26.1 C
Bhubaneswar
Saturday, October 19, 2024
Homeଓଡିଶାରଥଖଳା ହାଲ୍‌ଚାଲ୍‌: ଆରମ୍ଭ ହେଲା ତିନିରଥର ‘ବେଦୀ’ ନିର୍ମାଣ

ରଥଖଳା ହାଲ୍‌ଚାଲ୍‌: ଆରମ୍ଭ ହେଲା ତିନିରଥର ‘ବେଦୀ’ ନିର୍ମାଣ

ପୁରୀ : ଚଳଚଞ୍ଚଳ ରଥଖଳା । ଆଜି ତିନିରଥର ମୋଟ ୧୯୮ ଜଣ ନିର୍ମାଣକାରୀ ସେବକମାନେ ସକାଳ ୮ଟାରେ ରଥଖଳାରେ ଉପସ୍ଥିତ ହୋଇ ମୁଖ୍ୟ ମହାରଣାଙ୍କ ପରାମର୍ଶକ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏଥି ସହ ୩୪ ଜଣ ଚିତ୍ରକାର ସେବକ ଏବଂ ୧୭ ଜଣ ଦରଜି ସେବକ ରଥ କନା କାର୍ଯ୍ୟରେ ସାମିଲ ଅଛନ୍ତି ।

ଗତକାଲି ତିନିରଥର ‘ପ୍ରଭା’ ନିର୍ମାଣ ଶେଷ ହେବା ସହ ତିନିରଥର ଆଗଆଣି ଏବଂ ପଛଆଣି ଦୁଇଟି ଲେଖାଏଁ ‘କତରା’ ଫିଟିଙ୍ଗ ହୋଇଥିଲା । ଆଜି ତିନିରଥର ‘ବେଦୀ’ ନିର୍ମାଣ ଆରମ୍ଭ ହୋଇଛି । ଚାରି ପାର୍ଶ୍ୱରେ ପଟା ବାଡ଼ିଆ କାର୍ଯ୍ୟ ସହ ଆଜି ତିନିରଥର ଆଗଆଣି, ପଛଆଣି ଢମକ ମଝିରେ ପାଞ୍ଚୋଟି ଲେଖାଏଁ ‘ଜଗତପୃଷ୍ଠ ଶେଣୀ’ ପକାଯାଉଛି ।

ଏହି ବେଦୀର ପରିସରକୁ ବୃଦ୍ଧି କରିବା ପାଇଁ ଜଗତପୃଷ୍ଠ ଶେଣୀ ଉଭୟ ପାର୍ଶ୍ୱର ଚାରି ନାହାକା ଏବଂ ଚଉଦ ନାହାକା ରେ ତିନୋଟି ଲେଖାଏଁ ‘ବାହୁଟ ଫାଳିଆ’ ସାତ, ଦେଢ଼ ସାଇଜର ଚଉପଟ ଫାଳି ପଟା ବାଡ଼ିଆ ଯାଇଛି । ଏହା ପରେ ସମ୍ମୁଖ ଭାଗକୁ ଛାଡ଼ି ତିନି ପାର୍ଶ୍ୱରେ ‘ଗାଈଆଳ ମାଳ’ ପଟା ବାଡ଼ିଆ ପରେ ବେଦୀ ନିର୍ମାଣ ପୂର୍ଣାଙ୍ଗ ହେବ । ତିନିରଥର ୨୦ ଫୁଟର ଆଠ କୋଣୀ ବିଶିଷ୍ଟ ଦୁଇଟି ଲେଖାଏଁ ‘ଘୋଡା ଇଶ’ ନିର୍ମାଣ ଶେଷ ହୋଇଛି । ଏଥି ସହ ତିନିରଥ ପାଇଁ ୪ଟି ଲେଖାଏଁ ‘ଧ୍ୱଜବତା’ ନିର୍ମାଣ ଶେଷ ପର୍ଯ୍ୟାୟରେ । ଏହି ‘ଧ୍ୱଜ ବତା’ ଦୁଆର ବେଢ଼ାକୁ ଟାଣି ଧରିବା ପାଇଁ ପ୍ରଥମ ଭୂଇଁ ଅଗ୍ରଭାଗ ଦ୍ୱିତୀୟ ଭୂଇଁ ଶେଣୀରେ ସେଟିଙ୍ଗ ହେବ ।

ଆଜି ତାଳଧ୍ୱଜ ରଥର ମୁଖ୍ୟ ରୂପକାର ସେବକ ପ୍ରଭାରେ ରୂପ ଖୋଦେଇ ପୂର୍ବରୁ ମାହାର୍ଦ୍ ରଖି ଅନୁକୂଳ ପୂଜା ଆରମ୍ଭ କରିବା ପରେ ନନ୍ଦିଘୋଷ ରଥ ଏବଂ ଦର୍ପଦଳନ ରଥର ‘ପ୍ରଭା’ର ଅନୁକୂଳ ପୂଜା ବଢି ରୂପକାର ସେବକ ମାନେ ତିନିରଥର ପ୍ରଭା ଉପର ଭାଗରେ ରାହୁ ରୂପ ଚିତ୍ର ସହ ପ୍ରଭା ନିମ୍ନ ଭାଗ ଦୁଇ ପାର୍ଶ୍ୱରେ ମଗର ମୁଖ ଚିତ୍ର ଆଙ୍କି ରୂପ ଖୋଦେଇ ଆରମ୍ଭ କରିଛନ୍ତି ।

ଏଥି ସହ ତିନି ରଥର ଆସୁଆରୀ ରେ ରୂପକାର ସେବକମାନେ ସିଂହ ବିରାଳ, ଗଜ ବିରାଳ, ନର ବିରଳ ରୂପ ଖୋଦେଇ ଜାରି ରଖିଛନ୍ତି । ଚିତ୍ରକାର ସେବକମାନେ ରଥ ପାର୍ଶ୍ୱ ଦେବ ଦେବୀଙ୍କ ରୂପ ରଙ୍ଗ ଚିତ୍ର ସହ ହଂସ ପଟା, କନ୍ୟା ପଟା, ଓଲଟ ଶୁଆ, ସଖୀ, ଇତ୍ୟାଦିର ରଙ୍ଗ କାର୍ଯ୍ୟ ସହ ଦୁଆର ବେଢ଼ା ରୂପ ଚିତ୍ର ଏବଂ ରଥ ବାହ୍ୟ ପାର୍ଶ୍ୱ ଗୁଜ, ଚକ ଇତ୍ୟାଦିରେ ରଙ୍ଗ ଚିତ୍ର ଜାରି ରଖିଛନ୍ତି ।

ଅନ୍ୟପଟେ ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ କଣ୍ଟା ନିର୍ମାଣ ସହ ଚାର ବନ୍ଧା ପାଇଁ ଭୋଇ ସେବକମାନଙ୍କ ପାଇଁ କଟୁରି ନିର୍ମାଣ କରୁଛନ୍ତି । ତଥା ଦରଜି ସେବକମାନେ ତିନିରଥର ବତା କନାରେ ଲେସ ଫିଟିଙ୍ଗ ସହ ଦୁଆର ବେଢ଼ା କନାରେ ସିଲଭର ଫୁଲ, ଲେସ ସିଲାଇ କାର୍ଯ୍ୟ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking