17.1 C
Bhubaneswar
Wednesday, November 27, 2024
Homeଅପରାଧ୫୦୦କୋଟିର ଚିଟ୍‌ଫଣ୍ଡ ଠକେଇ : ନିର୍ଦ୍ଦେଶକ ଗିରଫ

୫୦୦କୋଟିର ଚିଟ୍‌ଫଣ୍ଡ ଠକେଇ : ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର: ଆମ କମ୍ପାନୀରେ ଆକାଉଣ୍ଟ ଖୋଲି ୫ହଜାର ନିବେଶ କର, ମାସକୁ ତୁମକୁ ୫ଶହ ଟଙ୍କା ସୁଧ ମିଳିବ । ସେହିପରି ୧୫ହଜାର ନିବେଶ କଲେ ସୁଧ୧୫ଶହ ମିଳିବ । ଖାଲି ଏତିକି ନୁହେଁ, କମ୍ପାନୀ ଶସ୍ତାରେ ଖାଦ୍ୟ ସାମଗ୍ରୀ, ଟୁର୍ ପ୍ୟାକେଜ୍ ସେବା ମଧ୍ୟ ଯୋଗାଇଦେଉଛି । ଆପଣ ଚାହିଁଲେ ଏହାର ଫାଇଦା ଉଠାଇପାରିବେ । ଏଭଳି ଲୋଭନୀୟ ପ୍ରତିଶ୍ରୁତି ଦେଇ ଏକ ଚିଟ୍‌ଫଣ୍ଡ କମ୍ପାନୀ ଓଡ଼ିଶା ସମେତ ଦିଲ୍ଲୀ, ଝାଡ଼ଖଣ୍ଡ, ହିମାଚଳପ୍ରଦେଶରୁ ୫୦୦କୋଟି ଟଙ୍କା ଠକିନେଇଛି । ଏହି ଠକେଇ ମାମଲାର ତଦନ୍ତ କରି ରାଜ୍ୟ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ସଂସ୍ଥାର ଜଣେ ନିର୍ଦ୍ଦେଶକକୁ ବ୍ରହ୍ମପୁରରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ସକ୍‌ସେସ୍ ଅନଲାଇନ୍ ସର୍ଭିସ୍ ସିଷ୍ଟ୍‌ମ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ନିଖିଳାନନ୍ଦ ପଶୁପାଳକ । ଇଓଡବ୍ଲ୍ୟୁ ତା’ ଠାରୁ ପ୍ୟାନ୍‌କାର୍ଡ, କମ୍ପାନୀ ସମ୍ପର୍କିତ କାଗଜପତ୍ର, ଜମାକାରୀଙ୍କ ତାଲିକା, ଚେକ୍ ଜବତ ହୋଇଛି । ଗିରଫ ପରେ ନିଖିଳାନନ୍ଦକୁ ବ୍ରହ୍ମପୁର ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା । ଜାମିନ ଖାରଜ ହେବାରୁ ତାକୁ ଜେଲ୍ ପଠାଇ ଦିଆଯାଇଛି । ଏଥିରେ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ରମଣ ସିଂ ଓ ରାକେଶ କୁମାରଙ୍କୁ ଧରିବା ଲାଗି ଇଓଡବ୍ଲ୍ୟୁ ଚେଷ୍ଟା ଚଳାଇଛି ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ଗଜିଆବାଦ୍ ବସୁନ୍ଧରା ଅଞ୍ଚଳରେ ସକ୍‌ସେସ୍ ଅନଲାଇନ୍ ସର୍ଭିସ୍ ସିଷ୍ଟ୍‌ମ ପ୍ରାଇଭେଟ୍ ଲିମିଟେଡ୍‌ର ମୁଖ୍ୟଅଫିସ ରହିଥିଲା । ଓଡ଼ିଶା ସମେତ ଦିଲ୍ଲୀ, ହିମାଚଳପ୍ରଦେଶ, ଝାଡ଼ଖଣ୍ଡରେ ଏହି ସଂସ୍ଥାର ଆଞ୍ଚଳିକ ଅଫିସ୍ ଚାଲୁଥିଲା । ଓଡ଼ିଶାର ବ୍ରହ୍ମପୁରରେ ଏହାର ଆଞ୍ଚଳିକ ଅଫିସ ଥିବାବେଳେ ସେଠାକାର ପରିଚାଳନା ନିର୍ଦ୍ଦେଶକ ଭାବେ ଅଭିଯୁକ୍ତ ନିଖିଳାନନ୍ଦ କାର୍ଯ୍ୟ କରୁଥିଲେ । ୨୦୧୦ରୁ ୨୦୧୨ ମଧ୍ୟରେ କମ୍ପାନୀ ଲୋକଙ୍କୁ ବିଭିନ୍ନ ସ୍କିମ୍ ଜରିଆରେ ପ୍ରଲୋଭିତ କରିଥିଲା । ବିଶେଷକରି ୩ଟି ସ୍କିମ୍‌ରେ ୬ହଜାର, ୧୫ହଜାର, ୨୫ହଜାର ଟଙ୍କା ଜମା କରିବାକୁ କହିଥିଲା । ଏହି ଟଙ୍କା ଜମା ପରେ ମାସିକ ୫ରୁ ୧୦ପ୍ରତିଶତ ସୁଧ ଦେବାକୁ କମ୍ପାନୀ କହିଥିଲା । ଖାଲି ଏତିକି ନୁହେଁ, ଗ୍ରାହକଙ୍କୁ ଫୁଡ୍ ପ୍ୟାକେଜ୍‌, ହେଲ୍‌ଥ କେୟାର ସାମଗ୍ରୀ, ଟୁର୍ ପ୍ୟାକେଜ୍ ଅଫର୍ କରୁଥିଲେ । ଏହିସବୁ ସ୍କିମ୍‌ରେ ଲୋକମାନେ ବଶୀଭୂତ ହୋଇ କମ୍ପାନୀରେ ଟଙ୍କା ଜମା କରିଥିଲେ । ସାରାଦେଶରୁ ଏହି କମ୍ପାନୀ ୫୦୦ଟଙ୍କା ଠକେଇ କରିଥିବାବେଳେ କେବଳ ଓଡ଼ିଶାରୁ ୫କୋଟି ଠକିନେଇଛି ।

ଓଡ଼ିଶାର ୧୫୦୦ରୁ ୨ହଜାର ଲୋକ ଏହି କମ୍ପାନୀରେ ଟଙ୍କା ଜମା କରିଥିଲେ । ଟଙ୍କା ନେବାର କିଛିଦିନ ପରେ କମ୍ପାନୀ କିଛିମାସ ଗ୍ରାହକଙ୍କ ଆକାଉଣ୍ଟରେ ସୁଧ ଜମା କରିଥିଲା । ହେଲେ ୨୦୧୪ରୁ ୧୫ ମଧ୍ୟରେ କମ୍ପାନୀର ବ୍ରହ୍ମପୁର ଅଫିସ ହଠାତ୍ ବନ୍ଦ ହୋଇଯାଇଥିଲା । ଜମାକାରୀ କମ୍ପାନୀର ପରିଚାଳନା ନିର୍ଦ୍ଦେଶକଙ୍କୁ ଖୋଜିଥିଲେ ବି ପାଇନଥିଲେ । ଶେଷରେ ଜମାକାରୀମାନେ କମ୍ପାନୀର ମୁଖ୍ୟ ଅଫିସକୁ ମଧ୍ୟ ଯାଇଥିଲେ । ହେଲେ ସେଠାରେ ଅଫିସ ତାଲା ପଡ଼ିଥିବା ଦେଖିଥିଲେ । ୨୦୧୬ ଅଗଷ୍ଟ ୧୭ତାରିଖରେ ବ୍ରହ୍ମପୁରର ପର୍ଶୁରାମ ବେହେରା ନାମକ ଜଣେ ବ୍ୟକ୍ତି କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଇଓଡବ୍ଲ୍ୟୁ ପୁଲିସ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ନିଖିଳାନନ୍ଦ ପଶୁପାଳକ, ରମଣ କୁମାର ସିଂ, ସେକ୍ରେଟାରୀ ରାକେଶ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଇଓଡବ୍ଲ୍ୟୁ ଗତ ୫ବର୍ଷ ଧରି ତଦନ୍ତ ଜାରି ରଖିଥିବାବେଳେ ଅଭିଯୁକ୍ତ ନିଖିଳାନନ୍ଦକୁ ଗୁରୁବାର ଗିରଫ କରିବାରେ ସଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking