ଗୁଆହାଟୀ: ପଞ୍ଜାବ କିଙ୍ଗ୍ସ ଚଳିତ ଆଇପିଏଲ୍ର ୬୫ତମ ମ୍ୟାଚ୍ରେ ବୁଧବାର ରାଜସ୍ଥାନ ରୟାଲ୍ସକୁ ୫ ୱିକେଟ୍ରେ ହରାଇ ଦେଇଛି । ପୂର୍ବରୁ ପ୍ଲେଅଫ୍ରେ ସ୍ଥାନ ହାସଲ କରିସାରିଥିବା ରାଜସ୍ଥାନର ଚଳିତ ସିଜନ୍ରେ ଏହା ଲଗାତାର ଚତୁର୍ଥ ପରାଜୟ । ଅନ୍ୟପକ୍ଷରେ ପଞ୍ଜାବର କ୍ରମାଗତ ଦ୍ୱିତୀୟ ପରାଜୟ ପରେ ପ୍ରଥମ ବିଜୟ । ଏହି ବିଜୟ ସହିତ ୧୦ ପଏଣ୍ଟ୍ ନେଇ ପଞ୍ଜାବ ଟେବଲ୍ର ନବମ ସ୍ଥାନକୁ ଉଠିଛି । ରାଜସ୍ଥାପ ପରାଜୟ ଫଳରେ କୋଲ୍କାତା ନାଇଟ୍ ରାଇଡର୍ସ ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ପଏଣ୍ଟ ଟେବଲ୍ ଶୀର୍ଷରେ ସିଜନ୍ ଶେଷ କରିବା ନିଶ୍ଚିତ ହୋଇଛି । ରାଜସ୍ଥାନ ରୟାଲ୍ସ ପ୍ରଥମେ ୨୦ ଓଭର୍ରେ ୯ ୱିକେଟ୍ ହରାଇ ୧୪୪ ରନ୍ କରିଥିଲା । ଜବାବରେ ପଞ୍ଜାବ କିଙ୍ଗ୍ସ କ୍ୟାପ୍ଟେନ୍ ସାମ୍ କରନ୍ଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ୍ ବଳରେ ୧୮.୫ ଓଭର୍ରେ ୫ ୱିକେଟ୍ ବିନିମୟରେ ଲକ୍ଷ୍ୟ ହାସଲ କରିନେଇଛି ।
୧୪୫ ରନ୍ର ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବ କିଙ୍ଗ୍ସ ୪୮ ରନ୍ରେ ୪ ୱିକେଟ୍ ହରାଇଥିବା ବେଳେ ସାମ୍ କରନ୍ କ୍ୟାପ୍ଟେନ୍ ଇନିଂସ୍ ଖେଳି ଟିମ୍କୁ ବିଜୟୀ କରାଇଥିଲେ । ଟିମ୍ ୪୮ ରନ୍ରେ ୪ ୱିକେଟ୍ ହରାଇଥିବା ବେଳେ ସାମ୍ କରନ୍ ଜିତେଶ ଶର୍ମା (୨୨)ଙ୍କ ସହ ୫ମ ୱିକେଟ୍ ପାଇଁ ୬୩ ରନ୍ର ଭାଗୀଦାରି କରିଥିଲେ । ସେ ୪୧ ବଲ୍ରେ ୫ ଚୌକା ଓ ୩ ଛକା ସହାୟତାରେ ୬୩ ରନ୍ କରି ଆଶୁତୋଷ ଶର୍ମା (୧୭)ଙ୍କ ସହ ଅପରାଜିତ ରହିଥିଲେ । ପୂର୍ବରୁ ପ୍ରଭସିମ୍ରନ୍ ୬, ଜନ୍ନି ବେୟାର୍ଷ୍ଟୋ ୧୪, ରିଲି ରୁସୋ ୨୨ ରନ୍ କରିଥିବା ବେଳେ ଶଶାଙ୍କ ସିଂହ ଖାତା ଖୋଲିପାରି ନଥିଲେ । ରାଜସ୍ଥାନ ପକ୍ଷରୁ ଆଭେସ୍ ଖାନ୍ ଓ ୟୁଜବେନ୍ଦ୍ର ଚହଲ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଟେଣ୍ଟ୍ ବୋଲ୍ଟକୁ ଗୋଟିଏ ସଫଳତା ମିଳିଥିଲା ।
ପୂର୍ବରୁ ଦ୍ୱିତୀୟ ହୋମ୍ ଗ୍ରାଉଣ୍ଡ୍ ଗୁଆହାଟୀର ବାରସପାରା ଷ୍ଟାଡିୟମ୍ରେ ଟସ୍ ଜିତି ବ୍ୟାଟିଂ ନେଇଥିବା ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜୋସ୍ ବଟ୍ଲର୍ଙ୍କ ସ୍ଥାନରେ ଯଶସ୍ୱୀ ଜୟସ୍ୱାଲ୍ଙ୍କ ସହ ଟମ୍ କୋହଲର୍-କାଡମୋର୍ ଇନିଂସ୍ ଓପନ୍ କରିଥିଲେ । ଜୟସ୍ୱାଲ୍ ୪ ରନ୍ କରିଥିବା ବେଳେ ସାମ୍ କରନ୍ଙ୍କ ଦ୍ୱାରା ବୋଲ୍ଡ ଆଉଟ୍ ହୋଇ ଫେରିଥିଲେ । ଏହାପରେ କ୍ୟାପ୍ଟେନ୍ ସଞ୍ଜୁ ସାମ୍ସନ୍ ଓ କୋହଲର୍-କାଡ୍ମୋର୧୮ ରନ୍ ଲେଖାଏଁ କରି ବିଦାୟ ନେଇଥିଲେ । ୪୨ ରନ୍ରେ ଟିମ୍ ୩ ୱିକେଟ୍ ହରାଇଥିବା ବେଳେ ଆର୍ ଅଶ୍ୱିନି ଓ ରିୟାନ୍ ପରାଗଙ୍କ ମଧ୍ୟରେ ୫୦ ରନ୍ର ଭାଗୀଦାରି ହୋଇଥିଲା । ଅଶ୍ୱିନ ୨୮ ରନ୍ କରି ଆଉଟ୍ ହୋଇଥିବା ବେଳେ ଧ୍ରୁବ ଜୁରେଲ୍ ଖାତା ଖୋଲିପାରି ନଥିଲେ । ରିୟାନ୍ ପରାଗ ୩୪ ବଲ୍ରୁ ୬ ଚୌକା ସହାୟତାରେ ୪୮ ରନ୍ର ଇନିଂସ୍ ଖେଳିଥିବା ବେଳେ ଟ୍ରେଣ୍ଟ୍ ବୋଲ୍ଟ ଶେଷ ଆଡ଼କୁ ୧୨ ରନ୍ କରି ରନ୍ଆଉଟ୍ ହୋଇଥିଲେ । ପଞ୍ଜାବ ପକ୍ଷରୁ ସାମ୍ କରନ୍, ହର୍ଷଲ୍ ପଟେଲ୍ ଓ ରାହୁଲ ଚହର ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ୍ ସିଂହ ଓ ନାଥନ୍ ଏଲିସ୍ଙ୍କୁ ୧-୧ ସଫଳତା ମିଳିଥିଲା ।