ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅର୍ନ୍ତଗତ ବେନ୍ଦେର ଗ୍ରାମପଞ୍ଚାୟତର ଚହକପଡା ଗ୍ରାମର ଏକ ପଡା କୁଆଁରିମାଲ ଯେଉଁଠାରେ କି ସ୍ୱାଧୀନତାର ୭୫ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପଡାବାସୀ ନଈପାଣି ଉପରେ ନିର୍ଭର କରି ଚଳିଆସୁଥିବା ଦେଖିବାକୁ ମିଳିଛି । ଚହକପଡା ଗ୍ରାମରୁ ପ୍ରାୟ ତିନି କିଲୋମିଟର ଦୂରରେ ଥିବା କୁଆଁରିମାଲ ପଡା ନିଜସ୍ୱ ଗ୍ରାମ ଚହକପଡା ଠାରୁ ବିଛିନ୍ନାଞ୍ଚଳ ଭାବରେ ରହିଅଛି । ଏହି ପଡାକୁ ପ୍ରାୟ ତିନୋଟି ନାଳ ନିଜସ୍ୱ ଗ୍ରାମରୁ ବିଛିନ୍ନ କରିଥିବା ବେଲେ ଚହକପଡା ଗ୍ରାମକୁ ଯିବା ଆସିବା କରିବାରେ ତିନି ଚାରିି କିଲୋମିଟର ବୁଲାଣିଆ ରାସ୍ତା ଆପଣେଇବାକୁ ପଡିଥାଏ । କୁଆଁରିମାଲରେ ଏଗାରଟି ପରିବାରରୁ ଉର୍ଦ୍ଧ୍ୱ ବସବାସ କରୁଥିବା ବେଳେ ପ୍ରାୟ ଶହେରୁ ଦେଢଶହ ଲୋକ ରହୁଛନ୍ତି । ଏହିପଡାରେ ଲୋକେ ଅତି ସାଧାରଣ ଭାବରେ ଜୀବନଯାପନ କରୁଥିବା ବେଳେ ନିଜର ବ୍ୟବହର ଉପଯୋଗୀ ପାଣି ପାଇଁ ପ୍ରାୟ ଏକ କିଲୋମିଟର ଚାଲିଚାଲି ପଡାର ମହିଳାମାନେ ପାଖରେ ଥିବା ନଈ ବା କେନାଲକୁ ଯାଇ ସେଠାରେ ବାଳିଚୂଆଁ କରି ମାଠିଆରେ ପାଣି ଭର୍ତ୍ତି କରି ଆଣୁ ଥିବା ଦୃଶ୍ୟ ଆମଦେଶର ୭୫ବର୍ଷର ସ୍ୱାଧୀନତା ପରେ ବି ଦେଖିବାକୁ ମିଳୁଛି । ବହୁ ଦିନରୁ କୁଆଁରିମାଲର ଲୋକମାନେ ପ୍ରଶାସନ ପାଖରେ ଅନେକ ଅଭିଯୋଗ କରିଥିିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ତଥା ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ତରଫରୁ ଏକ ନଳକୂପର ବନ୍ଦୋବସ୍ତ କରିଥିଲେ ହେଲେ ତାହା ମଧ୍ୟ ଅଚଳ ହୋଇ ପଡିରହିଛି । ଏବେ ବର୍ଷାଦିନରେ ମହିଳାମାନଙ୍କୁ ପାଣି ପାଇଁ ଆହୁରି କଷ୍ଟ କରିବାକୁ ପଡୁଛି । ପାଣି ପାଇଁ ମହିଳାମାନେ ନଈର ଆରପଟକୁ ଯାଇ ପାଣି ଆଣିଥାନ୍ତି କିନ୍ତୁ ବର୍ଷାଦିନରେ ନଈ ପାଣିରେ ଭର୍ତ୍ତି ହୋଇଯିବା ସମୟରେ ଆରପଟକୁ ଯିବା ପାଇଁ ନଈପାଣିକୁ ପାର ହୋଇ ଯିବାକୁ ପଡିଥାଏ । ଏହାଦ୍ୱାରା ମହିଳାମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଥାଏ । ତେଣୁ କୁଆଁରିମାଲରେ ପାଣି ଏକ ମୂଖ୍ୟ ସମସ୍ୟା ହୋଇ ରହିଯାଇଛି । ତେଣୁ ଏଠାରେ ପ୍ରଶାସନ ପାଣି ସମସ୍ୟା ଦୂର କରିବା ସହିତ ଘରକୁ ଘର ପାଣି ଯୋଗାଇବାର ସୁବନ୍ଦୋବସ୍ତ କରିବା ପାଇଁ କୁଆଁରିମାଲର ଅଧିବାସୀ ମହିଳା ଓ ପୁରୁଷ ଦାବୀ କରିଛନ୍ତି । ତେବେ ଏନେଇ ଖପ୍ରାଖୋଲ ବ୍ଲକ ତରଫରୁ ଖପ୍ରାଖୋଲ ବିଡିଓଙ୍କୁ ଏକ ଅଭିଯୋଗ ସହିତ ଦାବୀ ପତ୍ର ମଧ୍ୟ ପ୍ରଦାନ କରାଯାଇଥିବା ଜଣାପଡିଛି ।