ସମ୍ବଲପୁର: କ୍ରମାଗତ ଭାବେ ସାଇବର୍ ଠକେଇ ବଢ଼ିବାରେ ଲାଗିଛି ।ଏହାରି ଭିତରେ ସମ୍ବଲପୁରର ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଛନ୍ତି । ବୁର୍ଲା ସୌରଭ ବିହାରରେ ରହୁଥିବା ରାମଗୋପାଳ ପାଣିଗ୍ରାହୀ କ୍ଲୋନିଂ ୱେବ୍ସାଇଟ୍ ମାଧ୍ୟମରେ ସାଇବର୍ ଠକେଇର ଶିକାର ହୋଇ ୫୦ ହଜାର ଟଙ୍କା ହରାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦ ତାରିଖ ରାତି ଏସ୍ବିଆଇ ଲେଖା ଥାଇ ଏକ ମେସେଜ୍ ତାଙ୍କ ପାଖକୁ ଆସିଥିଲା। ୟୋନୋରେ ୪୯୮୮ ରିଵାର୍ଡ ପଏଣ୍ଟ ରିଦିମ୍ କରିବା ପାଇଁ ସେଥିରେ ଉଲ୍ଲେଖ ଥିଲା ଏବଂ ରିଵାର୍ଡ ପଏଣ୍ଟକୁ ଟଙ୍କାରେ ବଦଳାଇବାକୁ ଆଜି ଶେଷ ତାରିଖ (ଫେବ୍ରୁଆରି ୨୦) ବୋଲି ଲେଖା ଯାଇଥିଲା। ତା’ ସାଙ୍ଗରେ ଗୋଟିଏ ଲିଙ୍କ୍ ଦିଆଯାଇଥିଲା। ଲିଙ୍କ୍ କ୍ଲିକ୍ କରିବା ପରେ ଏସ୍ବିଆଇର ୱେବ୍ସାଇଟ୍ ଭଳି ଅବିକଳ ନକଲ ୱେବ୍ସାଇଟ୍(କ୍ଲୋନିଂ ୱେବ୍ସାଇଟ୍) ଖୋଲି ଯାଇଥିଲା। ଇଣ୍ଟରନେଟ୍ ବ୍ୟାଙ୍କିଂ ଭଳି ୟୁଜର୍ ନେମ୍ ଓ ପାସଵାର୍ଡ ସେଟ୍ କରିବା ପରେ ଓଟିପି ମଗାଯାଇଥିଲା। ୨ ଥର ସେ ଓଟିପି ଦେଇଥିଲେ। ଏସବୁ ମଧ୍ୟରେ ଠକ ତାଙ୍କ ଆକାଉଣ୍ଟରୁ ୪୯,୮୮୮ ଟଙ୍କା କାଟି ନେଇଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ସାଇବର୍ ହେଲ୍ପ ଲାଇନ୍ ନମ୍ବରରେ ଯୋଗାଯୋଗ କରି ଅଭିଯୋଗ କରିଥିଲେ। ପରେ କୌଣସି ଉପାୟ ନ ପାଇ ମଙ୍ଗଳବାର ରାତି ରାମଗୋପାଳ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟ ଏକ ଘଟଣାକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ରହୁଥିବା ସମ୍ବିତ ପଣ୍ଡା ୫୬ ହଜାର ଟଙ୍କା ସାଇବର୍ ଠକେଇର ଶିକାର ହୋଇଛନ୍ତି। ତାଙ୍କର ଜଣେ ଆଇନଜୀବୀ ସାଙ୍ଗ ପାଖରୁ ଏକ କଲ୍ ଆସିଥିଲା। ଜଣେ ସିଆର୍ପିଏଫ୍ ଜବାନ ସାଙ୍ଗ ତାର ଘରକରଣା ସାମଗ୍ରୀମାନ ବିକ୍ରି କରିବାକୁ ଚାହୁଥିବା ସେ କହିଥିଲେ। ତାଙ୍କ ସହ ଯୋଗାଯୋଗ କରିବାକୁ ନମ୍ବର ମଧ୍ୟ ଦେଲେ। ଜିନିଷ କିଣିବା ପାଇଁ ସେହି ନମ୍ବରରେ ସମ୍ବିତ ଯୋଗାଯୋଗ କରିବାରୁ ଆଜି ଚାଲିଯିବି କହିବା ସହ ଗୁଗୁଲ ପେ’ ମାଧ୍ୟମରେ ଟଙ୍କା ପଠାଇବାକୁ କହିଥିଲେ। ତା କଥାରେ ବିଶ୍ବାସ କରି ପ୍ରଥମେ ୨ଟି ପର୍ଯ୍ୟାୟରେ ସେ ୨୫ ହଜାର ଟଙ୍କା ଦେଇଥିଲେ।ଏ ନେଇ ସମ୍ବିତ ମଙ୍ଗଳବାର ରାତି ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।