ନୂଆଦିଲ୍ଲୀ : ରାଜ୍ୟସଭାରେ ଶୁକ୍ରବାର ବୀରଭୂମ ନରସଂହାର ଉପରେ ବକ୍ତବ୍ୟ ରଖୁଥିବା ବେଳେ କାନ୍ଦି ପକାଇଥିଲେ ବିଜେପି ସାଂସଦ ରୂପା ଗାଙ୍ଗୁଲି । ସେ କହିଥିଲେ, ‘ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଆମେ ଦାବି କରୁଛୁ । ସେଠାରେ ସାମୂହିକ ହତ୍ୟା ହେଉଛି, ଲୋକମାନେ ସେଠାରୁ ପଳାୟନ କରୁଛନ୍ତି । ବଙ୍ଗଳା ଏବେ ରହିବା ଯୋଗ୍ୟ ହୋଇ ରହିନାହିଁ ।’ ଏହା ପୂର୍ବରୁ ବୀରଭୂମରେ ଶିଶୁ ଓ ମହିଳାଙ୍କ ସହିତ ହୋଇଥିବା ଅମାନବୀୟ ବ୍ୟବହାରକୁ ନେଇ ରୂପା ଗାଙ୍ଗୁଲି ଶୂନ୍ୟକାଳ ନୋଟିସ୍ ଦେଇଥିଲେ ।
ମମତା ସରକାରଙ୍କୁ ଟାର୍ଗେଟ୍ କରି ରୂପା ଗାଙ୍ଗୁଲି କହିଥିଲେ, ଏଥର କେବଳ ଆଠଜଣ ମରିଛନ୍ତି, ଅଧିକ ମରିଥିଲେ ବି କୌଣସି ଫରକ ପଡ଼ି ନଥାନ୍ତା । ତେବେ ସେମାନଙ୍କୁ ପୋଡ଼ି ମାରିଦିଆଯାଇଛି । ରାଜ୍ୟରେ ବେଆଇନ ବନ୍ଧୁକ ମହଜୁଦ ରଖାଯାଉଛି । ପୁଲିସ ଉପରେ ଲୋକମାନଙ୍କର କୌଣସି ଭରସା ନାହିଁ । ଯେତେବେଳେ କେବଳ ଅନୀସ୍ ଖାନ୍ ମରୁଛି, ସେତେବେଳେ ସିବିଆଇ ତଦନ୍ତ ଦାବି ହେଉଛି। ୭ ଦିନ ମଧ୍ୟରେ ୨୬ ରାଜନୈତିକ ହତ୍ୟା ହୋଇଛି । ଅଟୋପ୍ସି ରିପୋର୍ଟରେ କୁହାଯାଇଛି, ପ୍ରଥମେ ଗୋଡ଼ ହାତ ଭଙ୍ଗାଯିବା ପରେ ବନ୍ଦ ଘରେ ପୂରାଇ ପୋଡ଼ି ମାରି ଦିଆଯାଇଛି । ରୂପା ଗାଙ୍ଗୁଲି ବୀରଭୂମ ମାମଲା ଉଠାଇବା ପରେ ସଦସରେ ଭାରୀ ହଟ୍ଟଗୋଳ ହୋଇଥିଲା। ଏହାପରେ ରାଜ୍ୟସଭାର କାର୍ଯ୍ୟକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା ।