ମୁମ୍ବାଇ: କରୋନାର ଦ୍ୱିତୀୟ ଲହର ଫଳରେ ବଲିଉଡ ସଂପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି । ଏମିତିରେ ଛୋଟ ବଡ ଫିଲ୍ମର ରିଲିଜ ତାରିଖ ବାତିଲ ହେବା ଦ୍ୱାରା ସମସ୍ତ ଫିଲ୍ମ ନିର୍ମାତା ଚିନ୍ତିତ ଅଛନ୍ତି । ଏହାରି ମଧ୍ୟରେ ରିଲିଜ ହେବା ପାଇଁ ସିଡ୍ୟୁଲ ହୋଇସାରିଥିବା ସଲମାନ ଖାନଙ୍କ ଫିଲ୍ମ ‘ରାଧେ’କୁ ନେଇ ନୂଆ ଖବର ସାମ୍ନାକୁ ଆସୁଛି ।
ଗତବର୍ଷ କରୋନା କାରଣରୁ ଇଦରେ ଫିଲ୍ମ ‘ରାଧେ’ ରିଲିଜ ହୋଇପାରିନଥିଲା । ବର୍ତମାନ ଏହି ଫିଲ୍ମଟି ପ୍ରେକ୍ଷାଳୟ ସମେତ ଓଟିଟି ପ୍ଲାଟଫର୍ମ ଏବଂ ଟିଡିଏଚ ପ୍ଲାଟଫର୍ମରେ ଏକାସାଙ୍ଗରେ ରିଲିଜ ହେବ । ‘ରାଧେ’ ଫିଲ୍ମର ଓଟିଟି ରାଇଟସ ଜି୫ ପାଖରେ ଅଛି ଏବଂ ‘ରାଧେ’କୁ ସିଧା ଓଟିଟି ପ୍ଲାଟଫର୍ମରେ ରିଲିଜ ହେବା ନେଇ ଚର୍ଚ୍ଚା ମଧ୍ୟରେ ସଲମାନ ଖାନ ସ୍ପଷ୍ଟ କରିଥିଲେ ଯେ, ଫିଲ୍ମକୁ ପ୍ରଥମେ ସିନେମାଘରେ ରିଲିଜ କରାଯିବ ।
ସଲମାନ ଖାନ-ଦିଶା ପାଟନୀ ଷ୍ଟାରର ଓ ପ୍ରଭୁଦେବାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମ ‘ରାଧେ’ ସିନେମାଘର ସମେତ ଓଟିଟି ପ୍ଲାଟଫର୍ମରେ ତ ଆସିବ, ହେଲେ ଟିକିଏ ଭିନ୍ନ ଅନ୍ଦାଜରେ । ‘ପେ ପର ଭ୍ୟୁ’ ରେ ଜିପ୍ଲେକ୍ସ ଓ ଡିଟିଏଚ ଚ୍ୟାନେଲରେ ଏକାସାଙ୍ଗରେ ଷ୍ଟ୍ରିମ କରାଯିବ । ଯେଉଁଠି ଏହାକୁ ଦେଖିବା ପାଇଁ ଦର୍ଶକଙ୍କୁ ନିଶ୍ଚିତ ଭାବରେ ପେମେଣ୍ଟ କରିବାକୁ ହେବ ଏବଂ ଏହାପରେ ଏହି ଫିଲ୍ମକୁ ଷ୍ଟ୍ରିମ କରାଯାଇପାରିବ । ଏହାବ୍ୟତୀତ ଦେଶ ବିଦେଶରେ ଯେଉଁଠି ସିନେମା ହଲ୍ ଖୋଲା ରହିଛି, ସେଠାରେ ମେ ୧୩ ତାରିଖରେ ଫିଲ୍ମ ‘ରାଧେ’ ରିଲିଜ କରାଯିବା ନେଇ ନିଷ୍ପତ୍ତି ହୋଇଛି ।