ସମ୍ବିଧାନର ଧାରା ୧୪୫ (୩) (କ)ର ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୀଠ ମାମଲାର ଶୁଣାଣିକୁ ସାମ୍ବିଧାନିକ ପୀଠରେ କରିବାକୁ ଉଚିତ ମଣିଛନ୍ତି । ସୂଚନାଯୋଗ୍ୟ ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀ ସମେତ ବିଭିନ୍ନ ହାଇକୋର୍ଟରେ ପିଟିସନ ଦାଏର କରାଯାଇଥିଲା । ତେବେ ସବୁ ପିଟିସନର ଶୁଣାଣି ଏକାଠି କରିବାକୁ ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଚଳିତବର୍ଷ ଜାନୁଆରୀ ୬ରେ ସବୁ ୧୫ଟି ପିଟିସନ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା । ଏ ପ୍ରସଙ୍ଗରେ କେନ୍ଦ୍ରର ମତାମତ ଲୋଡାଯାଇଥିଲା । ତଦନୁଯାୟୀ ରବିବାର କେନ୍ଦ୍ର ସରକାରଙ୍କ ତରଫରୁ ୫୬ ପୃଷ୍ଠା ସମ୍ବଳିତ ସତ୍ୟପାଠ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା । ସତ୍ୟପାଠରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ଦେବାକୁ କେନ୍ଦ୍ର ସରକାର ସ୍ପଷ୍ଟ ମନା କରିଦେଇଛନ୍ତି ।
ଏହା ଭାରତୀୟ ପରିବାରର ଅବଧାରଣା ଏବଂ ପରମ୍ପରା ବିରୋଧୀ । ପତି, ପତ୍ନୀ ଓ ସେମାନଙ୍କ ଔରସରୁ ଜନ୍ମିତ ସନ୍ତାନଙ୍କୁ ନେଇ ଭାରତୀୟ ପରିବାରର ଅବଧାରଣା କରାଯାଇଛି । ଭାଗିଦାରୀ ରୂପେ ଏକାସାଙ୍ଗରେ ରହିବା ଏବଂ ସମାନ ଲିଙ୍ଗି ବ୍ୟକ୍ତିଙ୍କ ସହ ଯୌନ ସମ୍ପର୍କ ରଖିବା ଭାରତୀୟ ପରିବାରର ଅବଧାରଣା ନୁହେଁ ବୋଲି ସତ୍ୟପାଠରେ ଯୁକ୍ତି ଦର୍ଶାଯାଇଛି । ସାଧାରଣତଃ ଜଣେ ପୁରୁଷକୁ ପତି, ଜଣେ ମହିଳାଙ୍କୁ ପତ୍ନୀ ଏବଂ ସେମାନଙ୍କ ଔରସରୁ ଜନ୍ମିତ ଶିଶୁଙ୍କୁ ମିଶାଇ ପରିବାର ଆଖ୍ୟା ଦିଆଯାଇଥାଏ ।
ଏହି ପରିପ୍ରେକ୍ଷୀରେ ଭାରତୀୟ ପାରିବାରିକ ଚିନ୍ତାଧାରା ସହ ସମଲିଙ୍ଗୀ ବିବାହକୁ ତୁଳନା କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ମତବ୍ୟକ୍ତ କରିଛନ୍ତି । ସାଂପ୍ରତିକ ସମୟରେ ଭାରତୀୟ ସମାଜରେ ବିଭିନ୍ନ ପ୍ରକାର ବିବାହ ଦେଖିବାକୁ ମିଳୁଛି । ଏହାକୁ ମଞ୍ଜୁରୀ ପ୍ରଦାନ କରାଗଲେ, ଧାର୍ମିକ, ସାମାଜିକ ବିଭ୍ରାଟ ସୃଷ୍ଟି ହୋଇପାରେ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ସମଲିଙ୍ଗୀ ବିବାହରେ ଯଦି ବିବାଦର ସୂତ୍ରପାତ ଘଟେ, ତେବେ କାହାକୁ ପତି ଓ କାହାକୁ ପତ୍ନୀଭାବେ ଉପସ୍ଥାପନ କରାଯିବ ବୋଲି କେନ୍ଦ୍ର ସରକାର ସତ୍ୟପାଠରେ ପ୍ରଶ୍ନ ଉତ୍ଥାପନ କରିଛନ୍ତି । ଦୁଇ ବିପରୀତ ଲିଙ୍ଗି ବ୍ୟକ୍ତିଙ୍କ ମିଳନକୁ ବିବାହର ଆଖ୍ୟା ଦିଆଯାଇଥାଏ । ବିବାଦୀୟ ବ୍ୟବସ୍ଥା ଜରିଆରେ ଏଭଳି ପରମ୍ପରାକୁ ନଷ୍ଟ କରାଯିବା ଅନୁଚିତ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।