– ଉପନିବେଶବାଦର ଲିଗାସିରୁ ମୁକ୍ତି ପାଇଁ ପ୍ରୟାସ ହେବା ସ୍ୱାଗତଯୋଗ୍ୟ
– କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବକ୍ତବ୍ୟକୁ ବୁଝିବା ପାଇଁ ହେଲେ ବିରୋଧୀ ଦଳମାନେ ସେମାନଙ୍କର ବୌଦ୍ଧିକ ସକ୍ଷମତାକୁ ବୃଦ୍ଧି କରିବାକୁ ପଡ଼ିିବ
– ନଅଙ୍କ ଦୁର୍ଭିକ୍ଷ ସମୟରେ ଥୋମାସ ରେଭେନ୍ସାଙ୍କର ଭୂମିକା କ’ଣ ଥିଲା ତାହା ବୋଧହୁଏ ବିରୋଧୀ ଦଳଙ୍କୁ ଜଣାନାହିଁ
– ପ୍ରସିଦ୍ଧ ପୁସ୍ତକ “ଦେଶ କାଳ ପାତ୍ର” ଓ କ୍ୟାମ୍ପବେଲ କମିଶନଙ୍କ ରିପୋର୍ଟ କଂଗ୍ରେସ ଓ ବିଜେଡିର ନେତାମାନେ ପଢ଼ିବା ଦରକାର
– ବିଜେଡି ୨୪ ବର୍ଷ ଶାସନ କଲା, ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁରେ ଇଂଚେ ଜମି ନାହିଁ
ଭୁବନେଶ୍ୱର : ପାଣ୍ଡିଆନଙ୍କ ଭଳି ନକଲି ଶାସକଙ୍କ ପାଇଁ ଓକିଲାତି କରି ଶାସନରୁ ବିଦା ହୋଇଥିବା ବିଜୁ ଜନତା ଦଳ ଆଜି ଆଉ ପାଦେ ଆଗକୁ ଯାଇ ଜଣେ ବ୍ରିଟିଶ୍ ଅଫିସର ଥୋମାସ୍ ଏଡ୍ୱାର୍ଡ ରେଭେନ୍ସା, ଯାହାଙ୍କ ପାଇଁ ନଅଙ୍କ ଦୁର୍ଭିକ୍ଷ ସମୟରେ ଓଡ଼ିଶାର ୨୦ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା ତାଙ୍କ ପାଇଁ ଓକିଲାତି କରୁଛି । ବିରୋଧୀ ଦଳରେ ବସିବା ପରଠାରୁ ଆଜି ପର୍ଯ୍ୟନ୍ତ ବିଜୁ ଜନତା ଦଳ କେବଳ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ରାଜନୀତି କରିବା ପାଇଁ ଚାହୁଁଛି । ଗତକାଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବକ୍ତବ୍ୟକୁ ବିଜୁଜନତା ଦଳ ଏବଂ କଂଗ୍ରେସ ବୋଧହୁଏ ବୁଝିପାରି ନାହାନ୍ତି ବା ତାକୁ ବୁଝିବା ପାଇଁ ସେମାନଙ୍କର ବୌଦ୍ଧିକ ସକ୍ଷମତାର ଅଭାବ ରହିଛି । ନଅଙ୍କ ଦୁର୍ଭିକ୍ଷ ସମୟରେ ଯେତେବେଳେ ଓଡ଼ିଶାର ଲୋକ ମରୁଥିଲେ, ସେତେବେଳେ ରେଭେନ୍ସା ସାହେବ ହୁକ୍କା ଟାଣିବାରେ ବ୍ୟସ୍ତ ଥିଲେ ବୋଲି ପ୍ରସିଦ୍ଧ ଲେଖକ ଜେ.ପି ଦାସ ତାଙ୍କ ପୁସ୍ତକ “ଦେଶ କାଳ ପାତ୍ର”ରେ ଲେଖିଛନ୍ତି । ନଅଙ୍କ ଦୁର୍ଭିକ୍ଷ ପାଇଁ ବସିଥିବା କ୍ୟାମ୍ପବେଲ୍ ତଦନ୍ତ କମିଶନ ଆଗରେ ରେଭେନ୍ସା ସାହେବ ନିଜେ କହିଛନ୍ତି ଯେ, ଓଡ଼ିଆମାନେ ଅତ୍ୟନ୍ତ ଉତ୍ସାହହୀନ ଓ ଆଳସ୍ୟପରାୟଣ । ଏଭଳି ଜଣେ ବ୍ୟକ୍ତି ପାଇଁ ବିଜୁ ଜନତା ଦଳ ଓ କଂଗ୍ରେସ ଦଳର ଓକିଲାତି ଶୋଭାପାଉନାହିଁ ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସେହି ବିବାଦୀୟ ବ୍ରିଟିଶ୍ ଅଫିସରଙ୍କ ନାଁରେ ଶିକ୍ଷା ଅନୁଷ୍ଠାନ ରହିବା ଉଚିତ୍ କି ନାହିଁ ସେନେଇ ବିତର୍କ ହେବାର ଆବଶ୍ୟକତା ଅଛି ବୋଲି କହିଛନ୍ତି । କୌଣସି ନିଷ୍ପତି ପୂର୍ବରୁ ବିତର୍କର ଆବଶ୍ୟକତା ଏକ ସୁସ୍ଥ ଗଣତନ୍ତ୍ରର ପରିଚୟ । ତାଙ୍କ ବକ୍ତବ୍ୟରୁ ଏକଥା ସ୍ପଷ୍ଟ ଯେ, ଏବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଅସଲ ନିର୍ମାତାଙ୍କୁ ସମ୍ମାନ ଦେବାର ସମୟ ଆସିଛି । ସାରା ଦେଶ ଉପନିବେଶବାଦ ଏବଂ ବୈଦେଶିକ ଆକ୍ରମଣକାରୀମାନଙ୍କ ଲିଗାସିରୁ ମୁକ୍ତି ହେବା ପାଇଁ ଚାହୁଁଥିବାବେଳେ ଆମେ କାହିଁକି ସେହି ରୋଗରୁ ମୁକ୍ତ ହେବା ନାହିଁ । ରେଭେନ୍ସା ବିଶ୍ୱବିଦ୍ୟାଳୟ କେବଳ ଓଡ଼ିଶାର ନୁହେଁ, ଦେଶର ଏକ ସୁନାମଧନ୍ୟ ବିଶ୍ୱବିଦ୍ୟାଳୟ । ଏହି ଶିକ୍ଷାନୁଷ୍ଠାନ ଗଠନ ସମୟରେ ଓ ପରବର୍ତୀ ସମୟରେ ଓଡ଼ିଶାର ଅନେକ ବରପୁତ୍ର ବହୁ ତ୍ୟାଗ କରିଛନ୍ତି । ମୟୁରଭଞ୍ଜ ମହାରାଜା ସେସମୟରେ ୨୦ହଜାର ଟଙ୍କା ଦାନ ଦେଇଥିଲେ । ଆଜି ବି ରେଭେନ୍ସା ବିଶ୍ୱବିଦ୍ୟାଳୟ ମଧ୍ୟରେ ଥିବା ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନର ପରୀକ୍ଷାଗାର ପାଖରେ ଥିବା ମାର୍ବଲ ପଥରରେ ଖୋଦେଇ ଏହାର ପ୍ରମାଣ ହୋଇ ବିଦ୍ୟମାନ । କନିକା ମହାରାଜାଙ୍କ ପାଇଁ ସେଠାରେ ପାଠଗାର ସ୍ଥାପନ ହୋଇଥିଲା । ବରିଷ୍ଠ ଶିକ୍ଷାବିତ୍ ଯଥା ପ୍ରଫେସର ପି.କେ. ପରିଜା, ପ୍ରଫେସର ବଳଭଦ୍ର ପ୍ରସାଦ, ପ୍ରଫେସର ଜି.ବି. ଧଳ, ପ୍ରଫେସର ରାମନାଥ ମହାନ୍ତି ଓ ପ୍ରଫେସର ହରିହର ମିଶ୍ରଙ୍କ ଭଳି ଅନେକ ମହାନ୍ ମନିଷିମାନେ ବିଦେଶରେ ପାଠ ପଢ଼ିଲା ପରେ ମଧ୍ୟ ବାହାରେ ଚାକିରୀ ନ କରି ଏହି ଶିକ୍ଷାନୁଷ୍ଠାନକୁ ଗଢ଼ି ତୋଳିବାରେ ବଡ଼ଭୂମିକା ନେଇଥିଲେ । ରେଭେନ୍ସା ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ପରବର୍ତୀ ସମୟରେ ଏହାର ଅଗ୍ରଗତି ସମ୍ଭବ ହୋଇଛି କେବଳ ଓଡ଼ିଆ ଲୋକଙ୍କ ପାଇଁ ଏବଂ ଓଡ଼ିଆ ଲୋକଙ୍କ ଦ୍ୱାରା । ରେଭେନ୍ସା ସାହେବଙ୍କର ଏଥିରେ ବହୁତ ବଡ଼ ଭୂମିକା ନ ଥିଲା । ସେ କେବଳ ନଅଙ୍କ ଦୁର୍ଭିକ୍ଷ ଅପବାଦରୁ ମୁକ୍ତି ପାଇବା ପାଇଁ ଚେଷ୍ଠା କରୁଥିଲେ ।
ବିଜେଡି ୨୪ ବର୍ଷ ଶାସନ କରିଥିଲା, କିନ୍ତୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁରେ ଇଂଚେ ଜମି ନାହିଁ ବୋଲି ଏକଥା ବିଜେଡି ଶାସନରେ ଥିଲାବେଳେ ହିଁ ସରକାର ସ୍ୱୀକାର କରିଥିଲେ । ସେହି ଶିକ୍ଷାନୁଷ୍ଠାନ ପ୍ରତି ନବୀନ ପଟ୍ଟନାୟକଙ୍କ ସରକାର ଅବହେଳା କରିଥିଲେ । ଓଡ଼ିଆ ଲୋକେ ତାଙ୍କ ଅତୀତକୁ ନେଇ ଗର୍ବ କରନ୍ତୁ ଏକଥା ବିଜେଡି ଚାହୁଁନାହିଁ । ପୂର୍ବରୁ ବିଜେଡି ଅଣଓଡ଼ିଆ ଅଫିସରଙ୍କ ପାଇଁ ଓକିଲାତି କରୁଥିଲା, ଏବେ ଜଣେ ନରହନ୍ତା ବ୍ରିିଟିଶ ଅଫିସରଙ୍କ ସପକ୍ଷରେ କହୁଛି । ବିଜେଡି ସାମନ୍ତବାଦ ଓ ଉପନିବେଶିକତାବାଦ ବ୍ୟବସ୍ଥାରୁ ବାହାରିବାକୁ ଚାହୁଁନାହିଁ । ଏନେଇ ଖୋଲା ବିତର୍କ କରିବା ପାଇଁ ବିଜେଡିକୁ ଆହ୍ୱାନ କରୁଛୁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।










