ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାର ଚତୁର୍ଦ୍ଦଶ କିସ୍ତି ପ୍ରଦାନ କରିଛନ୍ତି । ଏହି କିସ୍ତିରେ ପ୍ରାୟ ୮.୫ କୋଟି ଚାଷୀ ଉପକୃତ ହୋଇଥିବାବେଳେ ସେମାନଙ୍କ ଆକାଉଣ୍ଟକୁ ୧୭,୦୦୦ କୋଟି ଟଙ୍କା ପଠାଯାଇଛି । ୨୦୧୯ ଫେବୃଆରୀ ୧ରେ ପିଏମ୍ କିଶାନ ନିଧି ଯୋଜନା ଆରମ୍ଭ କରାଯାଇଥିଲା । ତଦନୁଯାୟୀ ଯୋଜନାରେ ଅନ୍ତର୍ଭୁକ୍ତ ଦେଶର ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା କିସ୍ତି ଅନୁଯାୟୀ (ପ୍ରତ୍ୟେକ କିସ୍ତି ୨୦୦୦ ଟଙ୍କା) ପ୍ରଦାନ କରାଯାଉଛି । ଏ ବାବଦରେ କେନ୍ଦ୍ର ସରକାରଙ୍କୁ ପ୍ରତିବର୍ଷ ୭୫ ହଜାର କୋଟି ଟଙ୍କାର ବ୍ୟୟଭାର ବହନ କରିବାକୁ ପଡୁଛି । ଏପର୍ଯ୍ୟନ୍ତ ଏହି ଯୋଜନାରେ ପ୍ରାୟ ୨.୩୬ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ୧୧ କୋଟି କ୍ଷୁଦ୍ର ଓ ମଧ୍ୟମ ବର୍ଗର ଚାଷୀ ଉପକୃତ ହୋଇସାରିଛନ୍ତି ।