ରାଉରକେଲା: ରାଉରକେଲା କଣ୍ଟେନମେଣ୍ଟ ଜୋନରେ ପୋଲିସର ମନମୁଖୀ କାର୍ଯ୍ୟ ପାଇଁ ପୁଣି ଶତାଧିକ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି । କଣ୍ଟେନମେଣ୍ଟ ନିୟମ ଭାଙ୍ଗି ପୋଲିସ ଦ୍ବାରା କରାଯାଇଥିବା ବ୍ୟାରିକେଡ ନିକଟକୁ ଆସିବା ସହ ପୋଲିସ ସହ ଯୁକ୍ତି କରିଥିଲେ । ପୋଲିସ ସେମାନଙ୍କୁ ବୁଝାସୁଝା କରିବା ସହ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବା ପରେ ପରିସ୍ଥିତିରେ ଶାନ୍ତ ପଡିଥିଲା ।ପ୍ଲାଣ୍ଟସାଇଟ ଅଞ୍ଚଳରେ ପୋଲିସ ସାଧାରଣ ଆବଶ୍ୟକୀୟ ସାମଗ୍ରୀ ଛାଡୁ ନଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକେ । ସେମାନେ ବହୁତ ସମୟ ପୋଲିସ ସହ ଯୁକ୍ତି ତର୍କ କରିଥିବା ଦେଖିବାକୁ ମିଳିଥିଲା ।
ରାଉରକେଲାକୁ ବିଶୋଧନ କରୁଛି ଡ୍ରୋନ
ରାଉରକେଲା: ଡ୍ରୋନରେ ହେଲା ସହରର ବିଭିନ୍ନ ହସ୍ପିଟାଲ ଓ ସରକାରୀ କାର୍ଯ୍ୟାଳୟର ବିଶୋଧନ । ରାଉରକେଲା ସରକାରୀ ହସ୍ପିଟାଲ, ହାଇଟେକ କୋଭିଡ ହସ୍ପିଟାଲ, ମହାନଗର ନିଗମ କାର୍ଯ୍ୟାଳୟ, ଏଡିଏମ୍ ଅଫିସ, କୋର୍ଟ ବିଲ୍ଡିଂ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର ବିଶୋଧନ କରାଯାଇଛି । ସେହିପରି ସହରର ମୁଖ୍ୟ ମାର୍ଗ ଆଜି ଡ୍ରୋନ ମାଧ୍ୟମରେ ବିଶୋଧନ କରାଯିବ ବୋଲି କୁହାଯାଇଛି ।
କଣ୍ଟେନମେଣ୍ଟ ମୁକ୍ତ ହେଲା ବିଶ୍ରା ଆସିଆନା ଅଞ୍ଚଳ
ସୁନ୍ଦରଗଡ :ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ବିଶ୍ରା ଆସିଆନା ଅଞ୍ଚଳକୁ କଣ୍ଟେନମେଣ୍ଟ ମୁକ୍ତ କରିଛନ୍ତି। ପ୍ରଥମ କୋରୋନା ପଜିଟିଭ କେସ ମିଳିବା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ସମ୍ପୂର୍ଣ୍ଣ ସିଲ କରି ଦିଆ ଯାଇଥିଲା।ତେବେ 24 ଦିନ ପରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଏହି ଅଞ୍ଚଳକୁ ପରିଦର୍ଶନ କରିବା ସହ କଣ୍ଟେନମଣ୍ଟ ମୁକ୍ତ କରିଛନ୍ତି। କିନ୍ତୁ ଲକଡାଉନ ନିୟମକୁ କଡାକଡି ଭାବେ ପାଳନ କରାଯିବ। ସେହିପରି ଗୁଡ଼ଗୁଡ଼ଜୋରରେ କଣ୍ଟେନମେଣ୍ଟ ଜୋନ ଜାରି ରହିବ ବୋଲି କୁହାଯାଇଛି।ସୂଚନା ଥାଉକି, ବର୍ତ୍ତମାନ ସୁଦ୍ଧା ଝାରସୁଗୁଡାରୁ 12 ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ 5 ଜଣ ସୁସ୍ଥ ହୋଇ ଫେରିଛନ୍ତି।